ଦୁର୍ଗା ପ୍ରସାଦ ଦାଶ //ଜିଲ୍ଲା ପ୍ରତିନିଧି
୫/୪/୨୪ (ସମୀକ୍ଷା ନ୍ୟୁଜ )ଖୋର୍ଦ୍ଧା : ଚୈତ୍ର ମାସରେ ମୃଦୁ ମଳୟ ବହିଲେ ଓଡିଶାର ଗାଁ ଗୁଡିକ ହୋଇଉଠେ ଉତ୍ସବ ମୁଖର lକେଉଁ ଗାଁରେ ଦ୍ବି ଦୋଳ ତ କେଉଁ ପଡାରେ 5 ଦୋଳ ଅନୁଷ୍ଠିତ ହୋଇ ଥାଏ lଏପରିକି କେତେକ ଅଞ୍ଚଳରେ ଦଶଦୋଳ ଅନୁଷ୍ଠିତ ହେବାର ପରମ୍ପରା ରହିଛି lସେହି ଦଶଦୋଳ ଯାତ୍ରା ମାନଙ୍କ ମଧ୍ୟରେ ଚାନ୍ଦପୁର ଦଶଦୋଳର ରହିଛି ଢେର ସାରା ମହତ୍ୱ l
ଦେଶ ସ୍ୱାଧୀନତା ଲାଭ କରିବା ପୂର୍ବରୁ ରଣପୁର ରାଜାଙ୍କ
ଅଧୀନରେ ଚାନ୍ଦପୁର ଅଞ୍ଚଳ ରହିଥିଲା l
ସେତେବେଳେ ରଣପୁର ରାଜ୍ୟରେ
ରାଜା କୃଷ୍ଣ ଚନ୍ଦ୍ର ନରେନ୍ଦ୍ର ରାଜା ଭାବେ ରାଜ୍ୟ ଶାସନ କରୁଥିଲେ lସେହି ସମୟରେ ବ୍ରିଟିଶ
ଶକ୍ତି ବିରୋଧରେ ରଣପୁର ର ବୀର ପାଇକ ମାନେ ଲଢେଇ କରି ଓଡିଶା ପ୍ରଦେଶ ରେ ବେଶ ନାଁ କମେଇ ଥିଲେ l
ସେହି ବୀରମାନଙ୍କର ଭାବା ବେଗ ସହ ସ୍ଥାନୀୟ ଅଞ୍ଚଳରେ ଭାଈଚାରା ବୃଦ୍ଧି କରିବାପାଇଁ
ତତ୍କାଳୀନ ରାଜା କୃଷ୍ଣ ଚନ୍ଦ୍ର ନରେନ୍ଦ୍ର 1936 ମସିହା ଚୈତ୍ର ମାସର ଦଶମୀ ତିଥି ରେ ଚାନ୍ଦପୁର ଦଶଦୋଳ ପଡିଆରେ ଆୟୋଜନ କରିବା ପାଇଁ ଗେଜେଟ ପ୍ରକାଶ କରିଥିଲେ l
ଚୈତ୍ର ମାସର ଦଶମୀ ତିଥିରେ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟକ୍ଷ ଠାକୁରାଣୀ ମା ରାମଚଣ୍ଡୀଙ୍କୁ ପାଟ ପଟୁଆରରେ ରୋଷଣୀ କରି ଶୋଭାଯାତ୍ରାରେ ପାଛୋଟି ନିଆଯାଇଥାଏ ଦୋଳ ପଡିଆକୁ l
ଦୋଳ ପଡିଆରେ ମା ରାମଚଣ୍ଡୀ ପ୍ରଥମେ ଉପବେଷନ ହେବା ପରେ କନ୍ଧ ନୟାଗଡ଼ର ଐସାନେଶ୍ୱର ଦେବ ପାଟ ପଟୁଆରରେ ଆସି ଦୋଳ ପଡିଆରେ ବିରାଜ ମାନ କରନ୍ତି lଏହା ପରେ ନିମନ୍ତ୍ରଣ କରାଯାଇଥିବା 13 ମୌଜା ଯଥା ଭଜାଗଡ଼ ର ବାଲୁଙ୍କେଶ୍ୱର ଦେବ, ଜଙ୍କିଆର ଶ୍ରୀ ରାମଲାଲ ଜୀଉ,ଚମ୍ପାଗଡ଼ର ପତିତପାବନ ଦେବ, ଓସ୍ତପଡାର ବାଲୁଙ୍କେଶ୍ୱର ଦେବ, ନାକିଠଣାର ବାଲୁଙ୍କେଶ୍ୱର ଦେବ, ଚମ୍ପାପେଡ଼ିର ବାଙ୍କୀନିଧିଦେବ, ଜେମାଦେଇପୁରର ପତିତପାବନଦେବ ଆଦି 22 ଠାକୁର ଦୋଳ ବିମାନରେ ଆସି ବିରାଜ ମାନ କରନ୍ତି ଦଶଦୋଳ ପଡିଆରେ l
ଦଶମୀ ପରଦିନ ଏକାଦଶୀ ତିଥିରେ ମଧ୍ୟାହ୍ନ ସମୟରେ ସମସ୍ତ ଆମନ୍ତ୍ରିତ ଦେବl ଦେଵୀ ମାନଙ୍କୁ ଦଶଦୋଳ କମିଟି ପକ୍ଷରୁ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ସମୟରେ ସନ୍ଧ୍ୟା ଧୂପ ଆଳତି ସହ ଭୋଗ ଲାଗି କରାଯାଇଥାଏ l
ସନ୍ଧ୍ୟା ସମୟରେ ବିଭିନ୍ନ ଦୋକାନ ବଜାରରେ ଲାଗିଥାଏ ଲୋକ ମାନଙ୍କର ପ୍ରବଳ ଭିଡ଼ l କିଏ ନିଜର ଘର ପାଇଁ ଘର କରଣା ସାମଗ୍ରୀ କିଣି ଥାଏ ତ କିଏ ପୁଣି ଚାଟ ଗୁପଚୁପ ଠୁଙ୍କା ପୁରୀର ଗରମ ଗରମ ମାଜା ନେଇଥାଏ l
ଛୋଟ ଛୋଟ ପିଲାମାନେ ମଧ୍ୟ୍ୟ ବିଭିନ୍ନ ଦୋଳିରେ ବସି ବାପ ମାଙ୍କ ସହ ମଜା ନେଇଥାନ୍ତି l
ସନ୍ଧ୍ୟା ସମୟ ବିରତି ହେବା ପରେ ଆରମ୍ଭ ହୋଇଥାଏ ଆତଶବାଜିର ପରମ୍ପରା lରଙ୍ଗ ବେରଙ୍ଗର ଆତଶବାଜିରେ ଆକାଶ ହୋଇ ଉଠେ ରଙ୍ଗୀନ l ଲୋକେ ଏହାର ଭରପୁର ମଜା ନିଅନ୍ତି lଏହା ପରେ
ଠାକୁର ମାନଙ୍କର ହୋଇଥାଏ ମେଳଣ କାର୍ଯ୍ୟକ୍ରମ lଠାକୁର ମାନଙ୍କର ମେଳଣ ଦୃଶ୍ୟ ଅତି ମନଲୋଭା ହୋଇଥାଏ lଏହି ସମୟରେ ମଧ୍ୟ୍ୟ ଅବିର ଖେଳର ରହିଛି ପରମ୍ପରା l
ଠାକୁର ମାନଙ୍କୁ ଅବିର ଲାଗି. କରି ଭକ୍ତ ମାନେ କୃତ୍ୟ କୃତ୍ୟ ହୁଅନ୍ତି l ରଣପୁର ତହସିଲ ପ୍ରଶାସନ ଓ ଦଶଦୋଳ କମିଟି ପକ୍ଷରୁ ଏହି ଦୋଳଯାତ୍ରା ଆୟୋଜନ କରାଯାଇଆସୁଛି l
ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସରକାର ନିହାତି ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି l