Headlines

ବର୍ଷା : ଲାଲ ସତର୍କତାରେ ମୟୂରଭଞ୍ଜ, ଆଜି ସମସ୍ତ ବିଦ୍ୟାଳୟ ଛୁଟି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି :

୧୦/୯/୨୦୨୬- ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ବଳ ଗୋଟାଉଥ‌ିବା ବେଳେ ୧୦ ତାରିଖ ଏହା ଲଘୁଚାପର ରୂପ ନେବା ସମ୍ଭାବନା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରତି ବିଭାଗୀୟ ଲାଲ ସତର୍କତା
ରହିଛି । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ମୟୂରଭଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥୂବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାଣ୍ଡିଂ ଜାରି କରାଯାଇଥିବା ଖବର ନେଇ ଗୁରୁବାର ସମସ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ଛୁଟି ଘୋଷଣା ହୋଇଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ପାଇଁ ମଧ୍ୟ ଅରେଞ୍ଜ ୱାଣ୍ଡିଂ ଜାରି କରାଯାଇଛି। ଖବରକ୍ରମେ ଦଶଦିନ ପୂର୍ବରୁ ବନ୍ୟା ପରିସ୍ଥିତି ନେଇ ମୟୂରଭଞ୍ଜ ମଧ୍ୟରେ ପ୍ରବାହିତ ସମସ୍ତ ନଦୀକଡ଼ ବାସିନ୍ଦା ବର୍ତ୍ତମାନ ପର୍ଯ୍ୟନ୍ତ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବୁଢ଼ାବଳଙ୍ଗ, କାତରା, ଗଙ୍ଗାହାର ଭଳି ପ୍ରବାହିତ ନଦୀକଡ଼ ଗ୍ରାମ ଗୁଡିକରେ ତିନି ତିନିଥର ବନ୍ୟା ଫଳରେ ଚାଷୀମାନେ ପ୍ରଭାବିତ ହୋଇ ଅଣ୍ଟା ସଳଖିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଆଜିର ସୂଚନା ପୁଣି ସମସ୍ତଙ୍କୁ ଭୟଭୀତ କରାଉଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ସହ ବର୍ତ୍ତମାନ ସ୍ଥାନେସ୍ଥାନେ ବର୍ଷା ହେବା ସହ ଆକାଶ ମେଘାଚ୍ଛନ୍ନ ରହିଛି । ବିଗତ ବର୍ଷା ଭଳି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ନେଇ ସମସ୍ତ ବିଭାଗ ସଜାଗ ରହିଥିବା ଜଣାପଡିଛି । ଏଣୁ ଏଭଳି ସୂଚନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । BEOମାନେ ନିଜ ଅଧୀନସ୍ଥ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରର ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ ଓ ମୁଖ୍ୟଶିକ୍ଷକମାନଙ୍କୁ ସ୍କୁଲ ବନ୍ଦ ରଖିବା ସମ୍ପର୍କରେ ଅବଗତ କରାଇଛନ୍ତି । ସେହିପରି, ଘରୋଇ ବିଦ୍ୟାଳୟଗୁଡ଼ିକ ଆଜି ଶ୍ରେଣୀ ବନ୍ଦ ରହିବା ସମ୍ପର୍କରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ/ଅଭିଭାବିକାଙ୍କୁ ତୁରନ୍ତ WhatsApp, ଫୋନ୍ କଲ୍‌, SMS ଆଦି ମାଧ୍ୟମରେ ସୂଚନା ଦେବାକୁ ସମସ୍ତ ପ୍ରଧାନଶିକ୍ଷକ, ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ମୟୂରଭଞ୍ଜଙ୍କ ପକ୍ଷରୁ କୁହାଯାଇଛି । ଏନଲିନୋ ପ୍ରଭାବରେ ଚଳିତବର୍ଷ କମବର୍ଷାର ପ୍ରଭାବରେ ଚାଷ କ୍ଷତିର ପୂର୍ବ ସୂଚନା ନେଇ ଆଶଙ୍କା ଓ ପରେ ଚଳିତ ବର୍ଷା ପାଇଁ ୩ଥର ଲଗାତର ବନ୍ୟା ଫଳରେ ଚାଷୀଙ୍କ ବ୍ୟାପକ କ୍ଷତି ନେଇ ବିଭିନ୍ନ ଚାଷୀ ଭିନ୍ନ ମତ ଦେବା ଛଡା ସରକାରୀ ସହାୟତାକୁ ଆଶା ବାନ୍ଧିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *