Headlines

ନବପ୍ରଭାତ ବିଦ୍ୟାୟତନରେ ନିଆରା ‘ନୂଆଁଖାଇ ବଜାର’


ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:

ବରଗଡ଼ : ୧୨/୦୯ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷୀ, ନୂଆଁ ଧାନ ଓ ଓଡ଼ିଆ ଜୀବନଧାରା ସହ ଜଡ଼ିତ ଏକ ସମୃଦ୍ଧ ପରମ୍ପରା। ଏହି ପରମ୍ପରାର ମହତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ଓ ବ୍ୟବହାରିକ ଜ୍ଞାନ ବିକଶିତ କରିବା ଉଦ୍ଦେଶ୍ୟରେ ନବପ୍ରଭାତ ବିଦ୍ୟାୟତନ ପରିସରରେ ନିଆରା ଢଙ୍ଗରେ ‘ନୂଆଁଖାଇ ବଜାର’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସର ଏକ ଛୋଟ ବଜାରର ରୂପ ନେଇଥିଲା।

ବିଭିନ୍ନ ଷ୍ଟଲ୍‌ରେ ଦେଶୀ ଖାଦ୍ୟ, ପାରମ୍ପରିକ ପିଠାପଣା, ଘରୋଇ ପ୍ରସ୍ତୁତ ଖାଦ୍ୟ, ବିଭିନ୍ନ ପ୍ରକାର ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ନିଜ ନିଜ ଷ୍ଟଲ୍‌ର ଦାୟିତ୍ୱ ନେଇଥିଲେ।ବିଶେଷକରି ନୂଆଁଖାଇ ପର୍ବରେ ବ୍ୟବହୃତ ଦେଶୀ ଖାଦ୍ୟ ଓ ପାରମ୍ପରିକ ଶସ୍ୟକୁ ଗୁରୁତ୍ୱ ଦିଆଯାଇଥିବାରୁ କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ନିଜ ଅଞ୍ଚଳର ପାରମ୍ପରିକ ଖାଦ୍ୟ ଓ ଶସ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିବା ସହ ଏହାର ଗୁରୁତ୍ୱ ଅନୁଭବ କରିଥିଲେ। ଏହି ବଜାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକ ଭିତ୍ତିକ ଶିକ୍ଷା ନଦେଇ ବାସ୍ତବ ଜୀବନରେ ଆବଶ୍ୟକ ହେଉଥିବା ହିସାବ-ନିକାଶ, ଟଙ୍କାର ମୂଲ୍ୟ, କ୍ରୟ-ବିକ୍ରୟ, ଗ୍ରାହକଙ୍କ ସହ ଭଲ ବ୍ୟବହାର ବିଷୟରେ ପ୍ରାୟୋଗିକ ଅନୁଭୂତି ପ୍ରଦାନ କରାଯାଇଥିଲା।

ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ମଧ୍ୟ ଏହି ନିଆରା ପ୍ରୟାସକୁ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ, ସୃଜନଶୀଳତା ଓ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ନୂଆଁଖାଇ ବଜାର ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁ ପିଢ଼ି ନିଜ ମାଟି, ଚାଷୀ ଓ ପାରମ୍ପରିକ ଖାଦ୍ୟ ସଂସ୍କୃତି ସହ ଯୋଡ଼ି ହୋଇପାରିବା ସହ ଆତ୍ମନିର୍ଭରତା ଓ ଉଦ୍ୟୋଗୀ ମନୋଭାବର ବିକାଶ ହୋଇପାରିବ। ନବପ୍ରଭାତ ବିଦ୍ୟାୟତନର ଏହି ପ୍ରୟାସ ନୂଆଁଖାଇ ପରମ୍ପରାକୁ ଶିକ୍ଷା ସହ ଯୋଡ଼ିବାର ଏକ ସୁନ୍ଦର ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *