Headlines

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକଏନ୍‌ଡିପିଏସ୍‌ ମାମଲାରେ ଚଢ଼ାଉ ଜୋରଦାର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବିଭାଗର କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇଥିଲା। ଏହି ସମୟ ମଧ୍ୟରେ ଜିଲ୍ଲାରେ ମୋଟ ୮୬୦ଟି ଅବକାରୀ ମାମଲା ଚିହ୍ନଟ, ୪୯୦ ଜଣଙ୍କୁ ଗିରଫ ଏବଂ ୩୪୭ଟି ମାମଲା କୋର୍ଟକୁ ପଠାଯାଇଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା। ଏହାସହ ୩୪୩ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏନ୍‌ଡିପିଏସ୍‌ ଆଇନ ଅଧୀନରେ ୬ଟି ମାମଲା ଚିହ୍ନଟ ଓ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨.୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି।


ଜିଲ୍ଲାପାଳ ଶ୍ରୀଦାଶ ଏନ୍‌ଡିପିଏସ୍‌ ମାମଲା ଉପରେ ବିଶେଷ ଗୁରୁତ୍ୱ ଦେଇ ଗୁଇନ୍ଦା ତଥ୍ୟ ସଂଗ୍ରହକୁ ଅଧିକ ସୁଦୃଢ଼ କରିବା ସହ ନିଶାଦ୍ରବ୍ୟର ଅବୈଧ କାରବାର ଓ ଚାଲାଣ ବିରୋଧରେ ନିୟମିତ ଚଢ଼ାଉକୁ ଜୋରଦାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଆଗାମୀ ନୂଆଖାଇ ପର୍ବ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଅବକାରୀ ବିଭାଗକୁ ଅଧିକ ସକ୍ରିୟ ହେବାକୁ କହିଥିଲେ। ମଦ୍ୟପାନଜନିତ ଅପ୍ରୀତିକର ଘଟଣାକୁ ରୋକିବା ଏବଂ ଶାନ୍ତିପୂର୍ଣ୍ଣ ନୂଆଖାଇ ପାଳନ ସୁନିଶ୍ଚିତ କରିବା ପାଇଁ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବା ସହ ଅଧିକାରୀମାନଙ୍କର ପାଳିଭିତ୍ତିକ ଡ୍ୟୁଟି କରି ନିୟମିତ ଚଢ଼ାଉ ଓ ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।


ଏହି ବୈଠକରେ ବିଭାଗୀୟ କର୍ମଚାରୀଙ୍କ ଉପଲବ୍ଧତା, ଦୋକାନଗୁଡ଼ିକର ନବୀକରଣ ଓ ଅନ୍ୟାନ୍ୟ ପ୍ରଶାସନିକ ବିଷୟ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଅନୁମୋଦିତ ୯୯ଟି ଅବକାରୀ ଦୋକାନ ମଧ୍ୟରୁ ୨୦୨୬-୨୭ ବର୍ଷରେ ୯୭ଟି ଦୋକାନ ନବୀକରଣ ହୋଇଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା।ବୈଠକରେ ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *