Headlines

କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ


ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/୦୧୦୭୨୬/ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବଜାରରେ ଏବେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ମୌସୁମୀ ପ୍ରଥମ ବର୍ଷାରେ କପ୍ତିପଦା ବଜାରର ସ୍ଥିତି ଏବେ ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ଏନଏସି ଘୋଷଣା ପରେ ରାସ୍ତା ପ୍ରଶସ୍ତିକରଣ ଆଳରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅନେକ ଦୋକାନ ଓ ବଜାର ଭଙ୍ଗାଯିବା ପରେ ସେଠାରେ ବାହାରିଥିବା ଅଳିଆ ଓ ମଇଳା ପଡ଼ି ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହି ନର୍କ ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି
କପ୍ତିପଦା ବ୍ଲକରେ ୨୬ଟି ପଞ୍ଚାୟତ ଥିବାବେଳେ ପ୍ରତିଦିନ ହଜାର ହଜାର ଲୋକ ବ୍ଲକ, ତହସିଲ, ଥାନା ଓ ଡାକ୍ତରଖାନାକୁ ଏହି ବାଟ ଦେଇ ଯିବା ଆସିବା କରନ୍ତି। ବସଷ୍ଟାଣ୍ଡରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୋକାନୀମାନେ ନିଜର ଜୀବିକା ହରାଇ ଭଙ୍ଗା ଦୋକାନ ସାମ୍ନାରେ ପସରା ମେଲାଇବାକୁ ବାଧ୍ୟ ହେଉଛନ୍ତି।
​ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ରାସ୍ତା ଦେଇ ବିଡ଼ିଓ ଓ ତହସିଲଦାରଙ୍କ ଭଳି ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଯିବା ଆସିବା କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନଏସି ନିର୍ବାଚନ ହୋଇନଥିବାରୁ ଏବଂ କର୍ମକର୍ତ୍ତା ନଥିବାରୁ କାମ ଅଟକି ରହିଥିବା କୁହାଯାଉଛି। ଏ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ତହସିଲଦାର ମଧ୍ୟ ଫୋନ୍ ଉଠାଇନଥିବା ଜଣାପଡିଛି।
​କେଉଁ ଚାପରେ ବା କାହିଁକି କାମ ଅଧାରେ ଅଟକି ରହିଛି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *