ଗୋପାଳପୁର ନିର୍ବାଚନ ମଣ୍ଡଳୀ: ରାଜନୀତିରେ କାହାର ଦଖଲ କେତେ

ଅନନ୍ତ ନାରାୟଣ ମହାନ୍ତି/ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ବ୍ରହ୍ମପୁର(୩୦-୦୩-୨୦୨୪):
ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ଏକାନ୍ତ ଅନୁଗତ ତଥା ହିଞ୍ଜିଳି ପ୍ରତିନିଧି ଡଃ. ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ ୨୦୦୯ରେ ବିଧାୟକ ଭାବରେ ବିଜୟ ଯାତ୍ରା ଆରମ୍ଭ କରି ୨୦୨୪ଯାଏଁ ବିଧାୟକ ରହିଲେ। ଏହି ଅବଧିରେ ତୃଣମୂଳ ସ୍ତରରେ ଘଟିଥିବା ଭୋଟ ରାଜନୀତିର ଏକ ଆଲୋଚନା ପ୍ରଦୀପ କେତେ ସବଳ ନା’ ଦୁର୍ବଳ ସ୍ପଷ୍ଟ କରୁଛି। ୨୦୧୨ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପ୍ରଦୀପଙ୍କ ନେତୃତ୍ୱରେ ହୋଇଥିଲା। ୨୦୦୭ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ୪ଟି ଜୋନରୁ କୌଣସି ଗୋଟିଏ ମଧ୍ଯ ଜୋନରେ ବିଜେପି ବିଜୟୀ ହୋଇନଥିଲା। କିନ୍ତୁ ପ୍ରଦୀପଙ୍କ ପ୍ରବେଶ ପରେ ଏବଂ ପ୍ରଦୀପଙ୍କ ନେତୃତ୍ୱରେ ୨୦୧୨ରେ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନରେ ବିଜେପି ଖାତା ଖୋଲିବା ଆରମ୍ଭ କରିଲା। ୫୩ ନମ୍ବର ଜୋନରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବା ଏନ୍.ଡମ୍ବରୁ ରେଡ୍ଡୀ ୫୦୦୦ ଭୋଟ ବ୍ଯବଧାନରେ ଜୋନକୁ ଦଖଲ କରିଲେ। ପ୍ରଦୀପ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବରେ କ୍ଷମତାରେ ବସିବା ପୂର୍ବରୁ ଅର୍ଥାତ ୨୦୦୭ରେ ଯେଉଁ ବିଜେପି ଖାତା ଖୋଲିନଥିଲା ସେହି ବିଜେପି ୨୦୧୨ରେ ଏକ ବଡ ବ୍ଯବଧାନରେ ଖାତା ଖୋଲିବାରେ ସକ୍ଷମ ହେଲା। ଡମ୍ବରୁ ରେଡିଙ୍କ ନିର୍ବାଚନୀ ଚାଲ ଆଗରେ ପ୍ରଦୀପଙ୍କ ନିର୍ବାଚନୀ ଚାଲ୍ ପୁରା ଫେଲ୍ ମାରିଥିଲା।
୨୦୧୪ରୁ ୨୦୧୯ ପ୍ରଦୀପ ୨ୟ ଥର ବିଧାୟକ ଭାବରେ ନିର୍ବାଚନରେ ଜିତିବା ସହ ରାଜ୍ଯର କ୍ଯାବିନେଟ ମନ୍ତ୍ରୀ ଥିଲେ। ଏହି ସମୟରେ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ ପ୍ରଦୀପ। ଏହି ସମୟରେ ପୁଣି ପ୍ରଦୀପଙ୍କ ନେତୃତ୍ୱରେ ୨୦୧୭ରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଏନ୍. ଡମ୍ବରୁ ରେଡି, ବିନୋଦ ମିଶ୍ର ଓ ଏଲ୍. ମୋହନ ଦାସଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ୫୩ ଓ ୧୦ନଂ ଜୋନରେ ବିଜୟୀ ହେବାରେ ସକ୍ଷମ ହୋଇଥିଲା। ୨୦୦୯ ଅର୍ଥାତ ପ୍ରଦୀପଙ୍କ ପ୍ରବେଶ ପୂର୍ବରୁ ଖାତା ଖୋଲିବାରେ ବିଫଳ ଥିବା ବିଜେପି ପ୍ରଦୀପଙ୍କ ପ୍ରବେଶ ପରେ ୨୦୧୨ରେ ୧ଟି ଜୋନ୍ ଏବଂ ୨୦୧୭ରେ ୨ଟି ଜୋନ୍ ହାତେଇବାରେ ସଫଳ ହୋଇଥିଲା।
୨୦୧୯ରେ ପ୍ରଦୀପ ୩ୟ ଥର ପାଇଁ ଅତି କମ୍ ବ୍ଯବଧାନରେ ନିର୍ବାଚନ ଜିତିଥିଲେ। ୨୦୨୧ରେ ବିଜୁ ଜନତା ଦଳରୁ ବହିଃଷ୍କୃତ ହୋଇଥିଲେ। ପ୍ରଦୀପଙ୍କ ବହିଃଷ୍କାର ପରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ୪ଟି ଯାକ ଜୋନରେ ବିଜୟ ହୋଇଥିଲା। ବିଜେପି ଖାତା ଖୋଲିବାରେ ବିଫଳ ହୋଇଥିଲା। ପ୍ରଦୀପଙ୍କ ଅନୁପସ୍ଥିତିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଜଣା ପଡିଛି। ଏହି ତଥ୍ଯ ପ୍ରମାଣିତ କରୁଛି ଭୋଟ ରାଜନୀତିରେ ତୃଣମୂଳ ସ୍ତରରେ ପ୍ରଦୀପ ଭାରୀ ଦୁର୍ବଳ। କେବଳ ନବୀନଙ୍କ ଆଶୀର୍ବାଦ ଓ କ୍ଷମତାର ଅବଧାରଣାରେ ତୃଣମୂଳ ସ୍ତରରେ ଦୁର୍ବଳ ଥିବା ପ୍ରଦୀପ ରାଜ୍ଯ ରାଜନୀତିରେ ସବଳ। ଅନ୍ଯପଟେ ଗୋପାଳପୁରରେ ବର୍ତ୍ତମାନ ଭାଜପାର ଅବସ୍ଥା ଅତ୍ଯନ୍ତ ଦୁର୍ବଳ। କାରଣ ତୃଣମୂଳ ସ୍ତରର ଭାଜପାର ଭୋଟ ଫ୍ଯାକ୍ଟର ଏନ୍.ଡମ୍ବରୁ ରେଡି, ବିନୋଦ ମିଶ୍ର ଙ୍କୁ ଭାରତୀୟ ଜନତା ପାର୍ଟିର ନିଜ ଅଭିବୃଦ୍ଧିରେ କାର୍ଯ୍ଯରେ ଲଗାଇବାରେ ବିଫଳ।

Leave a Reply

Your email address will not be published. Required fields are marked *