Headlines

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :

ଝାରସୁଗୁଡା,୫/୯ : ଦ୍ରୁତ ଗତିରେ ବଢ଼ୁଛି ଝାରସୁଗୁଡ଼ା ସହରର ଜନସଂଖ୍ୟା। ତା’ ସହିତ ପାଳ୍ଲା ଦେଇ ବଢ଼ି ଚାଲିଛି ଯାନବାହନର ସଂଖ୍ୟା l ହେଲେ ବଢ଼ୁଥିବା ଯାନବାହନ ଚାପକୁ ସମ୍ଭାଳିବା ପାଇଁ ସହରରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା l

ରାସ୍ତା କଡ଼ରେ ଅବ୍ୟବସ୍ଥିତ ପାର୍କିଂ, ଡ୍ରେନ୍‌ ଉପରେ ବ୍ୟବସାୟୀଙ୍କ ସାମଗ୍ରୀ ଓ ଫୁଟପାଥ୍‌ ଅବରୋଧ ଯୋଗୁଁ ଯାତାୟାତ ପାଇଁ ରାସ୍ତାର ଉପଲବ୍ଧ ପରିସର କ୍ରମଶଃ ସଙ୍କୁଚିତ ହେଉଛି l ବିଶେଷକରି ବେହେରାମାଲରୁ ସରବାହାଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଏଭଳି ଅବ୍ୟବସ୍ଥା ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି l

ଅନେକ ଦୋକାନୀ ଡ୍ରେନ୍‌ ଉପରେ ବିଭିନ୍ନ ସାମଗ୍ରୀ ରଖି ବ୍ୟବସାୟ କରୁଥିବାରୁ ଡ୍ରେନ୍‌ ଓ ରାସ୍ତା ମଧ୍ୟରେ ଥିବା ଖାଲି ସ୍ଥାନ ମଧ୍ୟ ଅବରୋଧ ହେଉଛି l ଫଳରେ ପଥଚାରୀଙ୍କ ଯାତାୟାତ ପାଇଁ ସୁବିଧାଜନକ ସ୍ଥାନ ରହୁନାହିଁ l ଅନ୍ୟପକ୍ଷରେ ରାସ୍ତା ଉପରେ ଗାଡ଼ି ପାର୍କିଂ ହେବା ଯୋଗୁଁ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି l ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି ସହ ଦୋକାନୀ ଓ ସାଧାରଣ ଲୋକଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଉଛି l ତଥାପି କେତେକ ଅମାନିଆଙ୍କ ମନମାନି ଯୋଗୁଁ ସମସ୍ୟାରେ ଆଶାନୁରୂପ ଅଙ୍କୁଶ ଲାଗିପାରୁନାହିଁ l ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବେହେରାମାଲରୁ ସରବାହାଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ଦୋକାନୀମାନଙ୍କୁ ଡ୍ରେନ୍‌ ଉପରେ ରଖାଯାଇଥିବା ସାମଗ୍ରୀ ତୁରନ୍ତ ହଟାଇବାକୁ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି l ଉଦ୍ଦେଶ୍ୟ ହେଉଛି, ରାସ୍ତାକୁ ଅବରୋଧମୁକ୍ତ କରି ଯାନବାହନ ଓ ପଥଚାରୀଙ୍କ ଯାତାୟାତକୁ ସୁଗମ କରିବା l କିନ୍ତୁ ଅଭିଯୋଗ ଅନୁସାରେ, କେତେକ ଦୋକାନୀ ପୌର ପ୍ରଶାସନର ଅନୁରୋଧକୁ ଅଣଦେଖା କରି ଡ୍ରେନ୍‌ ଉପରେ ସାମଗ୍ରୀ ରଖିବା ଜାରି ରଖିଛନ୍ତି l ପୌର କର୍ମଚାରୀମାନେ ଅବରୋଧ ହଟାଇବାକୁ ଯାଇଥିବା ସମୟରେ କେତେକ ଦୋକାନୀ ସେମାନଙ୍କୁ ଧମକ ଦେବା ସହ ଅସହଯୋଗ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ସହର ଆମ ସମସ୍ତଙ୍କର, ଦାୟିତ୍ୱ ମଧ୍ୟ ସମସ୍ତଙ୍କର ଝାରସୁଗୁଡ଼ା ସହରକୁ ଟ୍ରାଫିକ୍ ଜଟରୁ ମୁକ୍ତ କରିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ; ଏଥିପାଇଁ ଦୋକାନୀ, ଯାନବାହନ ଚାଳକ ଓ ସାଧାରଣ ଲୋକଙ୍କ ସମାନ ସହଯୋଗ ଆବଶ୍ୟକ l ବ୍ୟବସାୟ ପାଇଁ ଡ୍ରେନ୍‌ ଓ ସାର୍ବଜନୀନ ସ୍ଥାନ ଅବରୋଧ କରିବା କିମ୍ବା ରାସ୍ତାକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ଦ୍ୱାରା ସମସ୍ୟା କେବଳ ଜଣେ ବ୍ୟକ୍ତିଙ୍କର ନୁହେଁ, ସମଗ୍ର ସହରବାସୀଙ୍କର ହେଉଛି l ପୌର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅନୁରୋଧ ଓ ସଚେତନତା ସତ୍ତ୍ୱେ ଯେଉଁ ଦୋକାନୀମାନେ ନିୟମ ଉଲ୍ଲଂଘନ କରି ରାସ୍ତା କିମ୍ବା ଡ୍ରେନ୍‌ ଅବରୋଧ କରିବେ, ସେମାନଙ୍କ ବିରୋଧରେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ l

Leave a Reply

Your email address will not be published. Required fields are marked *