ଅନିଲ କୁମାର ସାହୁ//ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ
ଭୁବନେଶ୍ବର (୨୪/୦୨/୨୦୨୪): ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବ୍ଲକ୍ ସ୍ତରରେ ବିଏସ୍କେୱାଇ ନବୀନ କାର୍ଡର ବଣ୍ଟନ ଆରମ୍ଭ ହେବ। ଏଥିପାଇଁ ଚଳିତମାସ ୨୯ ତାରିଖସୁଦ୍ଧା ସମସ୍ତ ବ୍ଲକ୍ ନୋଡାଲ ଅଧିକାରୀଙ୍କୁ ଏକ ୱେଲକମ୍ କିଟ୍ ପ୍ରଦାନ କରାଯିବ। ଏଥିରେ ଦୁଇଟି ସମାନ ବିଏସ୍କେୱାଇ ନବୀନ କାର୍ଡ ଓ ଅନ୍ୟ କାଗଜପତ୍ର ରହିଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ନବୀନ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ ହେବ। ଆଜି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳମାନଙ୍କୁ ଏ ସଂପର୍କରେ ପତ୍ର ଲେଖିଛନ୍ତି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଯୋଜନାର ତୃତୀୟ ପର୍ଯ୍ୟାୟରେ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ୍ ସୁବିଧା ମିଳିବ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଲେ ଗ୍ରାମାଞ୍ଚଳର ସବୁ ପରିବାର ଏହି ଯୋଜନାରେ ସାମିଲ ହେବେ। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧କୋଟି ୧୦ଲକ୍ଷରୁ ଅଧିକ ପରିବାରଙ୍କୁ ବିଏସ୍କେୱାଇ-ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବିଏସ୍କେୱାଇ-ନବୀନ କାର୍ଡ ପାଇଁ ବ୍ଲକ୍ ସ୍ତରରେ ସ୍ବତନ୍ତ୍ର କ୍ୟାମ୍ପ୍ ଆୟୋଜନ କରିବାକୁ କୁହାଯାଇଛି। ଏଥିପାଇଁ ହିତାଧିକାରୀଙ୍କୁ ସେମାନଙ୍କର ଆଧାର କାର୍ଡ ଦେବାବାକୁ ପଡ଼ିବ। ଏଥିପାଇଁ ଏକ ରେଜିଷ୍ଟ୍ରୋର ରଖିବା ସହ ଏହାର ଡିଜିଟାଲ ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବା ନିମନ୍ତେ କୁହାଯାଇଛି।