
ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:
ବରଗଡ, ୧୯। ୯
ନିଖିଳ ଓଡ଼ିଶା ୬୬୨(ଯୁକ୍ତ ଦୁଇ ଓ ଯୁକ୍ତ ତିନି) ବେସରକାରୀ ଅଧ୍ୟାପକ କର୍ମଚାରୀ ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ଆଗାମୀ ୨୨ତାରିଖ ଭୁବନେଶ୍ୱର ଠାରେ ମହାସମାବେଶ ଅନୁଷ୍ଠିତ ହେବ । ଏ ନେଇ ବରଗଡ ଜିଲ୍ଲା ସଂଗଠନର ଏକ ବୈଠକ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦେବତାଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ସଂଘର ସଭାପତି ଅଶୋକ ବେହେରା, ସହ ସମ୍ପାଦକ ଜଗଦୀଶ ଦେବତା, କୋଷାଧ୍ୟକ୍ଷ ସୁରେଶ ପରିଡ଼ା, ଅଧ୍ୟାପକ ପ୍ରଶାନ୍ତ ପଣ୍ଡା, ସୁକୁମାର ଭୋଇ, ଲିଙ୍ଗରାଜ ବେହେରାଙ୍କ ସମେତ ଜିଲ୍ଲାର ପ୍ରାୟ
୨୨ ମହାବିଦ୍ୟାଳୟରୁ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ ।

ରାଜ୍ୟର ବ୍ଲକ୍ ଗ୍ରାଣ୍ଡ୍ ବ୍ୟବସ୍ଥା ଅଧୀନରେ କାର୍ଯ୍ୟରତ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମଚାରୀଙ୍କ ପାଇଁ ଏକ ସାଧାରଣ, ସମାନ ଓ ଏକୀକୃତ ଜିଆଇଏ ନୀତି ପ୍ରଣୟନ ସହ ଚାକିରି ସର୍ତ୍ତାବଳୀ ଓ ପେନସନ୍ ବ୍ୟବସ୍ଥା ଲାଗୁ କରିବାକୁ ଦୀର୍ଘ ଦିନରୁ ହେଉଥିବା ଦାବୀ ଉପରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ ଯେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି । କିନ୍ତୁ ଦାବୀ ପୂରଣ ଦିଗରେ ବିଳମ୍ବ ହେଉଥିବା ବେଳେ ଶିକ୍ଷକ ଓ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଥିବା ସଂଘ ଦର୍ଶାଇଛି । ତେଣୁ ଦାବୀ ପୂରଣ ଦିଗରେ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଗାମୀ ୨୨ ତାରିଖରେ ଭୁବନେଶ୍ୱର ଠାରେ ମହାସମାବେଶ ଆୟୋଜନ କରାଯାଉଛି । ଏ ନେଇ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ଆହ୍ୱାନରେ ଏକ ଆଭାସୀ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ମାନେ ଯୋଗଦାନ କରି ଆନ୍ଦୋଳନକୁ ପ୍ରଭାବୀ କରିବା ପାଇଁ ମତ ପ୍ରକାଶ କରିଥିଲେ । ତେଣୁ ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ଆଗାମୀ ୨୨ତାରିଖ ଦିନ ବରଗଡ ଜିଲ୍ଲା ୬୬୨ ସଂଗଠନ ଅନ୍ତର୍ଗତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ
ସମୂହ ଇଚ୍ଛାଧୀନ ଛୁଟି ନେଇ ଆନ୍ଦୋଳନରେ ଯୋଗଦାନ କରିବାକୁ ଜିଲ୍ଲା ସଂଗଠନର ସଭାପତି ଅଶୋକ କୁମାର ବେହେରା ଓ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ମିଶ୍ର ନିବେଦନ କରିଛନ୍ତି ।



Total Users : 6974