
ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଘଟିଛି ଅଘଟଣ ।
ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ସୂଚନା ଅନୁସାରେ, ବିଶ୍ୱନାଥ ବାରିକଙ୍କ ନବ ନିର୍ମିତ ପାଇଖାନା ଟାଙ୍କି ସଫା କରିବା ଏବଂ ସେଣ୍ଟ୍ରିଙ୍ଗ ବାହାର କରିବା ପାଇଁ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ ।ହେଲେ ଟାଙ୍କି ଭିତରେ ଅମ୍ଳଜାନର ଅଭାବ ଯୋଗୁଁ ସେମାନେ ଶ୍ୱାସରୁଦ୍ଧ ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ପଦ୍ମପୁର ବ୍ଲକ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବୀର, ଆଲୋକ କରଡ଼ା ଏବଂ ପ୍ରକାଶ ଲିମା । ମୃତକଙ୍କ ମଧ୍ୟରେ ଜଣେ ମିସ୍ତ୍ରୀ ଥିବା ଜଣାପଡ଼ିଛି ।

ଘଟଣା ପରେ ପଦ୍ମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଏହି ଅଘଟଣ କିଭଳି ଘଟିଲା, ଟାଙ୍କି ଭିତରେ କେଉଁ ପରିସ୍ଥିତିରେ ତିନି ଜଣ ଓହ୍ଲାଇଥିଲେ, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପଦ୍ମପୁର ଥାନା ପୋଲିସ ପକ୍ଷରୁ କୁହାଯାଇଛି । ମୃତକ ଙ୍କ ଶବ ବ୍ୟବଛେଦ ଯଥା ଶୀଘ୍ର କରିବା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡିଛି.



Total Users : 6769