ସୌମ୍ୟ ରଞ୍ଜନ ସାହୁ // ସ୍ୱତନ୍ତ୍ର ପ୍ରତିନିଧି // ସମୀକ୍ଷା ନ୍ୟୁଜ
ଭୁବନେଶ୍ୱର,10/05/2024: ମେ ପ୍ରଥମ ସପ୍ତାହ ସରିଲାଣି l ତଥାପି ବଜାରରେ ମିଳୁନାହିଁ ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକ l ସିବିଏସଇ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଠପଢା ଅନଲାଇନରେ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଚଳିତ ପାଠ୍ୟପୁସ୍ତକ ବଜାରରେ ଉପଲବ୍ଧ ହେଉନାହିଁ l ତୃତୀୟ ଏବଂ ଷଷ୍ଠ ଶ୍ରେଣୀର ବହି ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ବଜାରରେ ନକଲି ପାଠ୍ୟପୁସ୍ତକ ବିକ୍ରି ହେଉଛି l ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନସିଇଆରଟି କର୍ତ୍ତୃପକ୍ଷ ଅନଲାଇନରେ କିଛି ପାଠ୍ୟପୁସ୍ତକ ଛାଡିଛନ୍ତି l ଆଉ ଏହାର ଫାଇଦା ନେଇ କେତେକ ପ୍ରକାଶନୀ ସଂସ୍ଥା ଏବେ ନିଜସ୍ୱ ଲୋଗୋ ଲଗାଇ ପାଠ୍ୟ ପୁସ୍ତକ ଛାପିବା ସହ ତାହାକୁ ବଜାରକୁ ଛାଡିଥିବା ନଜରକୁ ଆସିବା ପରେ ଏନସିଇଆରଟି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଭୁବନେଶ୍ୱରରେ ଚଢ଼ାଉ କରାଯିବା ସହ ତିନି ଜଣଙ୍କୁ ପୁଲିସ ଗିରଫ କରିଛି l ତା ‘ସତ୍ତ୍ୱେ ଆବଶ୍ୟକତା ଅନୁଯାୟୀ ବହି ନମିଳିବା ଏବେ ଏନସିଇଆରଟିର ପାରିବାପଣିଆ ନେଇ ପ୍ରଶ୍ନ ଉଠିଲାଣି l ଏନସିଇଆରଟି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ତୃତୀୟ ଶ୍ରେଣୀର ହିନ୍ଦୀ, ଇଂରାଜୀ ଓ ଉର୍ଦୁ ଭାଷାର ପାଠ୍ୟପୁସ୍ତକ ଏନସିଇଆରଟି ୱେବ୍ସାଇଟରେ ଉପଲବ୍ଧ ରହିଛି l ବିଦ୍ୟାଳୟ ଶିକ୍ଷା ଜାତୀୟ ପାଠଚର୍ଯ୍ୟା 2023 ରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରସ୍ତାବିତ ସମସ୍ତ 10ଟି ବିଷୟ ପାଇଁ ଏକ ମାସ ସଂଯୋଗ କାର୍ଯ୍ୟକ୍ରମ ୱେବ୍ସାଇଟରେ ରହିଛି l ଷଷ୍ଠ ଶ୍ରେଣୀର ନୂତନ ପାଠ୍ୟପୁସ୍ତକ ବ୍ୟବହାର ପୂର୍ବରୁ ମୌଳିକ କିମ୍ବା ସଂଯୋଗ କାର୍ଯ୍ୟକ୍ରମ ଜରୁରୀ l ପିଲାମାନେ ସେମାନଙ୍କର ମୌଳିକ ଓ ଏକ ମାସ ସଂଯୋଗ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ନୂତନ ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ l ସେତେବେଳକୁ ସେମାନଙ୍କ ପାଇଁ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଥିବ l ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ନୂତନ ପାଠ୍ୟପୁସ୍ତକ ଏବଂ ସପ୍ତମ, ଅଷ୍ଟମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ଛପା ଯାଇଛି l ଚତୁର୍ଥ, ପଞ୍ଚମ,ନବମ ଓ ଏକାଦଶ ଶ୍ରେଣୀର ଅଧିକାଂଶ ପାଠ୍ୟପୁସ୍ତକ ପ୍ରକାଶ ପାଇଛି ଏବଂ ମେ 31 ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ହେବ l ଏହି ପାଠ୍ୟପୁସ୍ତକ ଗୁଡିକର ଡିଜିଟାଲ ସଂସ୍କରଣ ଏନସିଇଆରଟି ୱେବ୍ସାଇଟ, ଦୀକ୍ଷା ଓ ଇ-ପାଠଶାଳା ସହ ମୋବାଇଲ ଆପରେ ମଧ୍ୟ ଉପଲବ୍ଧ ହେଉଛି l ଛାତ୍ରଛାତ୍ରୀ ଅଭିଭାବକ ଏହାକୁ ସହଜ ଓ ମାଗଣାରେ ଡାଉନଲୋଡ଼ କରିପାରିବେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏନସିଇଆରଟିର ବିଳମ୍ବିତ ପାଠ୍ୟପୁସ୍ତକ ପ୍ରକାଶନର ଫାଇଦା ନେଇ କେତେକ ପ୍ରକାଶନୀ ସଂସ୍ଥା ପାଠ୍ୟପୁସ୍ତକର ନକଲ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି l ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ଏନସିଇଆରଟିର କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷାବିତମାନେ ପ୍ରଶ୍ନ ଉଠାଇଲେଣି l ସେମାନଙ୍କ କହିବା କଥା ହେଉଛି ଯେ ଏନସିଇଆରଟି ୱେବ୍ସାଇଟରେ ପାଠ୍ୟପୁସ୍ତକ କପି ରହିଥିବାରୁ ପ୍ରକାଶନୀ ସଂସ୍ଥାଗୁଡିକ ପାଠ୍ୟପୁସ୍ତକକୁ ନକଲ କରି ପ୍ରକାଶ କରୁଛନ୍ତି l ଏହାଦ୍ୱାରା କପିରାଇଟ ଆଇନ ଉଲଂଘନ ହେଉଥିବା ଠିକ l ମାତ୍ର ପିଲାମାନେ କିଭଳି ଉପକୃତ ହେବେ ଏବଂ ଠିକ ସମୟରେ ବହି ପାଇବେ ସେ ଦିଗରେ ଏନସିଇଆରଟି କଣ ପଦକ୍ଷେପ ନେଉଛି, ତାହା ବି ଦେଖିବା କଥା l ନହେଲେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଯେଉଁଭଳି ହଇରାଣ ହେଉଛନ୍ତି ତାହା ଚିନ୍ତାର ବିଷୟ l କାରଣ 2024-25 ଶିକ୍ଷାବର୍ଷର ଗୋଟିଏ ମାସ ପାଠ ପଢା ସାରିଲାଣି l ଯଦି ଠିକ ସମୟରେ ବହି ନମିଳେ ତାହେଲେ ପିଲାମାନେ ହିଁ ଅସୁବିଧାରେ ପଡିବେ ଓ ସେମାନଙ୍କ ଭବିଷ୍ୟତ ପ୍ରଭାବିତ ହେବ l