ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ
ମାଲକାନଗିରି,୨୯/୦୪/୨୪: ବର୍ତ୍ତାମାନ ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମର ଲହରୀ ଚାଲିଥିବା ବେଳେ ଲୋକମାନେ ତୃଷା ନିବାରଣ ଲାଗି ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ପୋଷାକ ପରିଛେଦ ଠାରୁ ଆରମ୍ଭ କରି ଖାଦ୍ଯ ପାନୀୟରେ ମଧ୍ଯ ପରିବର୍ତ୍ତନ ଦେଖା ଦେଇଛି । ଏବେ କାକୁଡି,ତରଭୂଜ,ପଇଡ,ଦହି,ଚହ୍ଲା,ଲସି,ଲେମ୍ବୁ ପଣା,ମିଶ୍ରି ପାଣି, ବେଲପଣା,ଫଳରସ, ପଖାଳଭାତ ଆଦି ଖାଇବାକୁ ଲୋକେ ପସନ୍ଦ କରନ୍ତି । ସେହିପରି ମାଲକାନଗିରି ଜିଲ୍ଲାରେ ତାଳ ସଜର ଭୂମିକା ଗ୍ରୀଷ୍ମ ଦିନେ ଲୋକମାନଙ୍କ ପସନ୍ଦ ବହୁ ମାତ୍ରାରେ ରହିଛି ।ବିଶେଷ କରି ଆଦିବାସୀ ଅଧ୍ଯୁସିତ ଜିଲ୍ଲାଗୁଡିକରେ ତାଳ ଗଛ ବହୁଳ ସଂଖ୍ଯାରେ ଦେଖା ଯାଏ । ତାଳ ସଜ ବିକ୍ରୟ କରିବାକୁ ଆଦିବାସୀମାନେ ଆସିଥାନ୍ତି ।ମାଲକାନଗିରି ସଦରମହକୁମାକୁ ତୁମୁସାପଲ୍ଲୀ,ଚାଲାଣଗୁଡା,ତମସା,ଗୌଜଗୁଡାଗ୍ରାମର ଆଦିବାସୀମାନେ ତାଳ ସଜ ବେପାର କରିବାକୁ ଆସିଥାନ୍ତି । ଏମାନେ ସକାଳୁ ସକାଳୁ ମାଲକାନଗିରି ସଦର ମହକୁମାକୁ ଆସି ରାସ୍ତା କଡ଼ରେ ବିକ୍ରି କରିଥାନ୍ତି ଓ ତାଳ ସଜ ବିକ୍ରି ଶେଷ ହେଲା ପରେ ଘରକୁ ଫେରନ୍ତି । ବସ୍ତାରେ ବସ୍ତାଏ ତାଳ ଫଳ ସାଇକଲ ବା ମଟର ସାଇକଲରେ ଲଦି ବଜାରକୁ ଆଣିଥାନ୍ତି ତାଳ ଫଳ କାଟିବା ପାଇଁ ଧାରୁଆ କଟୁରୀ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ସାତଟି ତାଳ ସଜକୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି । କଅଁଳ ତାଳ ସଜ ଖାଇବାକୁ ମିଠା ହୋଇଥିବାରୁ ତାଳ ଗ୍ରୀଷ୍ମ ଋତୁରେ ସମସ୍ତଙ୍କର ପ୍ରିୟ । । ଏଣୁ ପିଲା ଠାରୁ ବୁଢା ଏହି ତାଳ ସଜକୁ ଖାଇବା ପାଇଁ ଚୈତ୍ର ମାସକୁ ଅପେକ୍ଷା କରିଥାନ୍ତି । ତାଳ ଗଛରେ ଚଢିବା ପରେ କଅଁଳ ତାଳକୁ ଗଛରୁ କଢାଯାଇଥାଏ। କେବଳ ଯେ ଆଦିବାସୀମାନେ ତାଳ ସଜ ବିକ୍ରୟ କରିନଥାନ୍ତି, ସେମାନେ ତାଳ ଗଛର ଭଣ୍ଡାକୁ କାଟି ତାଳ ରସ ମାଟି ଠେକା ଗଛରେ ବାନ୍ଧି ସଂଗ୍ରହ କରିଥାନ୍ତି । ତାଳରସ ପାନ କଲେ ମିଠା ଲାଗିବା ସହ ଗ୍ରୀଷ୍ମ ଦିନେ ତୃଷା ମଧ୍ୟ ନିବାରଣ କରିଥାଏ । ତେବେ ଆଦିବାସୀ ସମାଜରେ ତାଳ ବୃକ୍ଷର ଭୂମିକା ଅତୁଳନୀୟ ଯାହା ଗ୍ରୀଷ୍ମ ଦିନରେ ଲୋକଙ୍କ ପାଇଁ ବରଦାନ ପାଲଟିଛି।