ଶେରଗଡ଼କୁ ଏନଏସି ମ୍ୟାନତା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଗଞ୍ଜାମ(ନୀଳାଞ୍ଚଳ ମହାପାତ୍ର): ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ ବିକାଶମୂଳକ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ସେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ମିଳୁଥିବା ଲାଭ ବିଷୟରେ ସୂଚନା ଦେଇଥିଲେ। ମମତା ଯୋଜନାରେ ସହାୟତା ଅର୍ଥକୁ ସରକାର ୨ ଗୁଣା କରିଛନ୍ତି। ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି ମମତା ଯୋଜନା ସହାୟତା। ସେହିପରି ଆସନ୍ତା ୨୧ ତାରିଖରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଲକ୍ଷ୍ମୀ ଯୋଜନାରେ ମାମାନଙ୍କ ଲାଗି ଟିକେଟର ମୂଲ୍ୟ ମାତ୍ର ୫ ଟଙ୍କା ରହିଛି। ମଧୁବାବୁ ଭତ୍ତା ୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ଏହାସହ ପିଲାମାନଙ୍କୁ ନୂଆ-ଓ ସ୍କଲାରସିପ୍, BSKY ଯୋଜନାରେ ମିଳୁଥିବା ଲାଭ ବିଷୟରେ ସୂଚନା ଦେଇଥିଲ। ସ୍ଵୟଂ ଯୋଜନାରେ ଯୁବକଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ସହ ମହିଳାଙ୍କୁ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣପ୍ରଦାନ କରାଯାଉଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଏହି ପ୍ରୟାସରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ନୂଆ ରୂପ ନେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଛି। ସେହିପରି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହିଂଜିଳି ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତରଣ କାମ ସରିଛି। ଏହି ସବୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ନିଜେ ଭାଗ ନେଇଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଲୋକଙ୍କ ସହଯୋଗରେ ହିଂଜିଳି ଶେରଗଡ଼ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ହୋଇପାରିଛି। ବିକାଶ କ୍ଷେତ୍ରରେ ହିଂଜିଳି ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ ଭାବରେ ଉଜ୍ଜଳ ପରିଚୟ ସୃଷ୍ଟି କରିଛି। ହିଂଜିଳି ଶେରଗଡ଼ର ସବୁ ଘରକୁ ପାଇପ ପାଇଁ ଓ ସବୁ ଚାଷ ଜମିକୁ ଜଳସେଚନ ଲାଗି ବ୍ୟବସ୍ଥା କରାଯାଉଛି। ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲ ରୂପାନ୍ତରଣ କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫାଇଭ-ଟି ଉଦ୍ୟମରେ ଏହିସବୁ ରୂପାନ୍ତରଣ କାମ ଲୋକେ ପସନ୍ଦ କରିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *