Headlines

ଡିଜିପି ଚୟନରେ କିଏ ଟାଣୁଛି ସୂତା? ସୁପ୍ରିମକୋର୍ଟ ହସ୍ତକ୍ଷେପ ପରେ ଓଡ଼ିଶା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ

ଶରତ ଚନ୍ଦ୍ର ବେହେରା / ବରିଷ୍ଟ ସାମ୍ବାଦିକ /ଭୁବନେଶ୍ୱର

ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଚୟନ ଏବେ କେବଳ ଜଣେ ବରିଷ୍ଠ ଆଇପିଏସ୍‌ଙ୍କ ନିଯୁକ୍ତି ପ୍ରସଙ୍ଗ ରହିନାହିଁ। ଏହା ରାଜ୍ୟ ପ୍ରଶାସନର ସ୍ୱଚ୍ଛତା, ନିଷ୍ପକ୍ଷତା, ଆଇନ ପ୍ରତି ସମ୍ମାନ ଓ ରାଜନୈତିକ ପ୍ରଭାବମୁକ୍ତ ନିଷ୍ପତ୍ତିର ଏକ ବଡ଼ ପରୀକ୍ଷାରେ ପରିଣତ ହୋଇଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର ସରକାର ଓ ପ୍ରଶାସନ ଦୁହିଁଙ୍କୁ ଦେବାକୁ ପଡ଼ିବ। କାରଣ ଡିଜିପି ଚୟନ ଭଳି ସମ୍ବେଦନଶୀଳ ପ୍ରକ୍ରିୟାରେ ଯଦି ଶେଷ ମୁହୂର୍ତ୍ତରେ ମାନଦଣ୍ଡ ବଦଳେ, ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରଶ୍ନବିଦ୍ଧ ହୁଏ ଏବଂ ନୂଆ ଅଫିସରଙ୍କୁ ଦୌଡ଼ରେ ଆଣିବା ପାଇଁ ତରବରିଆ ପଦୋନ୍ନତି ହୁଏ, ତେବେ ସନ୍ଦେହ ଉଠିବା ସ୍ୱାଭାବିକ। ରାଜ୍ୟ ସରକାର ପ୍ରଥମେ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ ଓ ଆର୍‌.ପି. କୋଚେଙ୍କ ନାମ ୟୁପିଏସସିକୁ ପଠାଇଥିଲେ। ପରେ ଆଉ ୮ଜଣ ବରିଷ୍ଠ ଅଧିକାରୀଙ୍କ ନାମ ମଧ୍ୟ ଯୋଡ଼ାଗଲା। ସେମାନଙ୍କ ସହ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଏଚ୍‌ଆର୍‌ପିସି କ୍ଲିଅରାନ୍ସ ଓ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଦିଆଯାଇଥିବା କୁହାଯାଉଛି। ତେବେ ପ୍ରଶ୍ନ ହେଉଛି—ଯଦି ଏପ୍ରିଲ ଓ ମଇ ମାସରେ ସୁଶାନ୍ତ ନାଥଙ୍କୁ ସମସ୍ତ ପ୍ରକାର କ୍ଲିଅରାନ୍ସ ମିଳିଥିଲା, ତେବେ ଅଗଷ୍ଟରେ ହଠାତ୍ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ କାହିଁକି ପ୍ରଶ୍ନବିଦ୍ଧ ହେଲା?

ଅଗଷ୍ଟ ୩ରେ ସିବିଆଇଠାରୁ ଓପିଆରବି ମାମଲାର ତଦନ୍ତ ସ୍ଥିତି ଓ ଶ୍ରୀ ନାଥଙ୍କ ଭୂମିକା ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ଯଦି ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ଚୟନ ପ୍ରକ୍ରିୟା ଆରମ୍ଭ ସମୟରେ ଏହି ଯାଞ୍ଚ କାହିଁକି ହୋଇନଥିଲା? ଶେଷ ମୁହୂର୍ତ୍ତରେ ଏଭଳି ପଦକ୍ଷେପ ନେବାର ପ୍ରଶାସନିକ ଆଧାର କ’ଣ ଥିଲା? ଏହିଠାରେ ଆଉ ଏକ ଘଟଣା ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ୟୁପିଏସସି ବୈଠକ ପରେ ଅତ୍ୟନ୍ତ ଶୀଘ୍ର ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠୁୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଗଲା। ପୂର୍ବରୁ ଯେଉଁ ପଦୋନ୍ନତି ହୋଇପାରିନଥିଲା, ତାହା ଏତେ ତ୍ୱରାନ୍ୱିତ ଭାବେ କାହିଁକି ହେଲା? ଏହି ପଦୋନ୍ନତି କେବଳ ପ୍ରଶାସନିକ ଆବଶ୍ୟକତା ଥିଲା, ନା ଡିଜିପି ଚୟନ ସହ ତାହାର କୌଣସି ସମ୍ପର୍କ ଥିଲା—ଏହା ସ୍ପଷ୍ଟ ହେବା ଦରକାର।

ଏହି ସମଗ୍ର ପ୍ରକ୍ରିୟାରେ ମୁଖ୍ୟ ସଚିବ ଅନୁ ଗର୍ଗ ଓ ଡିଜିପି ଚୟନ ସହ ଜଡିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ନାମ ପଠାଇବା ପୂର୍ବରୁ ସମସ୍ତ ରେକର୍ଡ ଯଦି ଭଲଭାବେ ଯାଞ୍ଚ ହୋଇଥିଲା, ତେବେ ପରେ ମତ ପରିବର୍ତ୍ତନର କାରଣ କ’ଣ? ଯଦି ଯାଞ୍ଚ ହୋଇନଥିଲା, ତେବେ ଏହା ନିଜେ ଏକ ଗମ୍ଭୀର ପ୍ରଶାସନିକ ଅବହେଳା। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପଦେଷ୍ଟା ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରମାଣ ବିନା ଦୋଷାରୋପ କରିବା ଉଚିତ ନୁହେଁ। ବରଂ ସରକାରଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ—କିଏ କେଉଁ ଫାଇଲରେ କେଉଁ ମତ ଦେଇଥିଲେ ଏବଂ ଶେଷ ନିଷ୍ପତ୍ତି କେଉଁ ସ୍ତରରେ ନିଆଯାଇଥିଲା। ‘ୟୁନିଅନ୍ ଅଫ୍ ଇଣ୍ଡିଆ ବନାମ କେ.ଭି. ଜାନକୀରମଣ’ ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ଥାପିତ ନୀତି ମଧ୍ୟ ଏଠାରେ ପ୍ରସଙ୍ଗିକ। କେବଳ ପ୍ରାରମ୍ଭିକ ତଦନ୍ତ ବା ଇନକ୍ୱାରି ଚାଲିଥିବାକୁ ଆଧାର କରି ଜଣେ ଅଧିକାରୀଙ୍କ ସେବାଗତ ସୁଯୋଗ ସ୍ୱତଃ ଅବରୋଧ ହେବା ଉଚିତ ନୁହେଁ। ତେଣୁ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ଉପରେ ପୁନଃବିଚାର ପାଇଁ ସରକାରଙ୍କ ପାଖରେ କେଉଁ ନୂତନ ଏବଂ ଗମ୍ଭୀର ସାମଗ୍ରୀ ଥିଲା, ସେଥିରେ ସ୍ୱଚ୍ଛତା ଆବଶ୍ୟକ।

ଏହି ବିବାଦର ସବୁଠାରୁ ବଡ଼ କ୍ଷତି ହେଉଛି ପୁଲିସ ବଳର ମନୋବଳ ଓ ସରକାରଙ୍କ ବିଶ୍ୱସନୀୟତା। ବରିଷ୍ଠତା, ଯୋଗ୍ୟତା ଓ ନିଷ୍ଠା ଆଧାରରେ ପଦୋନ୍ନତି ଓ ଚୟନ ହୁଏ ବୋଲି ଯେ ଆସ୍ଥା ରହିଛି, ତାହା ଦୁର୍ବଳ ହେଲେ ସମଗ୍ର ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୁଏ। ସେହିପାଇଁ ଏବେ ସରକାରଙ୍କ ପାଇଁ ଏକମାତ୍ର ପଥ—ସମ୍ପୂର୍ଣ୍ଣ ସ୍ୱଚ୍ଛତା। କେଉଁ ତାରିଖରେ କେଉଁ ରିପୋର୍ଟ ଆସିଲା, କେଉଁ ଅଧିକାରୀ କେଉଁ ମତ ଦେଲେ, ଇଣ୍ଟିଗ୍ରିଟି କ୍ଲିଅରାନ୍ସ କାହିଁକି ବଦଳିଲା ଏବଂ ପଦୋନ୍ନତି କାହିଁକି ତ୍ୱରାନ୍ୱିତ ହେଲା—ସବୁ ତଥ୍ୟ ସାମ୍ନାକୁ ଆସିବା ଦରକାର। କାରଣ ଏଠାରେ ପ୍ରଶ୍ନ କେବଳ “ପରବର୍ତ୍ତୀ ଡିଜିପି କିଏ?” ନୁହେଁ।

ବଡ଼ ପ୍ରଶ୍ନ ହେଉଛି—“ଡିଜିପି କିଏ ହେବେ, ସେଥିରେ ଆଇନ ଓ ଯୋଗ୍ୟତା ନିଷ୍ପତ୍ତି ନେବ କି ଅଦୃଶ୍ୟ ପ୍ରଭାବ?”

Leave a Reply

Your email address will not be published. Required fields are marked *