ମଧୁସ୍ମିତା ତ୍ରିପାଠୀ // ପିପିଲି, ପୁରୀ
ଆଜିର ଦୁନିଆ କଳୁଷିତ ମୟ। ସମାଜ ରେ ମିଥ୍ୟା,ପାପ ଏବଂ ମନୁଷ୍ୟ ମଧ୍ୟରେ ଆସୁରିକ ପ୍ରବୃତ୍ତି ବଢ଼ିଚାଲିଛି। ସମାଜ ରେ ଛୋଟ ପିଲାମାନଙ୍କ ମଧ୍ୟରେ କିଏ କେତେବେଳେ ଆତ୍ମହତ୍ୟା କଲାଣି ତ କେଉଁ ନାବାଳକ ନିଜ ବନ୍ଧୁଙ୍କ ବେକ କାଟି ହତ୍ୟା କଲାଣି। ଏପରି ବିଭତ୍ସକାଣ୍ଡ ଘଟିବାର କାରଣ ପିଲାମାନଙ୍କ ମଧ୍ୟରେ କ୍ରୋଧ, ହିଂସା ଭଳି ଆସୁରିକ ପ୍ରକୃତି ବୃଦ୍ଧି ପାଉଛି।
କୁହାଯାଏ ପିଲା ମାନଙ୍କର ପ୍ରଥମ ଗୁରୁ ହେଉଛି ମାଆ | ପିଲା ଦିନେ ମାଁ ଯେଉଁ ଭଳି ଭାବରେ ଶିକ୍ଷା ଦେଇ ଗଢି ତୋଳିବ ପିଲା ମାନେ ସେପରି ସୁନ୍ଦର ବ୍ୟକ୍ତିତ୍ଵ ରେ ପରିଣତ ହେବେ । ଆଜିର ସମାଜରେ ପିଲାମାନଙ୍କ ଏପରି ପ୍ରବୃତ୍ତି ରୁ ଦୂରେଇ ରଖିବାକୁ ହେଲେ ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ର ବୃଦ୍ଧି କରିବାକୁ ପଡିବ ଯହିଁରେ ମାଁ ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ମନରେ ପ୍ରଶ୍ନ ଆସିବ ଯେ ଆଧ୍ୟାତ୍ମିକ ଚେତନା ଦ୍ଵାରା କ’ଣ ସମାଜର ପରିବର୍ତ୍ତନ ସମ୍ଭବ? ହଁ ନିଶ୍ଚିନ୍ତ ଏପରି ଭାବରେ ପ୍ରୟାସ ଦ୍ବାରା ସମାଜର ପରିବର୍ତ୍ତନ ସହ ପିଲାଙ୍କ ସ୍ବାଭାବ ରେ ପରିବର୍ତ୍ତନ ଆପଣ ମାନେ ଲକ୍ଷ୍ୟ କରିବେ । ଆଧ୍ୟାତ୍ମିକ ଚେତନା ଦ୍ଵାରା ମନୁଷ୍ୟ ମନରୁ ରାଗ,ରୋଷ, ଅଭିମାନ,ଜିଦ୍ ଖୋର ପ୍ରକୃତି,ଭୟ, କ୍ଳେଶ ଇତ୍ୟାଦି ଦୂର ହୋଇଥାଏ। ଯାହା ଫଳରେ ପିଲାମାନେ ଏପରି କାର୍ଯ୍ୟରୁ ନିବୃତ ରହିବେ ।
ଆଜିକାଲି ଜଗତରେ ଯେଉଁ ଭଳି ଭାବରେ ଶିକ୍ଷା ଦିଆଯାଇଛି ସେଥିରେ ପିଲାମାନଙ୍କ ଏକ ନିର୍ଦ୍ଦିଷ୍ଟ ଦିଗରେ ଉନ୍ନତି ହୋଇପାରିବ । ଯେଉଁ ପିଲାମାନେ ଭଲ ପଢାଲେଖା କରିବେ ସେମାନେ ଗୋଟିଏ ଦିଗରୁ ହିଁ ଧୁରନ୍ଧର ହୋଇଯିବେ କିନ୍ତୁ ମନର ବିକାଶରେ ସେ ସର୍ବଦା ଅଜ୍ଞ ଓ ଅନ୍ଧ ହୋଇରହିବେ। ପ୍ରତ୍ୟେକ ଘରେ ପ୍ରତ୍ୟେକ ମାଁ ମାନେ ଏଭଳି ଶିକ୍ଷା ଦେବା ଉଚିତ୍ ଯଦ୍ୱାରା ପିଲାଙ୍କ ମନର ବିକାଶ ହେବ। ସେଥିପାଇଁ ପିଲାମାନଙ୍କୁ ଛୋଟବେଳୁ ଏକ ସ୍ୱତନ୍ତ୍ରର ସହ ପାଳନ କରାଯିବା ଉଚିତ | ପ୍ରଥମତଃ ପିଲାମାନଙ୍କୁ ବୁଝାଇବାକୁ ହେବ ଯଦି ସେମାନେ କୌଣସି ଭୁଲ୍ କରୁଛନ୍ତି, ତାଙ୍କୁ ନିର୍ଭୟ ର ସହ ପିତାମାତାଙ୍କ ନିକଟରେ ସ୍ବୀକାର କରିବେ। ଏବଂ ମାତାପିତା ସେହି ଭୁଲ୍ ପାଇଁ କଠୋର ଶାସ୍ତି ନଦେଇ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ତାହା ପିଲାଙ୍କୁ ବୁଝାଇବେ। ଏବଂ ପୁନଶ୍ଚ ସେପରି ଭୁଲ୍ ନ କରିବାକୁ ପରାମର୍ଶ ଦେବେ । ପିଲାଙ୍କୁ ଭୟ ଦେଖାଇ ଶାସ୍ତି ଦେଲେ ସେ ଏଭଳି ହୋଇଯିବେ କୌଣସି କଥା ଆପଣଙ୍କୁ ଜଣାଇବାକୁ ଭୟ କରିବେ। ଯଦ୍ୱାରା ସେମାନେ ଗୋପନ ରଖିବା ଏବଂ ମିଥ୍ୟା କହିବା ଶିଖିଯିବେ।
ଆଧ୍ୟାତ୍ମିକ ଚେତନା ଦ୍ଵାରା ପିଲାମାନେ ପାପ -ପୁଣ୍ୟ,ସୁଖ ଦୁଃଖ ଧର୍ମ ଅଧର୍ମ ଇତ୍ୟାଦିର ଫରକ୍ ଜାଣିପାରିବେ। ନିଜର ଦ୍ବାରା କୌଣସି ଭୁଲ୍, ପ୍ରତ୍ୟେକ ସମସ୍ୟା ର ସମାଧାନ, ଦୁଃଖ କୁ ସହ୍ୟ କରିବାର ଶକ୍ତି ଇତ୍ୟାଦି ସବୁ ଭଗବାନଙ୍କ ନିକଟରେ ସମର୍ପିତ କରି କାର୍ଯ୍ୟ କରିବାର ପ୍ରେରଣା ପାଇବେ। ଛୋଟ ବେଳୁ ଆଧ୍ୟାତ୍ମିକ ଜ୍ଞାନ ଦିଆଗଲେ ବୟସ ବଢିବା ସହ ଆଧ୍ୟାତ୍ମିକ ଚେତନା ର ବୃଦ୍ଧି ମଧ୍ୟ ଘଟିବ। ଯଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ କେଉଁଟା ଠିକ୍ କେଉଁଟା ଭୁଲ୍ ବିଚାର ପିଲାମାନେ ନିଜେ ଜାଣିପାରିବେ। ପ୍ରତ୍ୟେକ ସମସ୍ୟା ଏବଂ ଦୁଃଖ ସମୟରେ ନିଜକୁ କିଭଳି ପରିଚାଳିତ କରିବେ ସେହି ଶକ୍ତି ସେମାନଙ୍କ ଭିତରେ ସୃଷ୍ଟି ହେବ।
ଛୋଟ ସମୟରୁ ପିଲାମାନଙ୍କୁ ଶିକ୍ଷା ଦେବା ଉଚିତ୍ କି ଆମେ ପୃଥିବୀ ରେ ଜନ୍ମ ନେଇ ଯାହା ସବୁ କରୁଛୁ ଭଗବାନଙ୍କ ଇଛା ରେ ଆମର ଦୈନିକ ଖାଦ୍ୟ ,ବେଶ ପୋଷାକ ସବୁ ତାଙ୍କରି ଇଛା ରେ ପରିଚାଳିତ ଯଦ୍ୱାରା ଆପଣ ପିଲାମାନଙ୍କୁ ସମୟର ସହ ଯେପରି ଗଢ଼ି ତୋଳିବେ, ଯାହା ସେମାନଙ୍କ ପାଇଁ ଭଲ ଖାଦ୍ୟ ତାହା ଦେବେ । ସେଥିରେ ସେମାନେ ପ୍ରତିବାଦ କରିପାରିବେ ନାହିଁ। ଛୋଟ ପିଲାମାନେ ଖାଦ୍ୟକୁ ନେଇ ବହୁତ ଜିଦ୍ ଖୋର ହୋଇଥାନ୍ତି।ଯାଦ୍ବାରା ସେମାନଙ୍କ ଜିଦ୍ ଖୋର ମନୋଭାବ ବଢ଼େ। ଆଧ୍ୟାତ୍ମିକ ଚେତନା ଦ୍ଵାରା ଏଭଳି ପ୍ରକୃତି ସ୍ୱଭାବରେ ପରିବର୍ତ୍ତନ ଘଟିବ |
ପିଲାମାନଙ୍କୁ ଏହା ଶିକ୍ଷା ଦେବାକୁ ହେବ ସେମାନଙ୍କ ଆକାଂକ୍ଷା, ଉତ୍ତେଜନା,ଆହରଣ କରିବାର ପ୍ରବୃତ୍ତି, ଅଧିକାର କରିବାର ପ୍ରବୃତ୍ତି,ପ୍ରଭୁତ୍ବ ବିସ୍ତାର କରିବା, ଅଧିକାର, ସାବ୍ୟସ୍ତ କରିବା, ଅହଂକାର ଦେଖାଇବା ଇତ୍ୟାଦି ଦ୍ଵାରା ସେମାନେ ଭଗବାନଙ୍କ ନିକଟରେ ଦୋଷୀ ହୋଇଥାନ୍ତି। ଯାହା ଫଳରେ ସେମାନଙ୍କର ସଦାସର୍ବଦା କ୍ଷତି ଘଟେ । ମା ମାନେ ଏଭଳି କୌଣସି କାର୍ଯ୍ୟ ପରିବାର ରେ କରିବେ ନାହିଁ ଯାହା ଦ୍ବାରା ପିଲାମାନେ ଏଭଳି ଆସୁରିକ ଶିକ୍ଷା ପାଇପାରିବେ। ପିଲାମାନଙ୍କୁ ଶିକ୍ଷା ଦେବାକୁ ପଡିବ କି ସେମାନେ ଭଗବାନଙ୍କ ସନ୍ତାନ, ତାଙ୍କରି ଆଂଜ୍ଞା ରେ ଏହି ପୃଥିବୀରେ ଜନ୍ମ ନେଇଛନ୍ତି ତାଙ୍କରି ଭଗବତ୍ତ କାର୍ଯ୍ୟ କରିବା ନିମନ୍ତେ | ପ୍ରତ୍ୟେକ ପରିବାରରେ ପିଲାମାନଙ୍କୁ ବସାଇ ଗୀତା, ଭାଗବତ, ପୂରାଣ ଶାସ୍ତ୍ର ଇତ୍ୟାଦି ପାଠ କରାଯିବା ଆବଶ୍ୟକ ଯାହାଦ୍ୱାରା ସେମାନଙ୍କ ଭିତରେ ଦୈବ୍ୟ ଶକ୍ତି କାର୍ଯ୍ୟ କରିବ |ଧୀରେ ଧୀରେ ସେମାନେ ଭାଗବତ କାର୍ଯ୍ୟ ପାଇଁ ଇଛୁକ ହେବେ |
ପିତାମାତା ଭାବନ୍ତି ପିଲାମାନଙ୍କୁ ପାଠପଢ଼ା ରେ ଯୋର ଦେଲେ, ଚାପ ପକାଇଲେ ସେମାନେ ଭଲ ଚେତନାରେ କାର୍ଯ୍ୟ କରିବେ କିନ୍ତୁ ତାହା ନୁହେଁ,ଆଜିର ସରକାର ସମାଜ ମଧ୍ୟ ସେପରି ଭାବନ୍ତି। ପିଲାମାନଙ୍କୁ ଭଲ ପାଠ ପଢ଼ାଇବା ଦ୍ବାରା ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୁଏ, ପ୍ରକୃତ ରେ ତାହା ନୁହେଁ। ପାଠପଢା ଦ୍ବାରା ପିଲାମାନଙ୍କ ଶିକ୍ଷା ର ବିକାଶ ତ ଘଟେ ପରନ୍ତୁ ମନର ବିକାଶ ହୋଇନଥାଏ ଯଦ୍ୱାରା ଆଜିର ପିଲାମାନେ ଏଭଳି କାଣ୍ଡ ଘଟାନ୍ତି ଯାହା ତାଙ୍କ ଭବିଷ୍ୟତ କୁ ଅନ୍ଧକାର ଭିତରକୁ ନେଇ ଯାଇଥାଏ।ଏ ସଂପର୍କରେ ପ୍ରତ୍ୟେକ ମାଁ ମାନେ ସଚେତନ ହୋଇ ପିଲାମାନଙ୍କୁ ଆଧ୍ୟାତ୍ମିକ ଚେତନା ର ଉଦ୍ ବୃଦ୍ଧ କରାଇବା ଆବଶ୍ୟକ। ସରକାର ମଧ୍ୟ ପ୍ରତ୍ୟେକ ସ୍କୁଲ କଲେଜରେ ଏକ ସ୍ଵତନ୍ତ୍ର ପାଠ୍ୟକ୍ରମ “ଆଧ୍ୟାତ୍ମିକ ଚେତନା” ଉପରେ ପରିବେଶିତ କରିବା ଆବଶ୍ୟକ। ଯାହା ଫଳରେ ଶିଶୁ ଅପରାଧ, ଛାତ୍ରଛାତ୍ରୀ ଆତ୍ମହତ୍ୟା, ନାବାଳକ ଦ୍ବାରା ହତ୍ୟା ଭଳି ଜଘନ୍ୟ ଘଟଣା ସମାଜ ରୁ କ୍ରମଶଃ ଲୋପ ପାଇବ ଏବଂ ଏକ ରାମରାଜ୍ୟ ଗଠନ ହୋଇପାରିବ।