ଚିତ୍ରକୋଣ୍ଡା : ପାଣି ପାଇଁ ବ୍ଲକ ଆଗରେ ହାଣ୍ଡି,ଗରା ରଖି ଶତାଧିକ ମହିଳାଙ୍କ ଧାରଣା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ
ମାଲକାନଗିରି,୦୭/୦୫/୨୪: ଚିତ୍ରକୋଣ୍ଡା ସଦର ମହକୁମା ର ୮,୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ଗରା, ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ ଅଫିସ ଗେଟରେ ତାଲା ପକାଇବା ସହ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ବ୍ଲକ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗରା ମାଠିଆ ଧରି ବ୍ଲକ ଗେଟରେ ଧାରଣା ଦେବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଚିତ୍ରକୋଣ୍ଡାର ବିଭିନ୍ନ ୱାର୍ଡରେ ଦୀର୍ଘ ବର୍ଷ ଧରି ପାନୀୟ ଜଳର ସମସ୍ୟା ଲାଗି ରହିଥିଲେ ମଧ୍ୟ ଦୀର୍ଘ ଦିନ ଧରି ପାଣି ସମସ୍ୟାର ସମାଧାନ ହୋଇପାରିନଥିଲା । ଚିତ୍ରକୋଣ୍ଡା ସଦର ମହକୁମାର ଦୁର୍ଗା ମନ୍ଦିର ଠାରେ ୬ ବର୍ଷ ହେବ ନିର୍ମାଣ ଚାଲିଛି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ। ଏହି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଆଜି ଯାଏଁ ଟୋପାଏ ପାଣି ଲୋକଙ୍କ ଘରେ ପହଞ୍ଚି ପାରିନାହିଁ। ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟକାରୀ ହେବା ପର ଠାରୁ ସଦର ମହକୁମାର ବିଭିନ୍ନ ୱାର୍ଡର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅନେକଥର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର, ବିଡ଼ିଓ, ବିଧାୟକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିବା ଅଭିଯୋଗ କରିଛନ୍ତି ୱାର୍ଡ ବାସିନ୍ଦା। ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା ପାତ୍ର ଓ ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ମହିଳା ମାନଙ୍କ ସହ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ଲକ ଅଫିସ ଗେଟ ସମ୍ମୁଖରେ ଗରା ମାଠିଆ ଧରି ବ୍ଲକ ଅଫିସ ଆଗରେ ଶତାଧିକ ମହିଳା ପାଣି ସମସ୍ୟାର ସମାଧାନ କରିବା ଆଶା ନେଇ ବସି ରହିଛନ୍ତି ।

Leave a Reply

Your email address will not be published. Required fields are marked *