ଯାଜପୁର: ୪୦ବର୍ଷ ଧରି ସୁକିନ୍ଦା ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେଉଥିବା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ନିରବ। ଶରତଙ୍କ ନିରବତା ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ଗତ ତିନୋଟି ନିର୍ବାଚନରେ ବିରୋଧୀ ଭୋଟ ଭାଗଭାଗ ହେବା ଯୋଗୁ ବିଜେଡିର ବିଜୟ ସମ୍ଭବ ହୋଇଥିଲା। ୨୦୧୪ରେ ସୁକିନ୍ଦାରେ ସ୍ବାଧୀନ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ୧୭,୯୨୭ଭୋଟ, ଆମ ଓଡ଼ିଶା ପାର୍ଟିର ଆଦିବାସୀ ଯୁବନେତା ରବି ଜାରିକା ୬,୩୧୪ଭୋଟ ଓ ବିଜେପିର ଅଭିନ୍ନ କୁମାର ହୋତା ୩,୭୩୮ଭୋଟ ପାଇଥିଲେ। ଫଳରେ ଶ୍ରୀ ରାଉତ ୪,୭୦୪ଭୋଟ ବ୍ୟବଧାନରେ ଇଂ ପ୍ରୀତିରଞ୍ଜନ ଘଡ଼େଇଙ୍କ ଠାରୁ ହାରିଥିଲେ। ୨୦୧୯ରେ ଶ୍ରୀ ବଳସାମନ୍ତ ବିଜେପିରୁ ଲଢ଼ିବାରୁ ଶ୍ରୀ ରାଉତ ତୃତୀୟ ସ୍ଥାନକୁ ଚାଲିଗଲେ। ଶ୍ରୀ ରାଉତ ୧୮ ହଜାର ଭୋଟ ପାଇଥିବା ବେଳେ ପ୍ରୀତିରଞ୍ଜନ ଘଡ଼େଇ ୧୬,୭୩୦ ଭୋଟ ବ୍ୟବଧାନରେ ଜିତିଥିଲେ। ସୁକିନ୍ଦାର ୪୦ବର୍ଷ ରାଜନୀତି ମଧ୍ୟରେ ଶ୍ରୀ ରାଉତ ୧୯୮୫ରେ ବିଜୟ ହୋଇ ସର୍ବକନିଷ୍ଠ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ଏହାପରଠାରୁ ସେ ଲଗାତର ହାରୁଛନ୍ତି। ସୁକିନ୍ଦା ରାଜନୀତିରେ କଂଗ୍ରେସ ଶ୍ରୀ ରାଉତଙ୍କୁ ଛାଡ଼ି ଅନ୍ୟ କାହାରିକୁ ସୁଯୋଗ ଦେଇ ନାହିଁ। ତେଣୁ ଏଥର ଶରତ ନଲଢ଼ିଲେ କଂଗ୍ରେସରୁ କିଏ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଖଣିଖାଦାନ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିବା କଂଗ୍ରେସର ପୂର୍ବତନ ନେତା ଅମଳେନ୍ଦୁ ବେହୁରା ଏବେ ବିଜେପି ଶିବିରରେ ସକ୍ରିୟ। ଏହି ଦୃଷ୍ଟିରୁ ଏଥର ବିରୋଧୀ ଭୋଟ ଭାଗଭାଗ ହେବା ସମ୍ଭାବନା କ୍ଷୀଣ। ଏହା ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ୩୫ବର୍ଷ ହେଲା ପ୍ରଫଲ୍ଲ ଘଡ଼େଇ ଓ ତାଙ୍କ ପୁଅ ଇଂ ପ୍ରୀତିରଞ୍ଜନ ଘଡ଼େଇ ସୁକିନ୍ଦାର ନେତୃତ୍ବ ନେଇଆସିଛନ୍ତି।