Headlines

ରାସଗୋବିନ୍ଦପୁର ପଡ଼ିଆରେ ହାତୀର ଫୁଟବଲ୍‌ ଖେଳ_ ଶେଷରେ ବଲ୍‌କୁ ଦଳି ନଷ୍ଟ କଲା

ଯଶୋବନ୍ତ ପରିଡା/_ ମୟୁରଭଞ୍ଜ/ ୦୬/୦୯/୨୬ (ସମୀକ୍ଷା ନ୍ୟୁଜ):

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଜଙ୍ଗଲ ଅଞ୍ଚଳରେ ଏକ ଅଭୂତପୂର୍ବ ଏବଂ ଭୟଗ୍ରସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ପଡ଼ିଆରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ଏକ ହାତୀ ପ୍ରବେଶ କରି ଫୁଟବଲ୍‌ ସହିତ ଖେଳିଥିବାର ଖବର ସାମ୍ନାକୁ ଆସିଛି।


​ପ୍ରକାଶ ଯେ, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରପାଡ଼ା ପଞ୍ଚାୟତର ବାଉସୁଳି ଗାଁ ପଡ଼ିଆରେ କିଛି ନାବାଳକ ଓ ପିଲାମାନେ ଫୁଟବଲ୍‌ ଖେଳୁଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ହଠାତ୍ ସେଠାରେ ପହଞ୍ଚି ଯାଇଥିଲା। ହାତୀକୁ ସାମ୍ନାରେ ଦେଖି ଭୟଭୀତ ହୋଇ ପିଲାମାନେ ନିଜର ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ ଏବଂ ଫୁଟବଲ୍‌ଟି ସେହି ପଡ଼ିଆରେ ପଡ଼ିରହିଥିଲା।


​ପିଲାମାନେ ପଳାଇବା ପରେ ହାତୀଟି ପଡ଼ିଆରେ ପଡ଼ିଥିବା ଫୁଟବଲ୍‌କୁ ନିଜ ଶୁଣ୍ଢରେ ଗଡ଼ାଇ କିଛି ସମୟ ଧରି ଖେଳିଥିଲା। ଏହି ଅଜବ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସୁରକ୍ଷିତ ଦୂରରୁ ଭିଡ଼ ଜମାଇଥିଲେ। ତେବେ କିଛି ସମୟ ଖେଳିବା ପରେ ହାତୀଟି ବଲ୍‌ ଉପରେ ଗୋଡ଼ ପକାଇ ଏହାକୁ ଫଟାଇ ଦେଇଥିଲା ଏବଂ ସେଠାରୁ ଚାଲିଯାଇଥିଲା।
​ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଏହି ହାତୀଟି ରାସଗୋବିନ୍ଦପୁର ଅଞ୍ଚଳରେ କ୍ରମାଗତ ଭାବେ ଉପଦ୍ରବ ଚଳାଇ ଆସୁଛି। ଏହା ପୂର୍ବରୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଗାଁରେ ଏକ ଟ୍ରାକ୍ଟର ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ପଡ଼ିଆରେ ହାତୀର ଏଭଳି କାଣ୍ଡ ପିଲାମାନଙ୍କୁ କିଛି ସମୟ ପାଇଁ ମନୋରଞ୍ଜନ ଦେଇଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏବେ ହାତୀ ଆତଙ୍କ ତୀବ୍ର ହୋଇଛି। ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *