ଡେଙ୍ଗୁ ମୁକ୍ତ ହେବ କଟକ ସହର, ଆକ୍ସନ ମୋଡ଼ରେ ସିଏମସି

ସୀତାକାନ୍ତ ଶତପଥୀ //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କଟକ, 13/7/2024:
ସ୍କୁଲ ହେଉ ବା କଲେଜ, ଥାନା ହେଉ ବା ଆବାସିକ ଗୃହ, ସରକାରୀ କାର୍ଯ୍ୟାଳୟ ହେଉ ବା ବ୍ୟବସାୟିକ ପ୍ରତିଷ୍ଠାନ ସବୁକିଛି କିଛି ହେବ ଡେଙ୍ଗୁମୁକ୍ତ। କଟକ ସହରକୁ ଡେଙ୍ଗୁମୁକ୍ତ କରିବା ପାଇଁ ବର୍ତ୍ତମାନ ଆକ୍ସନ ମୋଡ଼ରେ ସିଏମସି। ଦୀର୍ଘବର୍ଷ ଧରି ଡେଙ୍ଗୁ ମହାମାରୀ କଟକ ସହରରେ ଆତଙ୍କ ସୃଷ୍ଟି କରି ଆସୁଛି। ପ୍ରତିବର୍ଷ ମଶା ଦମନ ପାଇଁ ସିଏମସି ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ମଧ୍ୟ ସହରବାସୀଙ୍କୁ ମଶା ଦାଉରୁ ମୁକ୍ତ କରିବାରେ ବିଫଳ ହେଉଛି କଟକ ମହାନଗର ନିଗମ। ଦୁଇବର୍ଷ ତଳେ ସିଏମସିରେ କାଉନସିଲ ଗଠନ ପରେ ମେୟର ସୁବାସ ସିଂହ ସହରକୁ ମଶା ମୁକ୍ତ କରିବା ପାଇଁ ଅନେକ କିଛି ଯୋଜନା କରିଥିଲେ। ପୂର୍ବତନ ନଗରପାଳ ସ୍ବର୍ଗତ ତ୍ରିଲୋଚନ କାନୁନଗୋଙ୍କୁ ନିମନ୍ତ୍ରଣ କରି ବିଭିନ୍ନ ପ୍ରକାର ବିଚାର ବିମର୍ଶ ସହ ଆବଶ୍ୟକ ପଦକ୍ଷେପ ପାଇଁ ଅଣ୍ଟା ଭିଡିଥିଲେ। ଏହାପରେ ମଧ୍ୟ କଟକ ମହାନଗର ନିଗମର ଏହି ସବୁ କସରତ କାମ ଦେଲାନି। ଯଦିଓ ମଶା ଦମନ ଦୂର ହେବା ବଦଳରେ ଗତବର୍ଷ ଡେଙ୍ଗୁ ପ୍ରାଦୁର୍ଭାବ ଶିଖର ଛୁଇଁଥିଲା।
ଜଳବନ୍ଦୀକୁ ବାଦ ଦେଲେ ମଶା ଉପଦ୍ରବ ହଜାର ବର୍ଷର ଐତିହାସିକ ସହର କଟକର ଏକ ମୁଖ୍ୟ ସମସ୍ୟା। ଦୀର୍ଘଦିନ ଧରି ଏହି ସମସ୍ୟା ସହରବାସୀଙ୍କୁ ଅନାୟତ କରି ଆସୁଛି। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମସି) ବେଶ ଚିନ୍ତିତ। ଗତବର୍ଷ ସହରରେ ଡେଙ୍ଗୁ ପ୍ରାଦୁର୍ଭାବ ରେକର୍ଡ ବ୍ରେକ କରିଥିବା ବେଳେ ଚଳିତବର୍ଷ ସିଏମସି ପକ୍ଷରୁ ଏନେଇ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ମହାମାରୀ ଡେଙ୍ଗୁକୁ କିପରି ଚ୍ୟାଲେଞ୍ଜ କରାଯିବ ସେଥିପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜୁଭବନ କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଡେଙ୍ଗୁ ମହାମାରୀକୁ କିପରି ଗ୍ରାସରୁଟରୁ ମାରି ଦିଆଯିବ ସେଉପରେ ନିଷ୍ପତ୍ତି ନିଆଯାଇଛି। ଏହି ମହାମାରୀ କଟକ ସହର ପାଇଁ ଆତ୍ମଘାତୀ ହୋଇଥିବା ବେଳେ ଉକ୍ତ ବୈଠକରେ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ, ଇଡ୍କୋ ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।
ସରକାରୀ ସ୍ତରରେ ପ୍ରାୟ ବିଭାଗ କିପରି ଡେଙ୍ଗୁ ନିୟନ୍ତ୍ରଣରେ ସହାୟକ ହେବେ ସେଥିପାଇଁ ସିଏମସି ପକ୍ଷରୁ ଚିଠି କରାଯାଇଛି। ସେ ଥାନା ହେଉ ବା ଶିକ୍ଷାନୁଷ୍ଠାନ  ତୃଣମୂଳ ସ୍ତରରୁ କିପରି ଡେଙ୍ଗୁ ନିପାତ ହେବ ଏହି ଚିଠିରେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଥାନା ଗୁଡିକରେ ଦୀର୍ଘଦିନ ଧରି ପଡି ରହୁଥିବା ସିଜ ଗାଡିଗୁଡିକରୁ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ଅଛି। ତେଣୁ ଡିସିପି ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ସିଜ ଗାଡି ଗୁଡିକରେ କିପରି ପାଣି ଜମିବ ନାହିଁ ତେଣୁ ସେଗୁଡିକୁ ପାଲ ଘୋଡାଇ ଆବଦ୍ଧ କରି ରଖାଯିବ। କାରଣ ସ୍ଵଛ ପାଣିରୁ ହି ଡେଙ୍ଗୁ ମଶାଙ୍କ ଉତ୍ପତ୍ତି ସ୍ଥଳ। ସେହିଭଳି ଶିଳ୍ପାଞ୍ଚଳ ଜଗତପୁର ମଶାଙ୍କ ଆଡ୍ଡାସ୍ଥଳୀ, ଏଣୁ ଇଡ୍କୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ବୁସକଟିଂ କିପରି ସଠିକ ହେବ ସେଥିପ୍ରତି ସେ ଗୁରୁତ୍ୱ ଦେବେ। ଏହାବ୍ୟତୀତ ଯେଉଁସବୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇପଡିଛି ଇଡ୍କୋ ସହାୟତାରେ ସେଗୁଡିକର ତାଲା ଭଙ୍ଗା ଯାଇ ଏହାକୁ ଖୋଦ ସିଏମସି ସଫା କରିବ। ସେହିଭଳି ଡେଙ୍ଗୁ ଚ୍ୟାଲେଞ୍ଜ ଅଭିଯାନରେ ସିଡିପିଓଙ୍କ କାନ୍ଧରେ ଅଙ୍ଗନବାଡି ଦାୟିତ୍ୱ ରହିଛି। ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ପ୍ରତ୍ୟେକ ସପ୍ତାହରେ ‘ଡ୍ରାଏ ଡେ’ ପାଳନ ହେବ। ଏଥିରେ ମଶା ବଂଶବୃଦ୍ଧି କିପରି ନିୟନ୍ତ୍ରଣ ହେବ ତାଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶରେ ପ୍ରତ୍ୟେକ ବିଦ୍ୟାଳୟରେ ଡ୍ରାଏ ଡେ ପାଳନ ହେବ ଏବଂ ସ୍କୁଲ ଏଚଏମ ଏହାର ତଦାରଖ କରିବେ। 
ଏହାବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ୨ଟି ସ୍ୱତନ୍ତ୍ର ଗାଡି ଦ୍ୱାରା ନାଇଟ ଲିଫ୍ଟଙ୍ଗ ଜାରି ରହିଛି। ଯେଉଁସବୁ ସ୍ଥାନରେ ପୁରୁଣା ଟାୟାର, ପଇଡ଼, ବୋତଲ ଆଦି ପଡି ରହିଛି ସେ ସବୁକୁ ସିଏମସି ପକ୍ଷରୁ ହଟାଇ ନଷ୍ଟ କରାଯାଉଛି।
ଡେଙ୍ଗୁ ଚ୍ୟାଲେଞ୍ଜରେ ସିଏମସି ପକ୍ଷରୁ ୩ଟି ପଏଚ (ପବ୍ଲିକ ହେଲ୍ଥ) ଟିମ ନିୟୋଜିତ କରାଯାଇଛି। ଏହାର କର୍ମୀମାନେ ଜଗତପୁର, ସିଡିଏ ଆଦି ଅଞ୍ଚଳରେ ଘରକୁ ଘର ବୁଲି ଲିଫଲେଟ ବାଣ୍ଟିବା ସହ ଡେଙ୍ଗୁ ସଚେତନତା ଉପରେ ଲୋକଙ୍କୁ ବୁଝାଉଛନ୍ତି। ସେହପରି ସମସ୍ତ ୟୁପିଏସସି, ଏଚଡବ୍ଲୁସି, ସିଏସସି ଆଦି ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀମାନଙ୍କୁ ଡେଙ୍ଗୁ ଉପରେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ପଜିଟିଭ କେସ ନଜରକୁ ଆସିବା ମାତ୍ରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବା ସହ ଅବିଳମ୍ବେ ଉକ୍ତ ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନମୁନା ପରୀକ୍ଷା କରାଯିବ। ଏହାସହ ନୂଆଭାବେ ନିୟୋଜିତ ହୋଇଥିବା  ଆରଆର (ରାପିଡ଼ ରେଷ୍ପନ୍ସ) ଟିମ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳରେ ଆକ୍ସନ ମୋଡ଼ରେ କାର୍ଯ୍ୟ କରିବ। କେଉଁ କାରଣରୁ ରୋଗ ବ୍ୟାପିଲା ତାର ପୁଙ୍ଖାନୁପୁଙ୍ଖ ସହ ତଦନ୍ତ ଉକ୍ତ ଟିମ ସ୍ଥାନୀୟ ଅଞ୍ଚଳରେ ଏହାକୁ ତୃଣମୂଳ ସ୍ତରରୁ ମାରିବାକୁ କାର୍ଯ୍ୟ କରିବ। ଡେଙ୍ଗୁ ଚ୍ୟାଲେଞ୍ଜକୁ ନେଇ ସହରର ଦୁଇ ମୁଖ୍ୟ ସ୍ଥାନ ସିଡିଏ ଓ ଚାଉଳିଆଗଞ୍ଜରେ ୨ଟି ସ୍ୱତନ୍ତ୍ର କଣ୍ଟ୍ରୋଲରୁମ ମଧ୍ୟ ଖୋଲାଯାଇଛି। ଏହାସହ ଗୁରୁତର ରୋଗୀଙ୍କ ପାଇଁ ଏସସିବି ଓ ସିଟି ହସ୍ପିଟାଲ (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ)ରେ ସ୍ୱତନ୍ତ୍ର ବେଡ଼ ମଧ୍ୟ ରହିଛି। ବଣବୁଦା ସଫେଇ ପାଇଁ ପ୍ରତ୍ୟେକ ୱାର୍ଡକୁ ୨ଟି ଲେଖାଏଁ ବୁସ କଟର ଦିଆଯିବା ସହ ତ୍ୱରିତ ପ୍ରଭାବ ପାଇଁ ସହରର ଆବାସିକ ଓ ଅନ୍ୟାନ୍ୟ ଗୃହରେ ଟେମିଫୋସ ସିଞ୍ଚନ ସହ ନାଳନର୍ଦମାରେ ଏମଏଲ ଅଏଲ ପକାଯାଉଛି ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସତ୍ୟବ୍ରତ ମହାପାତ୍ର କହିଛନ୍ତି।
ସରକାର ବଦଳିଛି, ମଶା ଉପଦ୍ରବକୁ ନେଇ ବିଗତ ଦିନରେ ସିଏମସି କୋଟିକୋଟି ଟଙ୍କା ବ୍ୟୟ କରିଛି। ଯେଉଁଥିରେ ସେଭଳି ପ୍ରଭାବ ଦେଖିବାକୁ ମିଳିନାହିଁ। ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହେବା ପରେ ମଶା ଦମନକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିଲେ। ଏହାପରେ ମଧ୍ୟ ସିଏମସିର ସବୁ ରଣନୀତି ଗତବର୍ଷ ଡେଙ୍ଗୁ ମହାମାରୀ ଆଗରେ ଫେଲ ମାରିଥିଲା। ଯାହାକୁ ନେଇ ଚଳିତ ବର୍ଷ ସିଏମସି ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଡେଙ୍ଗୁ ନିରାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ତେବେ ସିଏମସିର ଏହି ଡେଙ୍ଗୁ ଚ୍ୟାଲେଞ୍ଜ ଡେଙ୍ଗୁ ରୋକିବାରେ କେତେଦୂର ସଫଳ ହେଉଛି ନା ବିଗତ ବର୍ଷ ଭଳି କେବଳ ଯୋଜନାରେ ରହୁଛି ତା ଉପରେ କଟକ ସହରବାସୀଙ୍କ ନଜର। 

Leave a Reply

Your email address will not be published. Required fields are marked *