Headlines

ନକଲି ଏମ୍‌ଭିଆଇ ସାଜି ଠକେଇ; ୭.୧୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗଓଏମ୍‌ଭିଡି ପୋଷାକ ପିନ୍ଧି ଗାଡ଼ି ଯାଞ୍ଚ, ଅଭିଯୁକ୍ତ ଗିରଫ

ଅଚ୍ୟୁତ ଜାନୀ/ସ୍ୱତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ

ନିଜକୁ ଆର୍‌ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇବା ଅଭିଯୋଗରେ ସାରଙ୍ଗଡ଼ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଧର୍ମେନ୍ଦ୍ର କୁମାର ବେହେରା (୩୦)। ସେ ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ଟୋଟାସାହି ଗ୍ରାମର ବୋଲି ଜଣାପଡିଛି। ପୁଲିସ ସୂଚନା ଅନୁସାରେ ସେ ‘ନିଖିଲ କୁମାର ପଟ୍ଟନାୟକ’ ନାମରେ ନିଜକୁ ପରିଚୟ ଦେଉଥିଲେ।ଏନେଇ ସାରଙ୍ଗଡ଼ ଥାନାରେ କେସ୍‌ ନଂ-୧୩୨/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪)/୩୧୯(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଜଣେ ମହିଳାଙ୍କୁ ନିଜକୁ ଆର୍‌ଟିଓ ବିଭାଗର ଏମ୍‌ଭିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସରକାରୀ ଚାକିରି କରାଇଦେବା ସହ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କଠାରୁ ପର୍ଯ୍ୟାୟକ୍ରମେ ମୋଟ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ମାଗିବା ପରେ ଅଭିଯୁକ୍ତ ଯୋଗାଯୋଗ ବନ୍ଦ କରିଦେଇଥିବା ପୁଲିସ ପ୍ରେସ୍‌ ନୋଟ୍‌ରେ ଦର୍ଶାଇଛି।

ବିଶ୍ୱସନୀୟ ସୂଚନା ଆଧାରରେ ପୁଲିସ ତାଙ୍କୁ ପାବୁରିଆ ଛକ ନିକଟରେ ଧରିଥିଲା। ସେହି ସମୟରେ ତାଙ୍କ ନିକଟରୁ ଓଏମ୍‌ଭିଡି ୟୁନିଫର୍ମ, ପୁଲିସ ରେନ୍‌କୋଟ୍‌, ନାମଫଳକ , ମୋବାଇଲ ଫୋନ, ବ୍ୟାଙ୍କ ପାଶବୁକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏଥିସହ ଏକ ମାରୁତି ଏର୍ଟିଗା କାର୍‌ (ଓଡି-୧୨-ଏଫ୍-୫୧୫୫)ରେ ଅରେଞ୍ଜ୍ ଲାଇଟ୍‌ ଲଗାଯାଇଥିବା ଏବଂ ଏକ ମାରୁତି ଆଲ୍ଟୋ କାର୍‌ (ଓଡି-୦୫-ବିୟୁ-୪୮୭୬) ବ୍ୟବହାର କରାଯାଉଥିବା ପୁଲିସ ଜଣାଇଛି।ପୁଲିସର ତଦନ୍ତରୁ ଆହୁରି ଜଣାପଡ଼ିଥିବା ଅନୁସାରେ, ଅଭିଯୁକ୍ତ ଏହି ନକଲି ପରିଚୟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧିକୃତ ଭାବେ ମୋଟର ଯାନ ଯାଞ୍ଚ କରୁଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ମଧ୍ୟ ରହିଛି ।ଅଭିଯୁକ୍ତ ଏକାଧିକ ମହିଳାଙ୍କୁ ବିବାହର ପ୍ରସ୍ତାବ ଦେଇ ଆର୍ଥିକ ଓ ଯୌନ ଶୋଷଣ କରିଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ କୌଣସି ଲୋକ ଠକେଇର ଶିକାର ହୋଇଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ବୋଲି ପ୍ରେସମିଟରେ ଏସପି ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍‌ କୋର୍ଟ ବାଲିଗୁଡ଼ାରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *