ଅନନ୍ତ ନାରାୟଣ ମହାନ୍ତି//ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ବ୍ରହ୍ମପୁର(୦୯-୦୩-୨୦୨୪) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍ ଚଳାଚଳ କରିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଆପଣଙ୍କ ସହରରେ ମୋ ବସ୍ ସେବା ଆରମ୍ଭ ହେଲା । ଏହାଦ୍ୱାରା ଆପଣମାନେ ସହର ଭିତରେ ଏବଂ ଆଖପାଖ ଅଞ୍ଚଳକୁ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ଯିବାଆସିବା କରି ପାରିବେ। ମୋ ବସ୍ ପାଇଁ ଉଭୟ କ୍ୟାସ୍ ଓ ଡିଜିଟାଲ ମୋଡ୍ରେ ପେମେଣ୍ଟ ବ୍ୟବସ୍ଥା ସହିତ ‘ମୋ ବସ୍ କାର୍ଡ ଟ୍ୟାପ ଆଣ୍ଡ ପେ’ ସୁବିଧା କରାଯାଇଛି ବୋଲି କହି ଏଥିରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମଧ୍ୟ ସେ କହିଥିଲେ।
ସମ୍ବଲପୁର ମୋ ବସ୍ ଗୁଡିକରେ ୯୦ ପ୍ରତିଶତ କଣ୍ଡକ୍ଟର ଭାବେ ମା’ମାନଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କମ୍ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ମୋ ବସ ସେବାର ଲକ୍ଷ୍ୟ ବୋଲି ସେ କହିଥିଲେ। ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍ ସେବା ସୁବିଧା ମିଳିବ ବୋଲି ସେ ଘୋଷଣା କରିଥିଲେ। କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକୟେନ ପାଣ୍ଡିଆନ ସଂଯୋଜନା କରିଥିଲେ।