ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେଉଁଝର, 30/04/2024: ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ହଟାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ଗତକାଲି ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ। କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଲେ ଯେ ବିଛଣାରୁ ଉଠି ପାରି ନଥିଲେ। ସକାଳୁ ମଧ୍ୟ ଅତ୍ୟଧିକ ଦୁର୍ବଳ ହେବାରୁ ଘର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ। ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅ କୁ ହରାଇ ଥିଲେ। ଏହି ସବୁ ଦୁଃଖଦ ଘଟଣା କୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା। ଆଜି ଡାକ୍ତର ତାଙ୍କୁ ପରୀକ୍ଷା କରି ତାଙ୍କୁ ପତଳା ଝାଡ଼ା ହେବା ଫଳରେ ଏପରି ଅସୁସ୍ଥ ହୋଇଥିବା ବେଳେ ବର୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି।