Headlines

ବୃଦ୍ଧାବସ୍ଥାରେ ନାହିଁ ନଥିବା ଦୁର୍ଦ୍ଦଶା: ୭ ମାସ ହେଲା ବ୍ୟାଙ୍କ ଖାତାକୁ ଆସୁନି ଭତ୍ତା ଟଙ୍କା

ରତିକାନ୍ତ ନାୟକ/(ସମୀକ୍ଷା ନିୟୁଜ ):

ଧାମନଗର ତା 4/9: ଧାମନଗର ବ୍ଲକ ସରେଇ ଚୁଡ଼ାକୁଟି ପଞ୍ଚାୟତ ତାମ୍ପଳା ଗ୍ରାମର ୮୧ ବର୍ଷୀୟ ସୁରେଶ ଘୋଷ। ବୟସର ସାୟାହ୍ନରେ ପହଞ୍ଚିଥିବା ଏହି ଦୀନଦରିଦ୍ର ବୃଦ୍ଧ ଜଣକ ଏବେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଚାଲିବୁଲି କରିବାକୁ ଅସମର୍ଥ। ଶରୀର ଅକ୍ଷମ ହୋଇପଡ଼ିଥିବା ବେଳେ ସରକାରୀ ସାହାଯ୍ୟ ହିଁ ତାଙ୍କର ଶେଷ ସମ୍ବଳ। ମାତ୍ର ବିଡ଼ମ୍ବନାର ବିଷୟ, ବିଗତ ୭ ମାସ ହେଲା ତାଙ୍କ ବ୍ୟାଙ୍କ ଖାତାକୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆସୁନାହିଁ।


​ସରକାରୀ ନିୟମାନୁସାରେ ମିଳୁଥିବା ନିୟମିତ ଭତ୍ତା ତ ଦୂରର କଥା, ସରକାର ପ୍ରଦାନ କରୁଥିବା ବର୍ଦ୍ଧିତ ଭତ୍ତାରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି। ବ୍ୟାଙ୍କ ଖାତାକୁ ଟଙ୍କା ନଆସିବା ଏବଂ ଗ୍ରାମପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନନିଆଯିବା ଯୋଗୁଁ ଏହି ବୃଦ୍ଧ ଜଣକ ଏବେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଔଷଧପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।
​ସରକାରଙ୍କ ଯୋଜନା ଗରିବ ଓ ଅସହାୟଙ୍କ ପାଖରେ ପହଞ୍ଚୁଥିବା ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ, ସୁରେଶଙ୍କ ଭଳି ଜଣେ ଗମ୍ଭୀର ଏବଂ ଦୀର୍ଘଦିନର ବଞ୍ଚିତ ହିତାଧିକାରୀଙ୍କ ପ୍ରତି ପ୍ରଶାସନର ଏଭଳି ଅବହେଳା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି।​ତୁରନ୍ତ ଏହି ଘଟଣାର ଅନୁସନ୍ଧାନ କରି ପ୍ରଶାସନ ପକ୍ଷରୁ ସୁରେଶ ଘୋଷଙ୍କୁ ତାଙ୍କର ବାକି ଥିବା ସମସ୍ତ ଭତ୍ତା ଓ ବର୍ଦ୍ଧିତ ରାଶି ପ୍ରଦାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *