
ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ
ତାଳଚେର, ଅନୁଗୋଳ, ୧୮ ସେପ୍ଟେମ୍ବର ୨୦୨୬:
ତାଳଚେରରେ ପୁଣି ଏକ ବଡ଼ ଧରଣର ଡ୍ରଗ୍ସ ରାକେଟ୍ ଧରାପଡିଛି। ତାଳଚେର ବାଘୁଆବୋଲ ସ୍ଥିତ ଶିବ ମନ୍ଦିର ନିକଟରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ଚଢ଼ାଉ କରି ତାଳଚେର ପୋଲିସ ଓ ସଦର ପୋଲିସର ଏକ ମିଳିତ ଟିମ୍ ୯.୩୪୦ ଗ୍ରାମର ଡ୍ରଗ୍ସ ଜବତ କରିଛନ୍ତି। ଜବତ ହୋଇଥିବା ଏହି ଡ୍ରଗ୍ସର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ସମସ୍ତ ନିଶାଦ୍ରବ୍ୟର ଓଜନ କରାଯିବା ସହ ସିଜର୍ (ଜବତ) ପ୍ରକ୍ରିୟା ସମ୍ପନ୍ନ କରାଯାଇଛି।

ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ସନ୍ତୋଷ କୁମାର ଜାଲ। ତାଙ୍କ ସହ ତାଙ୍କର ଅନ୍ୟ ଜଣେ ସହଯୋଗୀ ଶରତ ଜାଲ ଏବଂ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଏହି କାରବାରରେ ସହଯୋଗ କରୁଥିବା ବାଘୁଆବୋଲ ଗାଁର ଯୁବକ ଦୀପ୍ତିରଞ୍ଜନ ବେହେରାଙ୍କୁ ମଧ୍ୟ ପୋଲିସ କାବୁ କରିବାରେ ସଫଳ ହୋଇଛି। ବର୍ତ୍ତମାନ ଏହି ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରାଯାଉଛି।
ସୂଚନାଯୋଗ୍ୟ ଯେ, ବାଘୁଆବୋଲ ଶିବ ମନ୍ଦିର ଏବଂ ଏହାର ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ପାଖାପାଖି ଅଞ୍ଚଳ ଏବେ ଡ୍ରଗ୍ସ କାରବାରର ମୁଖ୍ୟ ପେଣ୍ଠସ୍ଥଳ ପାଲଟିଯାଇଛି। ପୂର୍ବରୁ ମଧ୍ୟ ଏହି ସ୍ଥାନରୁ ବହୁବାର ନିଶା ବେପାରୀମାନେ ପୋଲିସ ହାତରେ ଧରାପଡିଛନ୍ତି। ତଥାପି ଏଠାରେ ଖୁଲମଖୁଲା ଡ୍ରଗ୍ସ ବିକ୍ରି ଚାଲିଛି। ଏହି ନିଶା କାରବାର ଯୋଗୁଁ ତାଳଚେର ତଥା ଆଖପାଖ ଅଞ୍ଚଳର ଯୁବପିଢ଼ି ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି ଏବଂ ଅକାଳରେ ନିଶାଗ୍ରସ୍ତ ହୋଇ ନିଜର ଜୀବନ ନଷ୍ଟ କରୁଛନ୍ତି।
ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ଏ ଦିଗରେ ଅଧିକ ତତ୍ପରତା ଦେଖାଇ ନିଶା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ପ୍ରଶାସନର କଡ଼ା ପଦକ୍ଷେପ ଫଳରେ ହିଁ ଯୁବସମାଜ ସୁରକ୍ଷିତ ରହିପାରିବେ ଏବଂ ଅଞ୍ଚଳବାସୀ ବିପଦମୁକ୍ତ ହୋଇ ସ୍ଵାଭାବିକ ଭାବେ ଚଳପ୍ରଚଳ କରିପାରିବେ।



Total Users : 6759