୨୩/୩/୨୪
ପଞ୍ଚାନନ ବେହେରା
ସ୍ତମ୍ଭକାର,ବାଲେଶ୍ୱର
ଜଳ ପ୍ରସଙ୍ଗକୁ ନେଇ ବିଶ୍ୱବାସୀ ସମ୍ପ୍ରତି ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ବିଶ୍ୱର ବହୁ ସ୍ଥାନରେ ଜଳ ଏକ ଦୃଷ୍ପ୍ରାପ୍ୟ ଦ୍ରବ୍ୟରେ ପରିଣତ ହୋଇଛି ତ କେତେବେଳେ ବନ୍ୟା ରୂପରେ ଜଳର ପ୍ଲାବନ ବିରଭୀଷିକାମୟ ପରିସ୍ଥିତି ସୃଷ୍ଟି କରୁଛି l ବର୍ଦ୍ଧିତ ଜଳ ଆବଶ୍ୟକତାର ପୂରଣ ନିମନ୍ତେ ବହୁ ନଦୀ, ହ୍ରଦ ପରି ଜଳର ଉତ୍ସ ସବୁ ଚାପଗ୍ରସ୍ତ ହେଉଛନ୍ତି ଏବଂ ନକାରାତ୍ମକ ମାନବୀୟ କାର୍ଯ୍ୟ କଳାପରେ ଶୁଷ୍କ ପ୍ରଦୂଷିତ ପଦାର୍ଥ ଏଥି ମଧ୍ୟରେ ପ୍ରବେଶ କରି ଜଳର ଗୁଣାତ୍ମକ ମାନରେ ଅବନତି ଘଟାଉଛନ୍ତି l ଉତ୍କଟ ଜଳଭାବ ସମସ୍ୟା କେବଳ ମଣିଷ ମାନଙ୍କୁ କ୍ଷତିଗ୍ରସ୍ତ କରୁନାହିଁ, ବୃକ୍ଷଲତା, ଜୀବଜନ୍ତୁମାନେ ମଧ୍ୟ ବିପଜ୍ଜନକ ପରିସ୍ଥିତିରେ ଉପନୀତ ହୋଇଛନ୍ତି, ଦୈନଦିନ ଚାହିଦା ମେଣ୍ଟାଇବା ନିମନ୍ତେ ବେଙ୍ଗାଲୁର ପ୍ରତିଦିନ ପ୍ରାୟ ୧୪୫୦ ନିୟୁତ ଲିଟର ଜଳ କାବେରୀ ନଦୀରୁ ଏବଂ ଅତିରିକ୍ତ ୨୦୦ ନିୟୁତ ଲିଟର ଜଳ ଭୁତଳ ଉତ୍ସରୁ ଆବଶ୍ୟକ କରେ l ମାତ୍ର ୨୦୨୩ ରେ ମୌସୁମୀ ବର୍ଷା ଜଳର ସ୍ୱଳ୍ପତା ନଳକୂପ ମାନଙ୍କରେ ଜଳ ଉପଲବ୍ଧି ରେ ହ୍ରାସ ଏବଂ ତନ୍ମଧ୍ୟ ରୁ ଅନେକ ଶୁଷ୍କ ହୋଇଯିବା କାରଣରୁ ହିଁ ଗ୍ରୀଷ୍ମରୁତୁ ର ପରମ୍ଭରୁ ଏପରି ଜଳ ସଂକଟର ଭୟାନକ ଚିତ୍ର ଦୃଶ୍ୟମାନ ହେଉଛି l ସମ୍ପ୍ରତି ଉତ୍ତରପ୍ରଦେଶ ର ଗାଜିଅବାଦ ସହରରେ ଭୁତଳ ଜଳ ଉଦବେଗ ଜନକ ସ୍ତରରେ ପହଂଚିବା ପରେ ଜଳ ସଙ୍କଟ ତୀବ୍ର ହୋଇଛି ଏବଂ ସମଗ୍ର ସହରକୁ “ରେଡ ଜୋନ “ରୂପେ ଘୋଷିତ କରାଯାଇଛି l ଏହା ଠାରୁ ଅଧିକ ଗମ୍ଭୀର ପରିସ୍ଥିତି ଉପୁଜିଥିଲା ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକାର ରାଜଧାନୀ କେପ ଟାଉନ ସହରରେ, ଯାହା ଏପରି ‘ଶୂନ୍ୟଜଳ ‘ ଅବସ୍ଥାରେ ଉପନୀତ ହୋଇଥିଲା ଯେ ଜଳ ଯୋଗାଣ ଟ୍ୟାପ ରୁ ବୁନ୍ଦାଏ ବି ପାନୀୟ ଜଳ ଉପଲବ୍ଧ ହେଉ ନଥିଲା, ଏପରି ଜଳ ସଂକଟକୁ ସ୍ଥାନୀୟ ସରକାର ଜାତୀୟ ଜରୁରୀକାଳୀନ ପରିସ୍ଥିତି ର ମାନ୍ୟତା ପ୍ରଦାନ କରିଥିଲେ l ଏହି ବିପର୍ଯୟ ରୁ ‘କେପଟାଉନ ‘ଅଧିବାସୀ ଶିକ୍ଷାଲାଭ କରି ଜଳ ସଂରକ୍ଷଣ ର ନୂତନ ଅଭ୍ୟାସ ଅବଲମ୍ବନ ଏବଂ ଜଳ ଉତ୍ସ ସନ୍ଧାନ କରିବାରେ ଉତ୍ସାହିତ ହେଲେ l ଅଧୁନା ବିଳାସମୟ ଜୀବନ ଯାପନ, ପୃଥିବୀର ତାପମାତ୍ରା ବୃଦ୍ଧି, ଜଳା ବାୟୁ ର ପରିବର୍ତ୍ତନ, ଜଳ ଉତ୍ସସବୁ ର ପ୍ରଦୂଷଣ ଏବଂ ମରୁଡି ପରିସ୍ଥିତି ର ସମ୍ମୁଖୀନ ହେବା ବିଶ୍ୱ ସ୍ତରରେ ଜଳ ସଙ୍କଟ କୁ ଅଧିକ ଘନୀଭୂତ କରିବା ସହ ବର୍ଦ୍ଧିତ ଜନ ସଂଖ୍ୟାର ଆବଶ୍ୟକ ଜଳ ଉପଲବ୍ଧତାକୁ ଏକ ଅପ୍ରାପ୍ତ ମରୀଚିକାରେ ପରିଣତ କରିଛି l
ପୃଥିବୀରେ ଯଦିଓ ଜଳର ପ୍ରାଚୁର୍ଯ୍ୟ ଭରି ରହିଛି, କିନ୍ତୁ ମଧୁର ଜଳ ଚାହିଦାରେ ଦୃତ ବୃଦ୍ଧି, ସୀମିତ ଉତ୍ସ ଏବଂ ସେ ସବୁର ପ୍ରଦୂଷଣ ଓ ଗୁଣବର୍ତ୍ତାର ଅବନତି ଜଳକୁ ନେଇ ବିବାଦ ର ସୂତ୍ରପାତ କରେ ଏବଂ ସ୍ଥଳ ବିଶେଷରେ ହିଂସାତ୍ମକ ଘଟଣା ଘଟାଇଥାଏ l ଦକ୍ଷିଣ ଆଫ୍ରିକାର ଜଳ ବ୍ୟବହାର କୁ ନେଇ ଉପକୂଳବର୍ତ୍ତୀ ୧୧ ଟି ରାଷ୍ଟ୍ର ମଧ୍ୟରେ ଗମ୍ଭୀର ବିବାଦ ଲାଗିରହିଛି l ଜନସଂଖ୍ୟା, ତାପମାତ୍ରା ଏବଂ ଜଲବ୍ୟବହାର ବୃଦ୍ଧି ହେତୁ ଜଳ ସଂକଟ ର ଚାପ ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାକଳିତ ହୋଇଛି, ଭାରତ ବର୍ଷରେ ଜଳ ବଣ୍ଟନ କୁ ନେଇ ରାଜ୍ୟମାନଙ୍କ ମଧ୍ୟରେ ବହୁ ଗୁରୁତ୍ୱର ସମସ୍ୟା ଦୀର୍ଘ ସମୟ ଧରି ଲାଗି ରହିଛି, ଏପରିକି ଦୃଶ୍ୟ ପଛରେ ଆମର ବହୁ ମୁଲ୍ୟ ଜଳ ଉତ୍ସ ସବୁର ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ଏକଜୁଟ ହେବା ହେଉଛି ଆଜିର ଜରୁରୀ ଆବଶ୍ୟକତା l ଏହା କହିବା ବାହୁଲ୍ୟ ଯେ ଜନ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା, ଖାଦ୍ୟ ଏବଂ ଶକ୍ତି ଉତ୍ପାଦନ ପ୍ରଣାଳୀ ଅର୍ଥନୈତିକ ଉତ୍ପାଦକତା ଏବଂ ପରିବେଶର ଅଖଣ୍ଡତା ଉତ୍ତମ ରୂପେ କାର୍ଯ୍ୟ ସମ୍ପାଦନ କରୁଥିବା ଏବଂ ସାମ୍ୟ ଭାବରେ ପରିଚାଳିତ ହେଇଥିଵା ଏକ ଜଳ ଚକ୍ର ଉପରେ ନିର୍ଭର କରେ l ଯେତେବେଳେ ଆମେ ଜଳ ପ୍ରସଙ୍ଗ ଉପରେ ପରସ୍ପରକୁ ସହଯୋଗ ହସ୍ତ ପ୍ରସାରିତ କରୁ l ଆମେ ଏକ ସାକାରାତ୍ମକ ତରଙ୍ଗାୟିତ ପ୍ରଭାବ ସୃଷ୍ଟି କରୁ l ଯାହା ସମନ୍ୱୟ ରକ୍ଷା କରିବା, ସମୃଦ୍ଧତା ବୃଦ୍ଧି କରିବା ଏବଂ ସାର୍ବଜନୀନ ଆହ୍ୱାନ ଗୁଡିକ ସମ୍ମୁଖୀନ ହେବା ନିମନ୍ତେ, ସ୍ଥିରତା ସ୍ଥାପନ କରେ l ଆମେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ, ଜଳକେବଳ ଏକ ମାନବିକ ଅଧିକାର ନୁହଁ ଏହା ଜୀବନର ପ୍ରତ୍ୟେକ କ୍ଷେତ୍ର ସହିତ ଅନ୍ତର୍ନିହିତ ଭାବେ ଜଡିତ : ଜଳ ଉତ୍ସ ମାନଙ୍କୁ ମାଇଳା ଜଳ ନିଷ୍କାସନ କିମ୍ବା ଆବର୍ଜନା ପରିତ୍ୟାଗ ର ସ୍ଥଳୀ ରୂପେ ବିବେଚନା ନ କରି ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଆମର ନୈତିକ କର୍ତ୍ତବ୍ୟ l ସାରା ବିଶ୍ୱବାସୀ ସମ୍ମିଳିତ ଭାବେ ଜନ ନିମନ୍ତେ ଏକଜୁଟ ହେବା ଏହାର ଶୁଦ୍ଧତା ଓ ପବିତ୍ରତା ବିଦାୟ ରଖିବା ଏବଂ ଶାନ୍ତି ସ୍ଥାପନ ନିମନ୍ତେ ଜଳର ବିଜ୍ଞ ବ୍ୟବହାର ପ୍ରଦର୍ଶନ କରିବା ଏକାନ୍ତ ବିଧେୟ, ଯାହା ଆସନ୍ତା ଦିନର ସୁସ୍ଥ ଜୀବନ ନିମନ୍ତେ ଏକ ସ୍ଥିର ଏବଂ ସମୃଦ୍ଧି ମୂଳଦୁଆ ସ୍ଥାପନ କରିବା l