ସନ୍ତୋଷ କୁମାର ପଟ୍ଟନାୟକଙ୍କ/ସାମ୍ୱାଦିକ/ସମୀକ୍ଷା ନ୍ୟୁଜ୍
ବଲାଙ୍ଗିର, ୩/୫/୨୦୨୪: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ। ଏକ ବ୍ୟାଗ୍ ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁ। ଏକ ବ୍ୟାଗ୍ ଭିତରେ ଭରି ଫିଙ୍ଗି ଦିଆଯାଇଥିଲା ଗାଁ ମୁଣ୍ଡରେ ନବଜାତ ଶିଶୁକନ୍ୟା । ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ର ଏସ୍ଏନ୍ସିୟୁ ୱାର୍ଡରେ ଭର୍ତ୍ତି କରିଛନ୍ତି ବସନ୍ତ ପରାଭୁଏ । ଏଭଳି ଏକ ଘଟଣା ଆଜି ସକାଳୁ ସଦରଥାନା ଅନ୍ତର୍ଗତ ଖର୍ଲିକାନି ଗାଁ ମୁଣ୍ଡରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଖର୍ଲିକାନି ଗାଁର ବସନ୍ତ ପରାଭୁଏ ଗାଁ ଭିତରୁ ମୁଖ୍ୟ ରାସ୍ତା ଆଡ଼କୁ ଆସିବା ବେଳେ ରାସ୍ତା ଉପରେ ବ୍ୟାଗ୍ ଭିତରେ ଏକ ନବଜାତ ଶିଶୁ କନ୍ୟା ରହି ଛଟ୍ପଟ୍ ହେଉଥିବା ଦେଖିବାକୁ ପାଇଥିଲେ। ଏପରିକି ଶିଶୁ କନ୍ୟାଟିର ଚାରି ପାଖରେ ଚାରି ଛଅଟି କୁକୁର ମଧ୍ୟ ବୁଲିଥିବା ସେ ଦେଖିଥିଲେ । ତତ୍କ୍ଷଣାତ ବସନ୍ତ ଶିଶୁ କନ୍ୟାଟିକୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରିଛନ୍ତି । ତେବେ ବସନ୍ତ ନିଃସନ୍ତାନ ହୋଇଥିବା ବେଳେ ସେ ନବଜାତ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ମତ ରଖିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ନବଜାତ ଶିଶୁ କନ୍ୟାଟିର ଉଚିତ ଚିକିତ୍ସା କରାଯାଇ ଆଇନତଃ ଶିଶୁ ସୁରକ୍ଷା ବିଭାଗ ତାର ଦାୟିତ୍ୱ ନେବା ସହ ପେପର୍ ପବ୍ଲିକେସନ୍ ମାଧ୍ୟମରେ ଶିଶୁ କନ୍ୟାଟିର ଦାବୀଦାରଙ୍କୁ ଖୋଜାଯିବ । ଯଦି କେହି ଦାବୀ ନ କରନ୍ତି ତେବେ ପରବର୍ତ୍ତି ସମୟରେ ସରକାରୀ ଆଇନ ଅନୁସାରେ ଯିଏ ଚାହିଁବ, ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବ ବୋଲି ସେ ମତ ରଖିଛନ୍ତି। ତେବେ କିଏ ଏହି ଶିଶୁ କନ୍ୟାକୁ ଛାଡ଼ି ଚାଲିଗଲା ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅବୈଧ ସନ୍ତାନ ଜନ୍ମ କରି କୌଣସି କୁଆଁରୀ ମା’ ଏହି ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ସାଧାରଣରେ ଆଲୋଚନା ହେଉଛି