ସୀମାଚଳ ମିଶ୍ର//ଜିଲ୍ଲା ପ୍ରତିନିଧି // ସମୀକ୍ଷା ନିୟୁଜ
ପୁରୀ, 3/7/2025: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧିକ୍ଷକ ଯାହା କହୁଥୁଲେ, ତାହା ସତ ହୋଇଛି | ଆସନ୍ତା ଜୁଲାଇ ୮ ତାରିଖରୁ ରତ୍ନଭଣ୍ଡାର ଖୋଲିବା ସହିତ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି | 20ଦିନ ଧରି ଏହି ଗଣତି ପ୍ରକ୍ରିୟା ଚାଲିବ | ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପସାୟତ ପୁରୀ ଗସ୍ତରେ ଆସିଛନ୍ତି | ସେ ଆସନ୍ତା ଜୁଲାଇ 5ତାରିଖଠାରୁ ଜୁଲାଇ 27ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ | ତେବେ ଭିତର ରତ୍ନଭଣ୍ଡାର ଖୋଲି ଗଣତି ଓ ମଣତି ହେବ କି ଅନ୍ୟ କୌଣସି ଅତ୍ୟଧୁନିକ ଜ୍ଞାନକୌଶଳ ଆପଣାଇବେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳି ପାରିନି | ଯେହେତୁ ଜଷ୍ଟିସ ପଶାୟତ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ବେଳେ ଏଣ୍ଡୋସ୍କୋପ ଭଳି ପ୍ରକ୍ରିୟା ଗ୍ରହଣ କରିବା ଲାଗି ପ୍ରସ୍ତାବ ଉଠିଥିଲା, ସେ ଦୃଷ୍ଟିରୁ କେମିତି ଅଳଙ୍କାର ଗଣତି ଓ ମଣତି ହେବ, ତାହା ଉପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି | ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ଜଷ୍ଟିସ ପଶାୟତ ପତ୍ନୀ ସୁବଳା ପଶାୟତଙ୍କ ସହ ଆସନ୍ତା 4ତାରିଖରେ ଓଡିଶା ଗସ୍ତରେ ଆସିବେ | 4ତାରିଖରେ ଦିଲ୍ଲୀରୁ ବିମାନରେ ଆସି ଭୁବନେଶ୍ୱରରେ ଓଲ୍ହାଇବା ପାରେ କଟକ ତେଲେଙ୍ଗାବଜାର ସ୍ଥିତ ନିଜ ଘରକୁ ଯିବେ | ରାତ୍ରି ଜାପନ ପାରେ ସକାଳ 9ଟାରେ କଟକରୁ ପୁରୀ ଆସିବେ | ପୂର୍ବାହ୍ନ 11ଟାରେ ପୁରୀରେ ପହଂଚି ହାଇକୋର୍ଟ ଅତିଥି ଭବନରେ ବିଶ୍ରାମ କରିବେ | ପାରେ ଅପରାହ୍ନ 2ଟାରେ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ବୈଠକ କରିବେ | ଜୁଲାଇ 8ତାରିଖରୁ 27ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ଚାଲିବ | 27ତାରିଖରେ ଏହି ପ୍ରକ୍ରିୟା ଶେଷ ପାରେ ସେହିଦିନ ଅପରାହ୍ନରେ ସେ ପୁଣି କଟକ ଫେରିଯିବେ | 28ରେ ପୁଣି ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବାର ବ୍ୟବସ୍ଥା ରହିଛି |