

ପୁଲକେଶ୍ଵର ମିଶ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/ଅନୁଗୁଳ:
ଅନୁଗୁଳ /ମାଧପୁର- ଗାଁ ଗଣ୍ଡାରେ ଖୁଲମଖୁଲା ଚାଲିଛି ବେଆଇନ ଦେଶୀ ମଦ କାରବାର। ଗଳିକନ୍ଦିରେ ସହଜରେ ମିଳୁଛି ମଦ। ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ତେଜ ହେଉଥିବା ବେଳେ ଶେଷରେ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା। ଅନୁଗୁଳ ଜିଲ୍ଲା କିଆକଟା ଥାନା ଅଞ୍ଚଳରେ ବେଆଇନ ଦେଶୀ ମଦ ଓ ହାଣ୍ଡିଆ କାରବାର ବନ୍ଦ ଦାବିରେ ଶତାଧିକ ମହିଳା ଆଜି ଥାନା ଘେରାଉ କରିଥିଲେ। ଥାନା ସମ୍ମୁଖରେ ବିକ୍ଷୋଭ ସହ ନାରାବାଜି ଯୋଗୁଁ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ମହିଳାଙ୍କ ଅଭିଯୋଗ ଅନୁଯାୟୀ, କିଆକଟା ପଞ୍ଚାୟତର ଶଙ୍ଖାମାଳ, ନାଏକପଡ଼ା, ହେଲେଇ, ହଟୁଆପଡ଼ା, ଥାଟିମୁଣ୍ଡା ସମେତ ଆଖପାଖ ଗାଁରେ ଦୀର୍ଘଦିନ ହେଲା ବେଆଇନ ମଦ ବିକ୍ରି ଚାଲିଛି। ଗାଁ ଭିତରେ ମଦ ମିଳୁଥିବାରୁ ଏହାର ପ୍ରଭାବ ସିଧାସଳଖ ପରିବାର ଓ ସାମାଜିକ ଜୀବନ ଉପରେ ପଡ଼ୁଛି। ମଦ୍ୟପଙ୍କ ଉତ୍ପାତ ଯୋଗୁଁ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଥିବା ବେଳେ ପାରିବାରିକ କଳହ ଓ ବିଭିନ୍ନ ଅପରାଧ ବଢ଼ୁଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ କହିବା କଥା, ବେଆଇନ ମଦ କାରବାର ସମ୍ପର୍କରେ ପୂର୍ବରୁ ଏକାଧିକଥର ପୋଲିସ ଓ ଅବକାରୀ ବିଭାଗକୁ ଜଣାଯାଇଛି। ହେଲେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବାରୁ ବେପାରୀମାନେ ଅଧିକ ସକ୍ରିୟ ହୋଇପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଶଙ୍ଖାମାଳ ଗ୍ରାମର ଶତାଧିକ ମହିଳା ଏକାଠି ହୋଇ କିଆକଟା ଥାନାରେ ପହଞ୍ଚିଥିଲେ। ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଅଞ୍ଚଳରୁ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ସମ୍ପୃକ୍ତ ବେପାରୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଆନ୍ଦୋଳନକାରୀ ମହିଳାଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗର ଯାଞ୍ଚ କରାଯାଇ ଆବଶ୍ୟକସ୍ଥଳେ ଚଢ଼ାଉ କରାଯିବା ସହ ବେଆଇନ ମଦ କାରବାର ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଥିଲା। ଏହାପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ। ତେବେ ପୋଲିସର ଆଶ୍ୱାସନା ପରେ ମଧ୍ୟ ଯଦି ଅଞ୍ଚଳରେ ବେଆଇନ ମଦ କାରବାର ବନ୍ଦ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଏପରିକି ଜାତୀୟ ରାଜପଥ ଅବରୋଧ ସହ ବଡ଼ ଧରଣର ଗଣଆନ୍ଦୋଳନ କରାଯିବ ବୋଲି ସେମାନେ କହିଛନ୍ତି।




Total Users : 6974