
ରବୀନ୍ଦ୍ର କୁମାର ସାହୁ/ ନୂଆଗାଁ ପ୍ରତିନିଧି,/ସମୀକ୍ଷା ନ୍ୟୁଜ୍, /ନୟାଗଡ଼:
ନୂଆଗାଁ, ୧୦/୦୯/୨୦୨୬: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତସ୍ଥିତ ବୟେଜ୍ ହାଇସ୍କୁଲରେ ଦୁଇଜଣ ସଂସ୍କୃତ ଶିକ୍ଷକ କାର୍ଯ୍ୟରତ ଥିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ନୂଆଗାଁ ବ୍ଲକରେ ମୋଟ ୨୩ଟି ହାଇସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୯ଟି ବ୍ଲକ ଗ୍ରାଣ୍ଟ ଏବଂ ୧୪ଟି ସରକାରୀ ହାଇସ୍କୁଲ ରହିଛି। ବାହାଡ଼ାଝୋଲା ବୟେଜ୍ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀରେ ମୋଟ ୮୨ଜଣ ଛାତ୍ର ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ ୭ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି।

ତେବେ ଅଭିଯୋଗ ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପୂର୍ବରୁ ଜଣେ ନିୟମିତ ସଂସ୍କୃତ ଶିକ୍ଷକ କାର୍ଯ୍ୟରତ ଥିବା ସତ୍ତ୍ୱେ ଆଉ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଡେପୁଟେସନରେ ଏଠାକୁ ପଠାଯାଇଛି। ଗୋଟିଏ ବିଦ୍ୟାଳୟରେ ଏକେ ବିଷୟ ପାଇଁ ଦୁଇଜଣ ଶିକ୍ଷକଙ୍କୁ ରଖାଯିବାର ଆବଶ୍ୟକତା କ’ଣ, ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ ଶିକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ, ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟମୁଖୀ କରିବା ଓ ସେମାନଙ୍କୁ ନିଜ ଅଞ୍ଚଳରେ ଉନ୍ନତ ଶିକ୍ଷା ସୁବିଧା ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। ଏପରି ସ୍ଥିତିରେ ଶିକ୍ଷକ ନିୟୋଜନ ଓ ବଣ୍ଟନରେ ଏଭଳି ଅସମତୁଳନ ଶିକ୍ଷା ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏହି ବିଷୟରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ ଯୋଗେ ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିବାରୁ ତାଙ୍କ ମତାମତ ମିଳିପାରିନାହିଁ। ଘଟଣାରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେଇ ଶିକ୍ଷକ ବଣ୍ଟନର ଆବଶ୍ୟକତା ଯାଞ୍ଚ କରିବା ସହ ଯେଉଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଧିକ ଆବଶ୍ୟକତା ରହିଛି ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ ଶିକ୍ଷକମାନେ ଦାବି କରିଛନ୍ତି।



Total Users : 6776