Headlines

ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର :

  • ମିଥ୍ୟା ଚର୍ଚ୍ଚାରେ ଭୟଭୀତ ନ ହୋଇ କେବଳ ସରକାରୀ ସ୍ଵୀକୃତିପ୍ରାପ୍ତ ଉତ୍ସର ସୂଚନାକୁ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ପରାମର୍ଶ
  • ଚଳିତ ବନ୍ୟାର କ୍ଷତିପୂରଣ ପ୍ରଦାନ ଶେଷ ପର୍ଯ୍ୟାୟରେ ; କ୍ଷତିଗ୍ରସ୍ତ ଗୃହ, ଚାଷଜମି ଏବଂ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ପ୍ରାୟ ୨୨୬ କୋଟି କ୍ଷତିପୂରଣ ଆବଣ୍ଟନ
    • ସମ୍ଭାବ୍ୟ ବର୍ଷା ପରିସ୍ଥିତି ନିମନ୍ତେ ୨୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ସେପ୍ଟେମ୍ବର ୧୮ : ରାଜୀବ ଭବନସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିବା ସହ ବିପର୍ଯ୍ୟୟ ସମ୍ପର୍କିତ କୌଣସି ବି ଚର୍ଚ୍ଚାରେ ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି l ଆଗାମୀ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଆଜି, ୧୮ ସେପ୍ଟେମ୍ବର ୨୦୨୬ ରିଖ ସକାଳ ୦୮:୩୦ ଘଟିକା ସମୟରେ ଉତ୍ତର ଥାଇଲ୍ୟାଣ୍ଡ ଉପରେ ଏକ ଉପରିଭାଗୀୟ ଘୂର୍ଣ୍ଣିବଳୟ (upper-air cyclonic circulation) ସକ୍ରିୟ ରହିଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ୧୮ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବରେ ୧୯ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତତ୍ପରେ, ଏହା କ୍ରମଶଃ ଘନୀଭୂତ ହୋଇ ଆଗାମୀ ୩-୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ତେବେ, ଏହାର ସଠିକ୍ ରୂପରେଖ ସମ୍ପର୍କରେ ଆଗାମୀ ଦୁଇ ଦିନ ଭିତରେ ଜଣାପଡ଼ିବ l

ଏ ସଂକ୍ରାନ୍ତରେ ଭାରତ ପାଣିପାଗ ବିଭାଗ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପୂର୍ଣ୍ଣ ସମ୍ପର୍କରେ ରହିଛି l ଏହି ପରିପ୍ରେକ୍ଷୀରେ ଜନସାଧାରଣ ଅନ୍ୟାନ୍ୟ ମିଥ୍ୟା ଖବର ମାଧ୍ୟମରେ ଭୟଭୀତ ନ ହୋଇ କେବଳ ଭାରତର ପାଣିପାଗ ବିଭାଗ ତଥା ସରକାରୀ ସ୍ଵୀକୃତିପ୍ରାପ୍ତ ଉତ୍ସରୁ ପ୍ରଦତ୍ତ ସୂଚନାକୁ ବିଶ୍ବାସ କରିବା ସହ ସୁରକ୍ଷିତ ରହିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ଲଗାଣ ବର୍ଷା, ଝଡ଼ତୋଫାନ କିମ୍ବା ଭୀଷଣ ବର୍ଷା ; କୌଣସି ବି ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ପ୍ରକାଶ ଥାଉ କି, ବିଗତ ଦୁଇ ମାସ ମଧ୍ୟରେ ପ୍ରାୟ ୧୧ଟି ଡିପ୍ ଡିପ୍ରେସନ ଏବଂ ୪ଟି ଲଘୁଚାପ ସୃଷ୍ଟି ହୋଇଥିଲା ଫଳରେ ଲଗାଣ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଥିଲା l ସେହିପରି ଚଳିତ ବର୍ଷ ବନ୍ୟାରେ ବିଭିନ୍ନ କ୍ଷୟକ୍ଷତିର ଆକଳନ ସମାପ୍ତ ହୋଇ କ୍ଷତିପୂରଣ ବଣ୍ଟନ କାର୍ଯ୍ୟ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ପ୍ରାୟ ୨୨୬ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା ବେଳେ କ୍ଷତିଗ୍ରସ୍ତ ଘର, ଫସଲ ହାନି, ପନିପରିବା ନଷ୍ଟ, ପୋଷାକପତ୍ର, ବାସନକୁସନ ସେଥିରେ ଅନ୍ତର୍ଭୁକ୍ତ କରାଯାଇଛି l ଖୁବ୍ ଶୀଘ୍ର ସମସ୍ତ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ଶେଷ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି l ସେହିପରି ବାଲିଚର ମାଡି ଯାଇଥିବା ଚାଷଜମିର ପୁନରୁଦ୍ଧାର ନିମନ୍ତେ ବ୍ୟବସ୍ଥା କରାଯାଉଛି l



ସହରାଞ୍ଚଳରେ ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ସର୍ଭେ ଏବଂ ପରିଚାଳନା ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଇଆଇଟି ରୁର୍କୀ ସହ ସମନ୍ଵିତ ହୋଇ କାର୍ଯ୍ୟ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି l ବୈଠକରେ ସ୍ପେଶାଲ୍ ରିଲିଫ୍ କମିଶନର ତଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *