
ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ :
ଭୁବନେଶ୍ୱର/ନୟାଗଡ଼, ୧୨ ସେପ୍ଟେମ୍ବର: ଓଡ଼ିଶାର ଡେଣ୍ଟାଲ ବ୍ୟବସାୟ ଜଗତର ଜଣେ ପରିଚିତ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସ୍ୱର୍ଗତ ରବି ନାରାୟଣ ପ୍ରଧାନଙ୍କ ଏକାଦଶାହ କ୍ରିୟା ଶନିବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାଣ୍ଡେରୀପଡ଼ା ପଞ୍ଚାୟତର ମଦନପୁର ଗ୍ରାମସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦନ୍ତ ଚିକିତ୍ସକ, ଡେଣ୍ଟାଲ ବ୍ୟବସାୟୀ, ଶୁଭେଚ୍ଛୁ ଓ ବନ୍ଧୁବର୍ଗ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱର୍ଗତ ପ୍ରଧାନ ୨୦୦୭ ମସିହାରୁ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କ୍ରିଷ୍ଣା ଟାୱାରଠାରେ SMD DENTAL DEPOT ପ୍ରତିଷ୍ଠା କରି ଡେଣ୍ଟାଲ ଉପକରଣ ଓ ସାମଗ୍ରୀ ବ୍ୟବସାୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରାୟ ଦୁଇ ଦଶନ୍ଧିର ବ୍ୟବସାୟିକ ଯାତ୍ରାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଦନ୍ତ ଚିକିତ୍ସକ, ଡେଣ୍ଟାଲ ଡିଲର ଓ ବ୍ୟବସାୟୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା। ସରଳ ବ୍ୟବହାର, ବନ୍ଧୁବତ୍ସଳ ସ୍ୱଭାବ ଓ ବ୍ୟବସାୟିକ ସମ୍ପର୍କ ପ୍ରତି ନିଷ୍ଠା ଯୋଗୁଁ ସେ ବ୍ୟବସାୟୀ ମହଲରେ ବେଶ୍ ପରିଚିତ ଥିଲେ।କିଛିଦିନ ପୂର୍ବେ ମସ୍ତିଷ୍କାଘାତରେ ଆକ୍ରାନ୍ତ ହେବା ପରେ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ସେପ୍ଟେମ୍ବର ୨୦୨୬ରେ ତାଙ୍କର ପରଲୋକ ଘଟିଥିଲା। ମାତ୍ର ୪୧ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ପରିବାରବର୍ଗ, ବନ୍ଧୁ, ଶୁଭେଚ୍ଛୁଙ୍କ ସମେତ ଡେଣ୍ଟାଲ ବ୍ୟବସାୟ ଜଗତରେ ଗଭୀର ଶୋକ ସୃଷ୍ଟି କରିଛି।

ଶନିବାର ଅନୁଷ୍ଠିତ ଏକାଦଶାହ କ୍ରିୟାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ଦନ୍ତ ଚିକିତ୍ସକ, ଡେଣ୍ଟାଲ ଡିଲର, ବ୍ୟବସାୟୀ, ବନ୍ଧୁବର୍ଗ ଓ ଶୁଭେଚ୍ଛୁ ଯୋଗଦେଇଥିଲେ। ବିଶେଷକରି ଭୁବନେଶ୍ୱର ନୟାପଲ୍ଲୀ କ୍ରିଷ୍ଣା ଟାୱାରର ବ୍ୟବସାୟୀ ବନ୍ଧୁମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ୱର୍ଗତ ପ୍ରଧାନଙ୍କ ସରଳତା, ମେଳାପୀ ଓ ବନ୍ଧୁବତ୍ସଳ ସ୍ୱଭାବ ସହ ବ୍ୟବସାୟିକ ଜୀବନରେ ଗଢ଼ିଥିବା ସୁସମ୍ପର୍କକୁ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ। ଏତେ କମ୍ ବୟସରେ ତାଙ୍କର ଅକାଳ ବିୟୋଗକୁ ଅନେକେ ଡେଣ୍ଟାଲ ବ୍ୟବସାୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଭିହିତ କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଉପସ୍ଥିତ ବନ୍ଧୁ, ସହଯୋଗୀ ଓ ଶୁଭେଚ୍ଛୁମାନେ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିକୁ ମନେପକାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।



Total Users : 6801