ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍, /ତାଳଚେର, ଅନୁଗୋଳ:

ତାଳଚେର/୫ ସେପ୍ଟେମ୍ବର, ୨୦୨୬:
ତାଳଚେର ସହରକୁ ସଫାସୁତୁରା ଏବଂ ଧୂଳିମୁକ୍ତ ରଖିବା ପାଇଁ ପୌରପାଳିକା ପକ୍ଷରୁ ସମ୍ପ୍ରତି ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେକାନିକାଲ ରୋଡ଼ ସୁଇପିଂ ମେସିନ (TPS VAC-SWEEP 5000 SP) ଅଣାଯାଇଛି। କିନ୍ତୁ ଏହି ମେସିନ ଆସିବାର ମାତ୍ର ତିନି-ଚାରି ଦିନ ମଧ୍ୟରେ ଏହାର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି

ରାସ୍ତାରୁ ଧୂଳି ଏବଂ ଆବର୍ଜନା ଟାଣିବା (ଭାକ୍ୟୁମ୍ ସକ୍ସନ) ବଦଳରେ ମେସିନଟି ଧୂଳିକୁ ଜୋରରେ ଉଡ଼ାଉଥିବା (ବ୍ଲୋଇଂ କରୁଥିବା) ଦେଖିବାକୁ ମିଳିଛି, ଯାହା ଫଳରେ ସମଗ୍ର ଅଞ୍ଚଳରେ ପ୍ରବଳ ଧୂଳି ଉଡ଼ି ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚୁଛି।
ଏହି ମେସିନରେ ଉନ୍ନତମାନର ଫ୍ରଣ୍ଟ-ସାଇଡ୍ ଗଟର ବ୍ରୁମ୍ସ, ହାଇ-ପାୱାର ଭାକ୍ୟୁମ୍ ସକ୍ସନ ହୁଡ୍ ଏବଂ ଧୂଳି ନଉଡ଼ିବା ପାଇଁ ପାଣି ସ୍ପ୍ରେ କରିବାର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ବ୍ୟବସ୍ଥା ଥାଇ ମଧ୍ୟ ଧୂଳି ସଫା କରିବା ପରିବର୍ତ୍ତେ ତାହାକୁ ରାସ୍ତାରେ ଉଡ଼ାଇ ଦିଆଯାଉଛି। ଏ ସମ୍ପର୍କରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, “ରାସ୍ତାରେ ପ୍ରବଳ ଧୂଳି ଥିବାରୁ ପ୍ରଥମେ ବ୍ଲୋଇଂ କରି ପରେ ଭାକ୍ୟୁମ୍ କରାଯିବ।” କିନ୍ତୁ ସାଧାରଣ ନିୟମ ଅନୁସାରେ ପାଣି ସିଞ୍ଚନ କରି ଧୂଳି ନିୟନ୍ତ୍ରଣ ପୂର୍ବକ ସଫେଇ କରାଯିବା କଥା।
ଏହା କୌଣସି ଯାନ୍ତ୍ରିକ ତ୍ରୁଟି, କର୍ମଚାରୀଙ୍କ ତାଲିମର ଅଭାବ ନା ପୌର ପ୍ରଶାସନର ଖାମଖିଆଲି ମନୋଭାବ—ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଜନସାଧାରଣଙ୍କ ସୁବିଧା ପାଇଁ ଏତେ ଟଙ୍କା ଖର୍ଚ୍ଚ କରି ମେସିନ ଯୋଗାଇଥିବା ବେଳେ ଏହାର ପରିଚାଳନାଗତ ତ୍ରୁଟି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଥିରେ କାହାର ଭୁଲ ରହିଛି ତାହା ପ୍ରଶାସନ ସ୍ପଷ୍ଟ କରୁ ବୋଲି ଜନସାଧାରଣ ଦାବି କରିଛନ୍ତି।



Total Users : 6987