
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି, ତା୧୨।୯ : ପିପିଲି ପୂର୍ତ୍ତ ବିଭାଗ ଅଧୀନରେ ଥିବା ପିପିଲି ଦାଣ୍ଡମୁକୁନ୍ଦପୁର ମୁଖ୍ୟ ରାସ୍ତା ଅବସ୍ଥା ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ବିପଦ ସାଜିଛି। ଏହି ଖାଲ ଖମା ରାସ୍ତା ପାଇଁ ଛୋଟ ବଡ଼ ଦୃଘଟଣା ମାନ ଘଟୁଛି। ଦାଣ୍ଡମୁକୁନ୍ଦପୁର ମହାନ୍ତି ସାହି ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଛୋଟ ବଡ଼ ଖାଲ ଖମା ପାଇଁ ଯାତାୟତରେ ପୁରା ଅସୁବିଧା ଭୋଗୁଛନ୍ତି । ପିପିଲି ରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ୨ବର୍ଷ ତଳେ ପିଚୁ ପକାଯାଇ କାମ କରାଯାଇଥିଲା। ଫଳରେ ଦାଣ୍ଡମୁକୁନ୍ଦପୁର ମହାନ୍ତି ସାହି ଛକରୁ ମନ୍ଦିରଛକ ମଧ୍ୟରେ ପ୍ରାୟ ଶହେ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଜନତା ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି ମଟର ସହ ଦୈନିକ ଶହ ଶହ ଲୋକେ ଏହି ରାସ୍ତା ଉପରେ ଯାତାୟାତରେ ନିର୍ଭର କରନ୍ତି ।

ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ବେଳେ ଖାଲଖମା ଯୋଗୁଁ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି । ବର୍ଷା ସମୟରେ ଏହି ରାସ୍ତା ଆହୁରୀ ବିପଦ ସାଜୁଛି। ଖାଲ ଖମା ରେ ପାଣି ପଶି ରାସ୍ତା ସହ ସମାନ ହୋଇଯିବାରୁ ଅଧିକାଂଶ ଦୃଘଟଣା ଘଟୁଛି। ମହାନ୍ତି ସାହି ପାଖରେ ରାସ୍ତା ଉପରେ ବଡ଼ ଖାଲ ହୋଇଥିବାରୁ କିଛି ଅଘଟଣ ନାଘଟିବା ପାଇଁ ସ୍ଥାନୀୟ ଲୋକ ଖାଲ ଚାରିପାଖ ଝାଟି ବାଡ଼ ଦେଇ ଆବାଧ କରିଛନ୍ତି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ମରାମତି ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ଜୋର ହୋଇଛି ।



Total Users : 6801