Headlines

ଖୋରଧା:ରାସ୍ତା ଉପରେ ଆବର୍ଜନା ପାଣି, ବଢୁଛି ଦୁର୍ଦ୍ଦଶା, ଘରର ଶୌଚାଳୟ ପାଣି ଡ୍ରେନକୁ ସଂଯୋଗ ନେଇ ଅଭିଯୋଗ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୬/୯: ଖୋରଧା ସହରର କଣ୍ଟାଛକ-ପାନବରଜ ରାସ୍ତାରେ ଡ୍ରେନ୍‌ର ଦୂଷିତ ପାଣି ରାସ୍ତା ଉପରେ ଜମି ରହୁଥିବାରୁ ଅଞ୍ଚଳବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ଦିନ କାଟୁଛନ୍ତି। କଣ୍ଟାଛକଠାରୁ ପାନବରଜ ଦେଇ ଲୋକେଶ୍ୱର ଦେବ ମନ୍ଦିର ନିକଟ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଦୂଷିତ ପାଣି ଜମି ରହିବା ଫଳରେ ଦୁର୍ଗନ୍ଧ ସୃଷ୍ଟି ହେଉଥିବା ସହ ଯାତାୟାତରେ ସମସ୍ୟା ଦେଖାଦେଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଲ୍ଲା ହନୁମାନ ମନ୍ଦିର ନିକଟରୁ ଆସିଥିବା ଡ୍ରେନ୍‌ଟି କଣ୍ଟାଛକ ନିକଟରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପାଣି ରାସ୍ତା ଉପରକୁ ଆସି ପାନବରଜ ରାସ୍ତା ଦେଇ ଲୋକେଶ୍ୱର ଦେବ ମନ୍ଦିର ନିକଟରେ ଜମା ହେଉଛି। ଦୀର୍ଘ ସମୟ ଧରି ପାଣି ଜମି ରହିବା ଯୋଗୁଁ ଦୁର୍ଗନ୍ଧରେ ପଥଚାରୀ ଓ ନିକଟସ୍ଥ ଘରର ବାସିନ୍ଦା ଅତିଷ୍ଠ ହୋଇପଡ଼ିଛନ୍ତି। ବର୍ଷା ହେଲେ ସ୍ଥିତି ଆହୁରି ସଙ୍ଗିନ ହେଉଥିବା ଅଭିଯୋଗ ହୋଇଛି। ବର୍ଷାଜଳ ସହ ଡ୍ରେନ୍‌ ପାଣି ମିଶି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି।


ଏହି ଅଞ୍ଚଳରେ କେତେକ ଘରର ଘରୋଇ ନିଷ୍କାସନ ପାଣି, ଏପରିକି ଶୌଚାଳୟର ପାଣି ଡ୍ରେନ୍‌କୁ ସଂଯୋଗ କରାଯାଇଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନେକ ସମୟରେ ଡ୍ରେନ୍‌ ପାଣି ସହ ମଳ ଭାସି ଆସୁଥିବାରୁ ପରିବେଶ ପ୍ରଦୂଷିତ ହେଉଥିବା ସେମାନେ କହିଛନ୍ତି।
ଲୋକେଶ୍ୱର ଦେବ ମନ୍ଦିର ନିକଟରେ ମଧ୍ୟ ଦୂଷିତ ପାଣି ଜମି ରହୁଥିବାରୁ ଶ୍ରଦ୍ଧାଳୁମାନେ ଅସୁବିଧାରେ ପଡ଼ୁଛନ୍ତି। ଦୁର୍ଗନ୍ଧମୟ ପରିବେଶ ଦେଇ ମନ୍ଦିରକୁ ଯିବାକୁ ପଡ଼ୁଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଡ୍ରେନ୍‌ରେ ନିୟମିତ ସଫେଇ ହେଉନଥିବାରୁ ପଙ୍କ, ଆବର୍ଜନା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଜମି ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଫଳରେ ଡ୍ରେନ୍‌ରେ ନିଷ୍କାସିତ ହେବାକୁ ଥିବା ପାଣି ରାସ୍ତା ଉପରକୁ ଆସୁଛି। ଦୂଷିତ ପାଣି ଦୀର୍ଘ ସମୟ ରାସ୍ତା ଉପରେ ଜମି ରହିବାରୁ ରାସ୍ତାର ଅବସ୍ଥା ମଧ୍ୟ ଖରାପ ହେଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାସ୍ତାରୁ ଜମିଥିବା ଦୂଷିତ ପାଣି ନିଷ୍କାସନ, ଡ୍ରେନ୍‌ରୁ ପଙ୍କ ଓ ଆବର୍ଜନା ସଫେଇ ସହ ପଲ୍ଲା ହନୁମାନ ମନ୍ଦିର ନିକଟରୁ କଣ୍ଟାଛକ ପର୍ଯ୍ୟନ୍ତ ଥିବା ଅସମ୍ପୂର୍ଣ୍ଣ ଡ୍ରେନ୍‌ର ଯାଞ୍ଚ କରି ଆବଶ୍ୟକ ନିର୍ମାଣ କରିବାକୁ ଦାବି ହୋଇଛି। ଏଥିସହ କଣ୍ଟାଛକରୁ ପାନବରଜ ଦେଇ ଲୋକେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଏବଂ ଡ୍ରେନ୍‌କୁ ଘରୋଇ ଶୌଚାଳୟ କିମ୍ବା ନିଷ୍କାସନ ପାଣିର ବେଆଇନ ସଂଯୋଗ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ ଲୋକେ ଦାବି କରିଛନ୍ତି। ପୌର ପରିଷଦ ପକ୍ଷରୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ମୂଳ କାରଣ ଚିହ୍ନଟ ସହ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *