Headlines

ରାୟଗଡ଼ା:୫୦ ବର୍ଷର ଚାଷ ଜମି ପାଇଁ କଲେକ୍ଟରଙ୍କ ଦ୍ୱାରସ୍ଥ,ନ୍ୟାୟ ନମିଳିଲେ ପରିବାର ସହ ଚରମ ପଦକ୍ଷେପ ନେବାକୁ ଧମକ

ଜିତେନ୍ଦ୍ର କୁମାର ଶତପଥୀ/ ସବ୍‌ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର:

ଅଭିଯୋଗ ଶୁଣାଣି କକ୍ଷରେ କୀଟନାଶକ ବୋତଲ ଧରି ପହଞ୍ଚିଲେ ଗରିବ ଚାଷୀ:

ରାୟଗଡ଼ା : ଦୀର୍ଘ ୪୦ରୁ ୫୦ ବର୍ଷ ଧରି ସରକାରୀ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରିଆସୁଥିବା ଜଣେ ଗରିବ ଚାଷୀ ନିଜ ଜମି ଅଧିକାର ପାଇଁ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ଧରି ନ୍ୟାୟ ପାଇଁ ଦୌଡ଼ିବା ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ନିରାଶ ହୋଇ ସେ ପରିବାର ସହ ଚରମ ପଦକ୍ଷେପ ନେବାକୁ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜମାଦେଇପେଣ୍ଠ ଅଞ୍ଚଳର ସଦର ଗ୍ରାମର ବାସିନ୍ଦା ଏଡଲା ଗାଙ୍ଗୁଲୁ ନିଜ ସ୍ତ୍ରୀ, ଜଣେ ପୁଅ ଓ ଦୁଇ ଝିଅଙ୍କ ସହ ବସବାସ କରିଆସୁଛନ୍ତି। ଗାଙ୍ଗୁଲୁଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ପ୍ରାୟ ୪୦ରୁ ୫୦ ବର୍ଷ ଧରି ଏକ ସରକାରୀ ଜମି ଖଣ୍ଡରେ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି। ଏହି ଜମି ହିଁ ତାଙ୍କ ପରିବାରର ଜୀବନ ଓ ଜୀବିକାର ମୁଖ୍ୟ ଆଧାର ବୋଲି ସେ କହିଛନ୍ତି।ତେବେ ଏବେ ଗ୍ରାମର କିଛି ଲୋକ ତାଙ୍କ ଚାଷ ଜମି ଉପରେ ନଜର ପକାଇ ତାଙ୍କଠାରୁ ଜମି ଛଡ଼ାଇ ନେବାକୁ ଉଦ୍ୟମ କରୁଥିବା ଗାଙ୍ଗୁଲୁ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଦୌଡ଼ୁଥିବା କହିଛନ୍ତି।
ଏପରିକି ତାଙ୍କ ସ୍ତ୍ରୀଙ୍କ ଉପରେ କିଛି ବ୍ୟକ୍ତିଙ୍କ ଦ୍ୱାରା ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଶେଷଖାଲ ଥାନାରେ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଗାଙ୍ଗୁଲୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତଥାପି ତାଙ୍କୁ ଆଶାନୁରୂପ ନ୍ୟାୟ ମିଳିନଥିବା ତାଙ୍କ ଅଭିଯୋଗ।

କୀଟନାଶକ ବୋତଲ ଧରି ଅଭିଯୋଗ ଶୁଣାଣି କକ୍ଷରେ :

ନିଜ ଅଭିଯୋଗର ସମାଧାନ ପାଇଁ ଶେଷରେ ଗାଙ୍ଗୁଲୁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ପହଞ୍ଚିଥିଲେ। ତାଙ୍କ ହାତରେ କୀଟନାଶକ ଔଷଧର ବୋତଲ ଥିବା ଦେଖି ଉପସ୍ଥିତ ଅଧିକାରୀ ଓ ଅନ୍ୟମାନଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି ହୋଇଥିଲା।
ଗାଙ୍ଗୁଲୁ କହିଛନ୍ତି ଯେ, ତାଙ୍କ ପରିବାରକୁ ଯଦି ନ୍ୟାୟ ନମିଳେ, ତେବେ ସେ ସ୍ତ୍ରୀ, ପୁଅ ଓ ଦୁଇ ଝିଅଙ୍କ ସହ କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ତାଙ୍କ ଏହି ବୟାନ ଘଟଣାର ଗମ୍ଭୀରତାକୁ ଆହୁରି ବଢ଼ାଇ ଦେଇଛି।
ଗାଙ୍ଗୁଲୁ ଆହୁରି କହିଛନ୍ତି ଯେ ସେ ଜଣେ ଗରିବ ଚାଷୀ। ଆର୍ଥିକ ଅସ୍ୱଚ୍ଛଳତା କାରଣରୁ ନିଜ ଅଧିକାର ପାଇଁ ଦୀର୍ଘ ଆଇନଗତ ଲଢ଼େଇ କରିବା କିମ୍ବା ଦାମୀ ଓକିଲ ନିଯୁକ୍ତ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ପ୍ରଶାସନ ତାଙ୍କ ଅଭିଯୋଗକୁ ନିଜେ ତଦନ୍ତ କରି ନ୍ୟାୟ ଦେଉ ବୋଲି ସେ ଅନୁରୋଧ କରିଛନ୍ତି।ତଦନ୍ତ ପାଇଁ ପୁଲିସକୁ ଦାୟିତ୍ୱ !ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗାଙ୍ଗୁଲୁଙ୍କ ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ ଓ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପୁଲିସ ବିଭାଗକୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ଏବେ ତଦନ୍ତ ପରେ ପ୍ରକୃତ ଘଟଣା କ’ଣ ଏବଂ ଗାଙ୍ଗୁଲୁଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହେବ।

ତେବେ ୪୦-୫୦ ବର୍ଷ ଧରି ଯେଉଁ ଜମିରେ ଚାଷ କରି ଏକ ଗରିବ ପରିବାର ଜୀବିକା ନିର୍ବାହ କରିଆସୁଛି, ସେହି ଜମିକୁ ନେଇ ଉପୁଜିଥିବା ବିବାଦର ନିରପେକ୍ଷ ତଦନ୍ତ ସହ ତୁରନ୍ତ ସମାଧାନ ହେବ କି ନାହିଁ, ତାହା ଏବେ ସମସ୍ତଙ୍କ ନଜରରେ।ସବୁଠାରୁ ବଡ଼ କଥା ହେଉଛି—ନ୍ୟାୟ ପାଇବାର ଆଶାରେ ଜଣେ ଗରିବ ପରିବାର ଏଭଳି ଚରମ ନିଷ୍ପତ୍ତିର କଥା କହିବା ପର୍ଯ୍ୟନ୍ତ ପହଞ୍ଚିବା ପ୍ରଶାସନ ପାଇଁ ମଧ୍ୟ ଏକ ଗମ୍ଭୀର ଚିନ୍ତାର ବିଷୟ। ତେଣୁ ଅଭିଯୋଗର ତ୍ୱରିତ ଓ ନିରପେକ୍ଷ ତଦନ୍ତ ସହ ଗାଙ୍ଗୁଲୁଙ୍କ ପରିବାରର ସୁରକ୍ଷା ଓ ସମସ୍ୟାର ଆଇନସମ୍ମତ ସମାଧାନ ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *