
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା, ୧୧।୯: ଖୋରଧା ପଞ୍ଚାୟତ ସମିତି ଅଧୀନ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଲୋକେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ରାସ୍ତା, ଡ୍ରେନେଜ, ଜବରଦଖଲ ଓ ଷ୍ଟ୍ରିଟ୍ଲାଇଟ୍ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀ ଖୋରଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ର ଦେଇ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲୋକେଶ୍ୱର ମହାଦେବ ମନ୍ଦିରଠାରୁ ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ବର୍ଷାଦିନେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧବୃଦ୍ଧାଙ୍କ ଯାତାୟାତ ଦୁର୍ବିସହ ହୋଇପଡ଼ୁଛି।

ଅନ୍ୟପକ୍ଷରେ ଗ୍ରାମରେ ସୁବ୍ୟବସ୍ଥିତ ଡ୍ରେନେଜ ନଥିବାରୁ ବର୍ଷାଜଳ ସହ ଘରୋଇ ମଇଳା ପାଣି ଓ ଆବର୍ଜନା ରାସ୍ତା କଡ଼ରେ ଜମି ରହୁଛି। ଅନେକ ସମୟରେ ଦୂଷିତ ପାଣି ଘର ଭିତରକୁ ପଶୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ଫଳରେ ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ବିଭିନ୍ନ ରୋଗବ୍ୟାଧିର ଆଶଙ୍କା ଦେଖାଦେଇଛି। ଗ୍ରାମର ରାସ୍ତା ସଂକୁଚିତ ହେବାର ଅନ୍ୟତମ କାରଣ ଭାବେ କେତେକ ସ୍ଥାନରେ ସରକାରୀ ଜମିରେ ଅନଧିକୃତ ନିର୍ମାଣ ଓ ଜବରଦଖଲ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାରୀ ଜମିରେ ଘର, ପଥର ପାଚେରୀ ଆଦି ନିର୍ମାଣ ହୋଇଥିବାରୁ ରାସ୍ତାର ପ୍ରକୃତ ପ୍ରସ୍ଥ କମିଯାଇଛି ବୋଲି ସେମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରୀ ଜମିର ସଠିକ୍ ମାପଚୁପ କରାଯାଇ ଜବରଦଖଲ ଚିହ୍ନଟ ସହ ନିୟମାନୁସାରେ ଉଚ୍ଛେଦ ପାଇଁ ଦାବି ହୋଇଛି। ରାସ୍ତା ସଂକୁଚିତ ହେବା ଯୋଗୁଁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ଅନ୍ୟାନ୍ୟ ଜରୁରୀ ସେବା ଯାନ ଗ୍ରାମ ଭିତରକୁ ପ୍ରବେଶ କରିବାରେ ସମସ୍ୟା ହେବାର ଆଶଙ୍କା ରହିଛି। ତେଣୁ ରାସ୍ତାର ପ୍ରକୃତ ସୀମା ଚିହ୍ନଟ କରି ଅବାଧ ଯାତାୟାତ ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସେହିପରି ଗ୍ରାମର ରାସ୍ତାଗୁଡ଼ିକରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ଲାଇଟ ନଥିବାରୁ ସନ୍ଧ୍ୟା ଓ ରାତି ସମୟରେ ଯାତାୟାତରେ ଅସୁବିଧା ହେଉଛି। ଅନ୍ଧାର ଯୋଗୁଁ ଦୁର୍ଘଟଣା ସହ ଅନ୍ୟାନ୍ୟ ଅପ୍ରୀତିକର ଘଟଣାର ଆଶଙ୍କା ଥିବାରୁ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ଲାଇଟ ସ୍ଥାପନ କରିବାକୁ ମଧ୍ୟ ଦାବି କରାଯାଇଛି।
ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଲୋକେଶ୍ୱର ମହାଦେବ ମନ୍ଦିରଠାରୁ ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି, ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା, ସରକାରୀ ଜମିର ମାପଚୁପ କରି ଅନଧିକୃତ ଜବରଦଖଲ ଉଚ୍ଛେଦ, ଜରୁରୀକାଳୀନ ଯାନର ଅବାଧ ଯାତାୟାତ ଏବଂ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ଲାଇଟ୍ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଗ୍ରାମରେ ସ୍ଥଳ ପରିଦର୍ଶନ କରାଇ ସମସ୍ୟା ଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦୀର୍ଘଦିନର ଏହି ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ହେଲେ ଗ୍ରାମବାସୀଙ୍କ ଯାତାୟାତ, ଜନସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।



Total Users : 6801