ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ବିରୋଧରେ ନିଆଯାଇଥିବା ଆକ୍ସନ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ପେଟିଏମ୍ ପେମେଣ୍ଟ୍ସ ବିରୋଧରେ ଗ୍ରହଣ କରାଯାଇଥିବା ଆକ୍ସନ ଉପରେ ସମୀକ୍ଷାର କୌଣସି ସମ୍ଭାବନା ଦେଖାଯାଉ ନାହିଁ । ଆରବିଆଇ ପେମେଣ୍ଟ୍ସ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେବ୍ରୁଆରୀ ୨୯ ପରଠୁ ଏହା କୌଣସି ଜମା ଗ୍ରହଣ କରିପାରିବ ନାହିଁ ବୋଲି କହିଛି । ଦିଲ୍ଲୀରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଆରବିଆଇ ବ୍ୟାପକ ସମୀକ୍ଷା ପରେ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶକ୍ତିକାନ୍ତ ଦାସ ଏହା ଉପରେ ଜୋର ଦେଇ କହିଛନ୍ତି ଯେ ଆଇବିଆଇ ଫିନଟେକ୍ ସେକ୍ଟରକୁ ସମର୍ଥନ କରୁଛି । ଏହାସହ ସେ ଗ୍ରାହକଙ୍କ ହିତର ରକ୍ଷା ସହ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମଧ୍ୟ ପ୍ରତିବଦ୍ଧ ଅଟେ । ଅନୁମାନ କରାଯାଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଖୁବଶୀଘ୍ର ପେଟିଏମ୍ ମାମଲାରେ ଏଫଏକ୍ୟୁ ଜାରି କରିବ ।