କେନ୍ଦୁଝରରେ ବୃହତ୍ ଇସ୍ପାତ କାରଖାନା ପାଇଁ ଲୋକସଭାରେ ଦାବି କଲେ ସାଂସଦ ଅନନ୍ତ ନାୟକ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର (23/07/24)
ବାରମ୍ବାର ଦାବି ପରେ ମଧ୍ୟ ବିପୁଳ ମାତ୍ରାରେ ଖଣିଜ ସମ୍ପଦ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ରହିଥିବା ସତ୍ୱେ କେନ୍ଦୁଝର ଜିଲ୍ଲାରେ ବୃହତ୍ ଇସ୍ପାତ ପ୍ରକଳ୍ପ ବା ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇନାହିଁ । ଏହା ଦ୍ୱାରା ଏହି ଅଞ୍ଚଳ ଅବହେଳିତ ହୋଇ ରହିବା ସହ କେନ୍ଦୁଝର ଜିଲ୍ଲାର ଯୁବକ ମାନଙ୍କୁ କର୍ମ ନିଯୁକ୍ତି ସନ୍ଧାନରେ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେବାକୁ ପଡୁଛି । ତେଣୁ ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉ ବୋଲି ଆଜି ସାଂସଦ ଅଧିବେଶନର ପ୍ରଥମ ଦିନରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜୋରଦାର ଭାବେ ଜିଲ୍ଲାର ଏହି ପୁରୁଣା ଦାବିକୁ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେ କେନ୍ଦୁଝରରେ ଷ୍ଟିଲ ପ୍ଲାଂଟ ସ୍ଥାପନା ପାଇଁ ବଳିଷ୍ଠ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି । ଶ୍ରୀ ନାୟକ ସୋମବାର ଦିନ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଓଡିଶା -ଝାଡଖଣ୍ଡ ସୀମାରେ ଥିବା କେନ୍ଦୁଝର- ସିଂହଭୂମି-ବଣେଇ କରିଡର ଖଣିଜ ପଦାର୍ଥରେ ପରିପୂର୍ଣ । ଏହି କରିଡରର ବଡ ଭାଗ କେନ୍ଦୁଝର ଜିଲ୍ଲାରେ ରହିଛି। ୨୫ ଶହ ମିଲିୟନ ଟନର ଏସିଆର ସବୁଠାରୁ ବଡ ଓ ସବୁଠାରୁ ଅଧିକ ବିକଶିତ ଲୌହ ଖଣିଜ ରିଜର୍ଭ କେନ୍ଦୁଝର ଜିଲ୍ଲାରେ ରହିଛି । ସରକାର ଦ୍ୱାରା ଏହି ଖଣି ମାନଙ୍କୁ ଖଣିଜ ପଦାର୍ଥ ରପ୍ତାନୀ କରାଯାଉଛି । ଏତେ ଖଣିଜ ସମ୍ପଦରେ ପରିପୂର୍ଣ ହୋଇଥିବା ସତ୍ୱେ କେନ୍ଦୁଝର ଜିଲ୍ଲା ଅତ୍ୟନ୍ତ ପଛୁଆ ଅଂଚଳ ହୋଇ ରହିଛି । ଏହି ଅଂଚଳର ଯୁବକ ମାନଙ୍କ ପାଇଁ ରୋଜଗାର ସୁଯୋଗର ଅଭାବ ରହିଛି । ତେଣୁ ସେମାନେ ବାଧ୍ୟ ହୋଇ ରୋଜଗାର ପାଇଁ ଅନ୍ୟ ରାଜ୍ୟ କିମ୍ବା ସହର ମାନଙ୍କୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝରରେ ରହିଥିବା ଏହି ଉଚ୍ଚ ମାନର ଖଣିଜର ସଠିକ ବ୍ୟବହାର ପାଉଁ ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା କେବଳ ଯେ ଏହି ଅଂଚଳର ସର୍ବାଙ୍ଗୀନ ବିକାଶ ହୋଇ ପାରିବ ତା ନୁହେଁ ବରଂ ସ୍ଥାନୀୟ ଯୁବକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ । ଏହି ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଭିତିଭୂମି ଯେପରିକି ବନ୍ଦର ଯାଏ ଯୋଗାଯୋଗ, ରେଳ ଯୋଗାଯୋଗ ଓ ଜାତୀୟ ରାଜପଥ ଯୋଗାଯୋଗ ଏଠାରେ ରହିଛି । ତେଣୁ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଆବଶ୍ୟକ ପଦକ୍ଷେପ ଯଥା ଶୀଘ୍ର ନେବାକୁ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *