Headlines

ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ

ବିରୁପାକ୍ଷ ରାୟ/ ଜଗତସିଂହପୁର, ବାଲିକୁଦା/ସମୀକ୍ଷା ନିୟୁଜ:

ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ। ରାସ୍ତା ସାରା ଖାଲ, ଖାଲରେ ବର୍ଷା ପାଣି। କେଉଁଠି ପିଚୁ ଉଠିଯାଇଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ୍ତ। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ଦେବୀ ନଦୀବନ୍ଧଠାରୁ ଖାଲଗାଁ, ଅପଣ୍ଡରା, ବରମୁଣ୍ଡଳୀ, ନହରଣା ଓ ମରିଚପୁର ପଞ୍ଚାୟତ ଦେଇ ଯାଇଥିବା ପ୍ରାୟ ୧୦ କିଲୋମିଟର ରାସ୍ତାରେ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି।ମାଛଗାଁଠାରୁ ବରମୁଣ୍ଡଳୀ ପଞ୍ଚାୟତର ବାଲିପାଟଣା ପର୍ଯ୍ୟନ୍ତ ଥିବା ଏହି ରାସ୍ତା ପୂର୍ବରୁ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିଲା। ଦୈନିକ ଶତାଧିକ ବାଲି ଓ ପଥର ବୋଝେଇ ହାଇୱା ଚଳାଚଳ ଯୋଗୁଁ ରାସ୍ତାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା।

ଏପରିକି ରାସ୍ତାରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।ପରବର୍ତ୍ତୀ ସମୟରେ ରାସ୍ତାର ଦୁରବସ୍ଥା ନେଇ ସ୍ଥାନୀୟ ଲୋକେ ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଧାୟକ ମଧ୍ୟ ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ଚିଠି କରିଥିଲେ। ଜିଲ୍ଲା ପ୍ରଶାସନର ସହମତି ପରେ ରାସ୍ତାଟିକୁ ଗ୍ରାମ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ରାସ୍ତାର ପୁନରୁଦ୍ଧାର ସହ ପ୍ରଶସ୍ତିକରଣ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କିଛିଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ଜଙ୍ଗଲ ଭଳି ମାଡ଼ି ଆସିଥିବା ଅନାବନା ଗଛଲତା ସଫେଇ କରାଯାଇଥିଲା। କେତେକ ସ୍ଥାନରେ ମାଟି ମଧ୍ୟ ପକାଯାଇଥିଲା। ଏହାକୁ ଦେଖି ରାସ୍ତା କାମ ଶୀଘ୍ର ଆରମ୍ଭ ହେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଥିଲେ। ହେଲେ ବର୍ତ୍ତମାନ ଲଗାଣ ବର୍ଷା ସେହି ଆଶାକୁ ନିରାଶାରେ ପରିଣତ କରିଛି।
ବର୍ଷା ପରେ ରାସ୍ତାରେ ହଜାର ହଜାର ଖାଲ ସୃଷ୍ଟି ହୋଇଥିବା ବେଳେ ଅନେକ ଖାଲରେ ପାଣି ଜମି ରହୁଛି। ଫଳରେ ଖାଲର ଗଭୀରତା ଜଣାପଡ଼ୁନଥିବାରୁ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଭାବେ ବିପଦରେ ପଡ଼ୁଛନ୍ତି। ରାସ୍ତା ଉପରେ ପଡ଼ିଥିବା ବାଲିରେ ଭାରସାମ୍ୟ ହରାଇ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ମଧ୍ୟ ରହିଛି।
ଏହି ରାସ୍ତା ଉପରେ ଅପଣ୍ଡରା ଅଞ୍ଚଳକୁ ଚଳାଚଳ କରୁଥିବା ୪ଟି ବସ୍‌, ୨ଟି ଲକ୍ଷ୍ମୀ ବସ୍‌ ସମେତ ବହୁ ଯାନବାହନ ନିର୍ଭରଶୀଳ। ଏଭଳି ଦୁର୍ଦ୍ଦଶାପୂର୍ଣ୍ଣ ରାସ୍ତାରେ ବସ୍‌ ଚଳାଚଳ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ଚଳାଚଳ ମଧ୍ୟ କଷ୍ଟକର ହୋଇପଡ଼ିଛି। ଫଳରେ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ଲୋକଙ୍କ ଜୀବନ ଅଧିକ ବିପଦରେ ପଡ଼ିବା ଆଶଙ୍କା ରହିଛି।


ଖାଲଗାଁସ୍ଥିତ ପ୍ରସିଦ୍ଧ ମହାବୀର ପୀଠକୁ ପ୍ରତିଦିନ ଶତାଧିକ ଭକ୍ତଙ୍କ ଆଗମନ ହେଉଥିବା ବେଳେ ରାସ୍ତାର ଦୁରବସ୍ଥା ଯୋଗୁଁ ଭକ୍ତମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଇକ୍‌ରେ ପୀଠକୁ ଯାତାୟାତ କରିବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଆଗକୁ ପାର୍ବଣ ଋତୁ ଥିବାରୁ ଏହି ରାସ୍ତାରେ ଯାତାୟାତ ଆହୁରି ବଢ଼ିବ। ଏଭଳି ସ୍ଥିତିରେ ରାସ୍ତାର ଅବସ୍ଥା ନ ସୁଧୁରିଲେ ଅଞ୍ଚଳବାସୀ ଓ ଭକ୍ତମାନେ କିଭଳି ଯାତାୟାତ କରିବେ, ତାହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।
ଏନେଇ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ କହିଛନ୍ତି ଯେ, ବର୍ତ୍ତମାନ ବିଭାଗ ପାଖରେ ରାସ୍ତା ମରାମତି ପାଇଁ କୌଣସି ଅର୍ଥ ନାହିଁ। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ତେବେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ମୁଖ୍ୟ ରାସ୍ତା କାମ ଆରମ୍ଭ ହେବା ପର୍ଯ୍ୟନ୍ତ ବର୍ଷା ଋତୁରେ ଲୋକେ କିଭଳି ଯାତାୟାତ କରିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ରାସ୍ତାର ବର୍ତ୍ତମାନର ବିପଦପୂର୍ଣ୍ଣ ଅବସ୍ଥାକୁ ଦୃଷ୍ଟିରେ ରଖି ଅତି କମ୍‌ରେ ତୁରନ୍ତ ଅସ୍ଥାୟୀ ମରାମତି କରି ଖାଲଗୁଡ଼ିକୁ ପୋତିବା ଓ ଯାତାୟାତ ଉପଯୋଗୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ରାସ୍ତା ସମସ୍ୟା ନେଇ ଅନେକଥର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ. ତୁରନ୍ତ ଅସ୍ଥାୟୀ ମରାମତି ସହ ଶୀଘ୍ର ସ୍ଥାୟୀ ରାସ୍ତା ନିର୍ମାଣ ନ କରାଗଲେ ଆଗକୁ ନିଜ ଅଞ୍ଚଳ ର ସ୍ୱାର୍ଥ ପାଇଁ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?—ବର୍ଷାରେ ବିପଦପୂର୍ଣ୍ଣ ହୋଇପଡ଼ିଥିବା ଏହି ରାସ୍ତାର ଦୃଶ୍ୟ ହିଁ ତାହାର ବାସ୍ତବ ଚିତ୍ର ବୟାନ କରୁଛି। ଲୋକଙ୍କ ଜୀବନ ଓ ଯାତାୟାତ ସୁରକ୍ଷାକୁ ଦୃଷ୍ଟି ରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *