୮୬ଟି ବିପଦସଙ୍କୁଳ !୧୧୫ କେନ୍ଦ୍ରର ନିର୍ମାଣ ଆରମ୍ଭ ହୋଇନି, ୧୧୩ଟି ଅଧପନ୍ତରିଆ !

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ରାୟଗଡ଼ା, ୧୬/୦୯: ଶିଶୁ ଓ ମାତୃ କଲ୍ୟାଣକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାନା ଯୋଜନା ପ୍ରଣୟନ କରୁଥିବା ସତ୍ତ୍ୱେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ମୌଳିକ ଭିତ୍ତିଭୂମି ଏବେ ବି ଅସଜଡ଼ା। ଜିଲ୍ଲା ଗଠନର ୩୩ ବର୍ଷ ପରେ ମଧ୍ୟ ଅନେକ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହ ଅଭାବରେ ଭଡ଼ା ଘର, ବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ରରେ ଚାଲିଥିବା ବେଳେ ବହୁ କେନ୍ଦ୍ରର ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହା ଜିଲ୍ଲାର ଶିଶୁ ଓ ମାତୃ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି।

ରାଜ୍ୟ ସରକାରଙ୍କ ‘ଅସମ୍’ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ରାୟଗଡ଼ା ଜିଲ୍ଲାରେ ମୋଟ ୨୦୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୮୭୩ଟି କେନ୍ଦ୍ର ଅନୁମୋଦିତ ହୋଇଥିବା ବେଳେ ୨୧୪ଟି କେନ୍ଦ୍ର ଅନୁମୋଦନ ଅପେକ୍ଷାରେ ରହିଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୫୩୯ଟି ନିଜସ୍ୱ ଗୃହରେ ପରିଚାଳିତ ହେଉଛି। ଅବଶିଷ୍ଟ ୫୪୮ଟି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ସେଗୁଡ଼ିକ ଭଡ଼ା ଘର, ବିଦ୍ୟାଳୟ କିମ୍ବା ଗୋଷ୍ଠୀ କେନ୍ଦ୍ରରେ ଚାଲିଛି।
ନିଜସ୍ୱ ଗୃହ ନଥିବା ୫୪୮ଟି କେନ୍ଦ୍ର ମଧ୍ୟରୁ ୨୩୬ଟି ଗୋଷ୍ଠୀ କେନ୍ଦ୍ରରେ, ୫୪ଟି ବିଦ୍ୟାଳୟରେ ଏବଂ ସର୍ବାଧିକ ୨୫୮ଟି ଭଡ଼ା ଘରେ ପରିଚାଳିତ ହେଉଛି। ଫଳରେ ଅଙ୍ଗନବାଡ଼ିର ନିଜସ୍ୱ ଭିତ୍ତିଭୂମି ଅଭାବ ଏବେ ମଧ୍ୟ ଜିଲ୍ଲାର ଏକ ପ୍ରମୁଖ ସମସ୍ୟା ହୋଇ ରହିଛି।
ଅନ୍ୟପକ୍ଷରେ, ଜିଲ୍ଲାର ୧୧୫ଟି ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇପାରିନାହିଁ। ଏଥିମଧ୍ୟରେ ରାୟଗଡ଼ା ବ୍ଲକରେ ସର୍ବାଧିକ ୪୧ଟି, କାଶୀପୁରରେ ୨୪ଟି ଏବଂ ଗୁଣୁପୁରରେ ୨୦ଟି କେନ୍ଦ୍ର ରହିଛି। ସେହିପରି ୧୧୩ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏଥିରେ କାଶୀପୁର ବ୍ଲକରେ ସର୍ବାଧିକ ୩୯ଟି ଏବଂ ଗୁଣୁପୁରରେ ୨୯ଟି କେନ୍ଦ୍ର ରହିଛି।
ଏହା ସତ୍ତ୍ୱେ ଆଉ ଏକ ଅଦ୍ଭୁତ ପରିସ୍ଥିତି ହେଉଛି, ୨୦ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ସେଗୁଡ଼ିକୁ ଏଯାଏଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇନାହିଁ। ଏଥିରେ କାଶୀପୁରର ୮ଟି ଓ ଗୁଣୁପୁରର ୪ଟି କେନ୍ଦ୍ର ସାମିଲ ଅଛି।
୮୬ କେନ୍ଦ୍ର ବିପଦସଙ୍କୁଳ
ତେବେ ସମଗ୍ର ଚିତ୍ରର ସବୁଠାରୁ ଉଦ୍ବେଗଜନକ ଦିଗ ହେଉଛି, ଜିଲ୍ଲାର ୮୬ଟି ଅଙ୍ଗନବାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣ ବିପଦସଙ୍କୁଳ ବା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏଭଳି ଗୃହରେ ଛୋଟ ଛୋଟ ଶିଶୁମାନେ ନିୟମିତ ଭାବେ ବସି ଶିକ୍ଷା ଗ୍ରହଣ କରିବା ସହ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି।

ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ମୋଟ ୮୬ଟି କେନ୍ଦ୍ର ମଧ୍ୟରୁ ବିଷମକଟକ ବ୍ଲକରେ ସର୍ବାଧିକ ୧୪ଟି ବିପଦସଙ୍କୁଳ ଗୃହ ରହିଛି। ସେହିପରି କାଶୀପୁର, କୋଲନରା ଓ ମୁନିଗୁଡ଼ା ବ୍ଲକରେ ୧୨ଟି ଲେଖାଏଁ ଏବଂ ଗୁଣୁପୁରରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଶିଶୁ ଓ ମାତୃ କଲ୍ୟାଣ ବ୍ୟବସ୍ଥାର ଏକ ମୁଖ୍ୟ ଆଧାର। ଏଭଳି ସ୍ଥିତିରେ ନିଜସ୍ୱ ଗୃହ ନଥିବା, ନିର୍ମାଣ କାର୍ଯ୍ୟ ଅଟକି ରହିବା ଏବଂ ବିପଦସଙ୍କୁଳ ଗୃହରେ କେନ୍ଦ୍ର ଚାଲିବା ଘଟଣା ଏହି ବ୍ୟବସ୍ଥାର ଭିତ୍ତିଭୂମି ବିକାଶକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ବିପଦସଙ୍କୁଳ କେନ୍ଦ୍ରଗୁଡ଼ିକର ତୁରନ୍ତ ମରାମତି କିମ୍ବା ନୂତନ ଗୃହ ନିର୍ମାଣ, ଅଧପନ୍ତରିଆ କାର୍ଯ୍ୟର ଶୀଘ୍ର ସମାପ୍ତି ଏବଂ ସମ୍ପୂର୍ଣ୍ଣ ହୋଇଥିବା କେନ୍ଦ୍ରଗୁଡ଼ିକର ତୁରନ୍ତ ହସ୍ତାନ୍ତର ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।



Total Users : 6801