ବାଂଶପାଳ : ଲୋକେ ମୌଳିକ ସୁବିଧାରୁ ବଞ୍ଚିତ

କେଉଁଝର ୧୫/୨ /୨୦୨୪ (ଅଞ୍ଜନ କୁମାର ରଣା, ସ୍ୱତନ୍ତ୍ର ପ୍ରତିନିଧି ) : ସରକାରୀ ଯୋଜନା ସମ୍ପୂର୍ଣ ଅପହଞ୍ଚ ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରାୟଗୋଡ଼ା ପଞ୍ଚାୟତ ଆମୁଣି ଗ୍ରାମର ଭରାଳି ସାହିରେ ବର୍ଷତମାମ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ଲୋକ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି l ପାଣି ପାଇଁ ଗ୍ରାମର ମହିଳା ମାନେ ୩ କିଲୋମିଟର ଦୂର ପାଦରେ ଚାଲିଚାଲି ବ୍ରାହ୍ମଣୀ ନାଳକୁ ଯାଉଥିବା ଦୃଶ୍ୟ ଦେଖି ପାରୁଥିବେ l ତେବେ 60 ଟି ପରିବାର କୁଁ ନେଇ ଆମୁଣି ଗ୍ରାମର ଭରାଳ ସାହି ଗଠିତ ହୋଇଥିବା ବେଳେ ଦେଢ଼ ଶହ ପାଖାପାଖି ଲୋକ ସେଠାରେ ରହି ଆସୁଛନ୍ତି l ବର୍ଷ ବର୍ଷ ଧରି ସାହିବାସି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି l ସାହିର ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି ଏବଂ ଚିକିତ୍ସା, ସାହିରେ ପାଣି ପାଇଁ ନଳକୂପ ଟିଏ ନଥିବାରୁ ଗାଁର ମହିଳା ମାନେ ଚାଲି ଚାଲି ୩ କିଲୋ ମିଟର ଦୂର ବ୍ରାହ୍ମଣୀ ନାଳକୁ ଯାଇ ପାଣି ସଂଗ୍ରହ କରୁଛନ୍ତି ଏବଂ ସେହି ନାଳ ପାଣି ପିଇ ବର୍ଷତମାମ ଶୋଷ ମେଣ୍ଟାଉଛନ୍ତି l ଦୂଷିତ ପାଣି ବ୍ୟବହାର କରି ଲୋକ ବିଭିନ୍ନ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି l ସେହିପରି ଗାଁକୁ ନା ଅଛି ଖଣ୍ଡେ ଭଲ ମାଟି ରାସ୍ତା ନା ଅଛି ପକ୍କା ସଡ଼କ, ନଥିବା ହେତୁ ଗାଡ଼ି ମୋଟର ଯିବା ସମ୍ଭବ ହୋଇନଥାଏ l ଗାଁରେ କେହି ଅସୁସ୍ଥ ହେଲେ ହେଲେ ତାଙ୍କୁ ବୋହି କରି ଚାରି କିଲୋମିଟର ଦୂର ଆଁରା ନଚେତ ଆମୁଣି ଗ୍ରାମ ପର୍ଯ୍ୟନ୍ତ ଅଣା ଯାଇଥାଏ l ସେଠାରୁ ବିଭିନ୍ନ ଗାଡ଼ି ଏବଂ ସରକାରୀ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆ ଯାଏ ବୋଲି ପ୍ରକାଶ କରିଛନ୍ତି ସାହିବାସି l କାଁଭାଁ କିଛି ପିଲାଙ୍କୁ ଛାଡି ଦେଲେ ଅନେକ ପିଲା ଛୁଆ ଅଙ୍ଗନବାଡି ଓ ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି l ସାହିବାସି ଏହି ସବୁ ସମସ୍ୟା କୁ ନେଇ ସେମାନେ ଅନେକ ଥର ବ୍ଲକ ପ୍ରଶାସନକୁ ଜଣାଇଛନ୍ତି l କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେଇଥିବାରୁ ସମ୍ପୂର୍ଣ ମାତ୍ରାରେ ଭାଙ୍ଗି ପଡିଛନ୍ତି l ସେପଟେ ନିର୍ବାଚନ ସମୟରେ ପ୍ରଚାର ପାଇଁ ଆସୁଥିବା ନେତା ମାନେ ସାହିର ସମସ୍ୟାକୁଁ ସ୍ୱଚକ୍ଷୁରେ ଦେଖିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଇଥାନ୍ତି, ହେଲେ କୌଣସି ସେପରି ପଦକ୍ଷେପ୍ ନିଆଯାଉ ନାହିଁ l ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ସାହିବାସି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l ସେପଟେ ସୋମବାର ଦିନ ବାଂଶପାଳ ବ୍ଲକ ଠାରେ ‘ଜିଲ୍ଲାସ୍ତରୀୟ ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଅତିରିକ୍ତ ଏସପି, ସିଡିଏମ୍ଓ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଏବଂ ବାଂଶପାଳ ବିଡିଓ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ହେଲେ ଏହି ସାହି ପ୍ରତି କାହିଁକି ବିଡ଼ିଓ ମହାଶୟ ଦୃଷ୍ଟି ଦେଉ ନାହାନ୍ତି ଏହା ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଆଗକୁ ଦେଖିବାକୁ ବାକି ରହିଲା କି ପ୍ରକାର ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଏହି ସାହି ଉପରେ ଦୃଷ୍ଟି ଦେଉଛନ୍ତି,, କେନ୍ଦୁଝର ରୁ ଅଞ୍ଜନ କୁମାର ରଣା

Leave a Reply

Your email address will not be published. Required fields are marked *