ବଲାଙ୍ଗୀର ଟିଏମ୍ କାର୍ଡ ଠକେଇ: ଠକ ଗିରଫ

ସନ୍ତୋଷ କୁମାର୍ ପଟ୍ଟନାୟକ//ସାମ୍ବାଦିକ//ସମୀକ୍ଷା ନିୟୁଜ୍
ବଲାଙ୍ଗୀର, ତାରିଖ ୧୭.୪.୨୦୨୪ :
ସିନିଅର୍‌ ସିଟିଜନ୍‌ମାନଙ୍କୁ ଏଟିଏମ୍‌ରୁ ଟଙ୍କା କାଢ଼ି ସାହାଯ୍ୟ କରିବା ଆଳରେ ଏଟିଏମ୍‌ ଅଦଳ ବଦଳ କରି ଚତୁରତାର ସହ ଟଙ୍କା ହଡ଼ପ୍‌ କରୁଥିବା ଜଣେ ଯୁବକଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ। ଏ ସଂକ୍ରାନ୍ତରେ ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୫ ତାରିଖ ଦିନ ପ୍ରାୟ ଦିନ ୧୨ ଟା ସମୟରେ ବଲାଙ୍ଗିର ସହର ରମାଇପଡ଼ା ନିବାସୀ କ୍ଷୀତିଶ ରଂଜନ ମେହେର(୮୩) ଚନ୍ଦ୍ରଶେଖର ନଗରରେ ଥିବା ଏଟିଏମ୍‌ କାଉଣ୍ଟର୍‌କୁ ଟଙ୍କା କାଢ଼ିବା ପାଇଁ ଯାଇଥିଲେ। ଅଧିକ ବୟସ ଯୋଗୁଁ ଏଟିଏମ୍‌ରୁ ଟଙ୍କା କାଢ଼ିବାରେ ସେ ଅସୁବିଧାର ସମ୍ମୁଖୀନ ହେବା ବେଳକୁ ତାଙ୍କୁ ଜଣେ ଯୁବକ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଏଟିଏମ୍‌ କାର୍ଡ ଏବଂ ପିନ୍‌ କୋଡ୍‌ ମାଗିଥିଲେ ଓ ଯୁବକ ଜଣକ ଚତୁରତାର ସହ ଶ୍ରୀ ମେହେରଙ୍କ ଏଟିଏମ୍‌ କାର୍ଡକୁ ବଦଳାଇ ତାଙ୍କୁ ନିଜ ଏଟିଏମ୍‌ କାର୍ଡ ଦେଇ ଫେରାର୍‌ ହୋଇଯାଇଥିଲେ। ଏହାପରେ ଯୁବକ ଜଣକ ବଲାଙ୍ଗିର ସହରର ଭାଗୀରଥି ଛକ ସ୍ଥିତ ଏଟିଏମ୍‌ କାଉଣ୍ଟର୍‌ରୁ ଶ୍ରୀ ମେହେରଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି ୪୦ ହଜାର ଟଙ୍କା କାଢ଼ିବା ସହ କାର୍ଡ ବ୍ଯବହାର କରି ତାଙ୍କ ବାଇକ୍‌ରେ ୯ ଶହ ଟଙ୍କାର ପେଟ୍ରୋଲ ପକାଇଥିଲେ। ଶ୍ରୀ ମେହେର ତାଙ୍କ ଏଟିଏମ୍‌ ଜାଲିଆତି ସଂପର୍କରେ ଜାଣିବା ପରେ ଗତ ୬ ତାରିଖ ଦିନ ବଲାଙ୍ଗିର ଟାଉନ୍‌ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ । ଏହାପୂର୍ବରୁ ଏଭଳି ତିନି ଚାରୋଟି ଅଭିଯୋଗ ଟାଉନ୍‌ ଥାନାରେ ପହଂଚିଥିବା ଯୋଗୁଁ ଏହି ମାମଲାକୁ ଗୁରୁତ୍ୱ ସହକାରେ ଗ୍ରହଣ କରିଥିଲା ବଲାଙ୍ଗିର ଟାଉନ ପୋଲିସ। ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଅଭିଯୁକ୍ତ ଯୁବକଙ୍କୁ ସମ୍ବଲପୁରରୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ। ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ତୋରା ନିବାସୀ (୩୩) ବର୍ଷୀୟ ଜୟ ସରାଫ । ଏହି ଯୁବକଙ୍କ ଶ୍ୱଶୁର ଘର ଟିଟିଲାଗଡ଼ ସହରରେ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଘଟଣାରେ ସେ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହାପୂର୍ବରୁ ଜୟ ନାମରେ ବିଭିନ୍ନ ଥାନାରେ ୮ଟି ଏଭଳି ଠକେଇ ମାମଲା ରହିଥିବା କୁହାଯାଇଛି । ଅଭିଯୁକ୍ତ ଜୟ ସରାଫ୍‌ ଏଭଳି ନିରୀହ ସିନିଅର୍‌ ସିଟିଜନ୍‌ମାନଙ୍କୁ ଠକି ହାତଉଥିବା ଟଙ୍କାରେ ସୁନା ରୂପା କିଣି ନିଜ ପାଖରେ ରଖିଥିବା ପୋଲିସ ଆଗରେ ସ୍ବୀକାର କରିଛି । ଅଭିଯୁକ୍ତଜୟ ପାଖରୁ ନଗଦ ୪୧ ହଜାର ୬୮୫ ଟଙ୍କା, ଗୋଟିଏ ସୁନାର ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ୍‌, ୩ଟି ଏଟିଏମ୍‌ କାର୍ଡ, ଗୋଟିଏ ବୁଲେଟ୍‌ ଏବଂ ଅନ୍ୟ ଏକ ବାଇକ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ସହ ଆହୁରି ଅନେକ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍‌ ପୋଲିସ।

Leave a Reply

Your email address will not be published. Required fields are marked *