ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର :
ଭୁବନେଶ୍ୱର: ପ୍ରକୃତି ସହ ଗଭୀର ସାଂସ୍କୃତିକ ସମ୍ପର୍କ ଏବଂ ପରିବେଶ ଅନୁକୂଳ ଢଙ୍ଗରେ ଗଣେଶ ପୂଜା ପାଳନର ବାର୍ତ୍ତା ଦେଇ ବାକୁଳ ଫାଉଣ୍ଡେସନ ପକ୍ଷରୁ ଅଭିନବ ‘ଟ୍ରି ଗଣେଶ’ ପଦକ୍ଷେପ ମାଧ୍ୟମରେ ଗଣେଶ ପୂଜା ପାଳନ କରାଯାଇଛି। କ୍ରମାଗତ ସପ୍ତମ ବର୍ଷ ପାଇଁ ବାକୁଳ ଲାଇବ୍ରେରୀ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)ର ଏକ ପୁରୁଣା ଗଛକୁ ବାକୁଳ ସ୍ୱେଚ୍ଛାସେବୀମାନେ ପ୍ରାକୃତିକ, ପରିବେଶ ଅନୁକୂଳ ଓ ପୁନଃବ୍ୟବହୃତ ସାମଗ୍ରୀରେ ପ୍ରଭୁ ଗଣେଶଙ୍କ ରୂପ ଦେଇଛନ୍ତି।

ରଙ୍ଗ ଦିଆଯାଇଥିବା ନଡ଼ିଆକୁ ମୂଷିକ ରୂପେ ବ୍ୟବହାର କରାଯାଇଥିବା ବେଳେ ପାରମ୍ପରିକ କୁଲାକୁ ଗଣେଶଙ୍କ କାନ ଭାବେ ବ୍ୟବହାର କରାଯାଇଛି। ସେହିପରି ପୁନଃବ୍ୟବହୃତ ଥର୍ମୋକଲ୍ ଓ ସନବୋର୍ଡରେ ଦାନ୍ତ ଏବଂ ଆଖି ତିଆରି କରାଯାଇଛି। ଗଛର କାଣ୍ଡକୁ ରଙ୍ଗ କରି ଗଣେଶଙ୍କ ମୁହଁ ଓ ଶୁଣ୍ଢର ଆକୃତି ଦିଆଯାଇଛି। ଏହି “ଟ୍ରି ଗଣେଶ”*ଙ୍କୁ ଗୋଲାପୀ ଧୋତି ଓ ପଗଡ଼ି ପିନ୍ଧାଇ ଏକ ଆଧୁନିକ ଶୈଳୀରେ ପାରମ୍ପରିକ ଗଣେଶଙ୍କ ରୂପକୁ ପ୍ରତିପାଦିତ କରାଯାଇଛି।

ପାରମ୍ପରିକ ମୂର୍ତ୍ତି ଭଳି ଏହି ଟ୍ରି ଗଣେଶଙ୍କର ବିସର୍ଜନ କରିବାକୁ ପଡ଼େ ନାହିଁ। ବର୍ଷା ହେବା ସହିତ ଗଛରେ କରାଯାଇଥିବା ଚିତ୍ରକଳା ଧୀରେ ଧୀରେ ଧୋଇଯିବ ଏବଂ ଗଛଟି ଅକ୍ଷତ ରହିବ। ଏହାଦ୍ୱାରା ମୂର୍ତ୍ତି ବିସର୍ଜନରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଓ ଜଳ ପ୍ରଦୂଷଣକୁ ଏଡ଼ାଇ ହେବ ବୋଲି ବାକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ମୂର୍ତ୍ତି ବିସର୍ଜନର ପରିବେଶ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ପ୍ରକୃତି ସହ ସମନ୍ୱୟ ରଖି ପର୍ବପର୍ବାଣୀ ପାଳନ କରିବା ପାଇଁ ଏହି ଅଭିନବ ପଦକ୍ଷେପ ପ୍ରେରଣା ଯୋଗାଇବ।



Total Users : 6821