
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୨/୯-
ଏବେ ମୟୂରଭଞ୍ଜ ରେଳ ବିକାଶ କ୍ଷେତ୍ରରେ ଜିଲ୍ଲାବାସୀ ଓ ରେଳ ବିଭାଗର ତତ୍ପରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଶନିବାର ଦିନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୋରୁମହିଷାଣି ଆସି ଗୋରୁମହିଷାଣି ଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳପଥର ନିରୀକ୍ଷଣ କରି ଫେରିଯିବା ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ବିଗୁଣିତ କଲା ଭଳି ମନେହୁଏ । ପୂର୍ବରୁ ଉପେକ୍ଷିତ ମୟୂରଭଞ୍ଜ ରେଳସେବା ଖବର ଆମ ସମୀକ୍ଷା ଖବରକାଗଜରେ ପ୍ରକାଶିତ ହେବା ପରେ ଖବରର ପ୍ରଭାବ ଏଇଥିରୁ ଅନୁମେୟ ତଥା ଜିଲ୍ଲା ସମାଜସେବୀ ସମୂହଙ୍କ ଲଗାତର ପ୍ରୟାସ ଏଥିରେ ଖୁବଶୀଘ୍ର ସଫଳତା ଆଣିବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି ।

ଖବରକ୍ରମେ ଗତ ଅଗଷ୍ଟ ମାସରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଜମି ଅଧିଗ୍ରହଣ ଓ ଜମିଗୁଡିକୁ ଶିଘ୍ର ରେଳବାଇକୁ ହସ୍ତାନ୍ତର ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପୁଣି ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦ୍ହାଙ୍କ ସହ ଏକ ଦଳ ଦକ୍ଷିଣ-ପୂର୍ବ ରେଳ ମହାପ୍ରବନ୍ଧକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ରହିଛି । ଜୁଲାଇ ମାସରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ମଧ୍ୟ ଦକ୍ଷିଣ-ପୂର୍ବ ରେଳ ମହାପ୍ରବନ୍ଧକଙ୍କୁ ଭେଟି ବିଭିନ୍ନ ଉନ୍ନତିମୂଳକ ରେଳବିକାଶ ନେଇ ଆଲୋଚନା କରିଥିଲେ । ପୁଣି ସେଇ ବିକାଶ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ମଧ୍ୟ ଜୁଲାଇ ମାସରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଥିଲେ । ବିଭିନ୍ନ ମହଲରୁ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିବା ସମୟରେ ଶନିବାର ଏହି ଉଚ୍ଚସ୍ତରୀୟ ଦଳଙ୍କ ଆଗମନ ନେଇ ମୟୂରଭଞ୍ଜ ରେଳ କ୍ଷେତ୍ରରେ ନୂତନ ଆଶା ସଞ୍ଚାର ହୋଇଛି । ପୁଣି ଜମି ଅଧିଗ୍ରହଣ ପ୍ରକ୍ରିୟା ନେଇ ବିଭିନ୍ନ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବା ନୂତନ ପ୍ରକଳ୍ପ କାମକୁ ଖୁବଶୀଘ୍ର ଆଗକୁ ନେବା ଭଳି ଅନୁଭୂତ ହୁଏ । ପୁଣି ୩ଟି ଗ୍ରାମର ଜମି ଅଧିଗ୍ରହଣ ନେଇ ଦୁଇଦିନ ପୂର୍ବରୁ ଶ୍ରୀ ପୂର୍ତ୍ତି ଜିଲ୍ଲାପାଳ ଓ ଜିଲ୍ଲା ଭୂ-ବିଭାଗକୁ ଅବଗତ କରାଇଥିବା ଜଣାପଡିବା ପରେ ଶନିବାର ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସମେତ ପ୍ରତିନିଧି ଦଳ ରେଳ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥାରେ ପହଁଚି ତଦନ୍ତ କରିବା ଏକ ଖୁସିର ବିଷୟ । ତେବେ ଉକ୍ତ ପ୍ରତିନିଧି ଦଳରେ ଚକ୍ରଧରପୁର ସ୍ଥିତ ଏଡିଆରଏମଙ୍କ ସହିତ କଲିକତାସ୍ଥିତ ଦକ୍ଷିଣ -ପୂର୍ବ ରେଳପଥର ପ୍ରିନ୍ସିପାଲ ଚିଫ ଇଞ୍ଜିନିଅର, ଟାଟାନଗର ସ୍ଥିତ ଏଆରଏମ ଏବଂ ଅନ୍ୟାନ୍ୟ ଉଚ୍ଚ ସ୍ତରୀୟ ଅଧିକାରୀଗଣ ବିଛା ହେବାକୁଥିବା ବାଙ୍ଗରିପୋଷୀ – ଗୋରୁମହିଷାଣୀ ନୂତନ ରେଳଧାରଣା ବିଛାଣ ନେଇ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଏହା ବ୍ୟତୀତ ଗୋରୁମହିଷାଣୀ ଠାରୁ ବାଙ୍ଗରିପୋଷୀ ଯିବା ନିମନ୍ତେ ଗୋରୁମହିଷାଣୀ ରେଳଷ୍ଟେସନ ନିକଟ ଅଞ୍ଚଳ ପରିଦର୍ଶନ କରି ବାଦାମପାହାଡ଼ ଅଭିମୁଖେ ଯାଇଥିଲେ । ବାଦାମପାହାଡ଼ ଠାରୁ କେନ୍ଦୁଝର ନୂତନ ରେଳପଥର ନିରୀକ୍ଷଣ କାର୍ଯ୍ୟକ୍ରମ ନେଇ ଉକ୍ତ ଦଳ ବାଦାମପାହାଡ଼ ଯିବା ତଥା ରେଳ ବିଭାଗର ଅଧିକାରୀଙ୍କ ତଥ୍ୟ ଆଧାରରେ ଗୋରୁମହିଷାଣୀ ରେଳ ଷ୍ଟେସନ ନିକଟ ଭବିଷ୍ୟତରେ ଗୋରୁମହିଷାଣିର ସାନମଉଦା ନିକଟରେ ନୂତନ ରେଳଷ୍ଟେସନ କାରାଯିବାର ଯୋଜନା ଥିବା ଜଣାପଡିଛି ।

ହେଲେ ଦୀର୍ଘଦିନର ଅପେକ୍ଷା ପରେ ରେଳ ବିଭାଗର ଏଭଳି କାର୍ଯ୍ୟକ୍ରମ ଆଗକୁ ବଢ଼ିବାର ସୂଚନା ଦେଉଥିବାରୁ ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ପ୍ରକାଶ କରିଛନ୍ତି । ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ି ଚାଲିଥିବା ସମୟରେ ପୁଣିଥରେ ନୂତନ ପ୍ରକଳ୍ପ ପାଇଁ ପୂର୍ବ ଭଳି ଅବହେଳା ବା ମନ୍ଥର ପ୍ରକ୍ରିୟାର ଆଶ୍ରୟ ନନେଇ ଆଗାମୀ ଦିନରେ ଖୁବଶୀଘ୍ର ନୂତନ ପ୍ରକଳ୍ପ ଗୁଡିକର ଶୁଭାରମ୍ଭକୁ ଆଗ୍ରହର ସହ ଜିଲ୍ଲାବାସୀ ଅପେକ୍ଷା କରିଥିବା ବେଳେ ପୁଣି ବିଳମ୍ବ ହେଲେ ଦୃଢ଼ ଜବାବ ଦିଆଯିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ପ୍ରକାଶ ଥାଉକି ଏହି ନୂତନ ପ୍ରକଳ୍ପରେ ବୁଡାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବାଦାମପାହାଡ଼-କେନ୍ଦୁଝର ପାଇଁ ପଦକ୍ଷେପ ନିଆଯାଇଥିବା ସମୟରେ ରେଳ ସମ୍ପର୍କିତ ଅନ୍ୟାନ୍ୟ ବିଭିନ୍ନ ଦାବି ସହ କପ୍ତିପଦା ଉପଖଣ୍ଡ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ବହୁ ପୂର୍ବରୁ ଦାବି ରହିଛି । ଏହା ହୋଇ ପାରିଲେ ଜିଲ୍ଲା ବିକାଶର ବିଭିନ୍ନ ଦିଗକୁ ରେଳବାଇ ଆଗେଇନେବା ଦିଗରେ ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବ ।



Total Users : 6769