Headlines

କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:
ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କୋମନା ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ୨୧ଟି ବ୍ୟକ୍ତିଗତ ଓ ୪ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୨୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟେକ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।କୋମନା ଗ୍ରାମରେ ଷ୍ଟ୍ରୀଟ ଲାଇଟ ଜଳୁ ନ ଥିବାରୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଲଗାଣ ବର୍ଷା ଜନିତ ବନ୍ୟା ରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦେବାପାଇଁ କୃଷକ ସାଥି ସଂଘ ସଭାପତି ନରହରି ବାଗ କୃଷକ ମାନଂକ ସମସ୍ୟା କୁ ପ୍ରସଙ୍ଗ କରି ଅଭିଯୋଗ କରିଥିଲେ।


ଏହି ଅବସରରେ ରାଜକୁମାରୀ ବେହେରାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତତ୍କାଳୀନ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ସ୍ୱଚ୍ଛ ସାଥୀମାନଙ୍କୁ ପରିଚୟପତ୍ର ଓ ଶାଢ଼ି ବଣ୍ଟନ କରାଯାଇଥିଲା।
ଅଭିଯୋଗ ଶୁଣାଣି ଶିବିର ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଏବଂ ଆୟୁଷ୍ମାନ ଆରୋଗ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।
ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାନୀ ମିତ୍ର, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ ଓ ତହସିଲଦାର ସୌରଭ କୁମାର ବିଶି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *