ଅନନ୍ତ ଟୁଡୁ //ଯୋଡ଼ା ପ୍ରତିନିଧି // ସମୀକ୍ଷା ନିୟୁଜ
ଚମ୍ପୁଆ- ୨୭|୨ : ସମାଜସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଚମ୍ପୁଆ ଉପଖଣ୍ଡର ସ୍ୱେଚ୍ଛାସେବୀ ସଂଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ କୁ “ସେବାରତ୍ନ ସମ୍ମାନ- ୨୦୨୪” ରେ ସମ୍ମାନିତ କରିଛନ୍ତି କେନ୍ଦୁଝର ସମାଜସେବୀ ମହାସଂଘ । ଏହି ଅବସରରେ ଟ୍ରଷ୍ଟ୍ ର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ, ଉପସଭାପତି ରାଜକୁମାର ପାତ୍ର, ଆଇନଜୀବୀ ସଞ୍ଜୟ କୁମାର ମହାନ୍ତ, ସୌମ୍ୟରଞ୍ଜନ ଘଣା ଓ ମାନସ ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥିଲେ । ପ୍ରକାଶ ଥାଉ କି, ଚଳିତ ମାସ ୨୫ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଘଟଗାଁ ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତ ଠାରେ କେନ୍ଦୁଝର ସମାଜସେବୀ ମହାସଂଘ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡ଼ଃ ମୁକ୍ତିକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ମହାସଂଘ ସଦସ୍ୟ ମାନସ ରଞ୍ଜନ ପଣ୍ଡାଙ୍କ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଅତିଥି ମାନେ ପ୍ରଥମେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ତଥା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଚତୁର୍ଥ ବାର୍ଷିକୋତ୍ସବ ଅବସରରେ ସମାଜସେବା କ୍ଷେତ୍ରରେ ଅତୁଳନୀୟ ସେବା ପ୍ରଦାନ କରୁଥିବା ଜିଲ୍ଲା ତଥା ଜିଲ୍ଲା ବାହାରର ସମାଜସେବୀ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ କୁ ସେବାରତ୍ନ ସମ୍ମାନରେ ସମ୍ମାନିତ କରିଥିବାରୁ କେନ୍ଦୁଝର ସମାଜସେବୀ ମହାସଂଘର ସମସ୍ତ ସଦସ୍ୟ-ସଦସ୍ୟା ମାନଙ୍କୁ ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ କୃତଜ୍ଞତା ଜ୍ଞାପନ କରିବା ସହିତ ଏହା ଆଗାମୀ ଦିନରେ ସମାଜରେ ରହୁଥିବା ଅସହାୟ ମାନଙ୍କ ପାଇଁ ଅଧିକରୁ ଅଧିକ ସେବା ଯୋଗାଇବାକୁ ପ୍ରେରଣାର ଉତ୍ସ ସାଜିବ ବୋଲି ମତବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ଟ୍ରଷ୍ଟ୍ ସହ ସଦାସର୍ବଦା ଜଡ଼ିତ ଥିବା ବନ୍ଧୁ ତଥା ଶୁଭାକାଂକ୍ଷି ମାନଙ୍କୁ ସାଧୁବାଦ ଦେବା ସହ ଏହା ଟ୍ରଷ୍ଟ୍ ପ୍ରତି ସେମାନଙ୍କ ନିରନ୍ତର ଭଲପାଇବା, ସହଯୋଗ ଓ ଆଶିର୍ବାଦ ପାଇଁ ସମ୍ଭବପର ହୋଇପାରିଛି ବୋଲି ଉପଦେଷ୍ଟା ସୂଚନା ଦେଇଛନ୍ତି ।