Headlines

ଉତ୍ତରଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ପ୍ରଥମ ରଥଯାତ୍ରା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଭକ୍ତର ନିଷ୍ଠାଭକ୍ତି ସମର୍ପଣ ପାଇଁ ସ୍ୱୟଂ ଭଗବାନ ଆବିର୍ଭାବ ହୋଇଥାନ୍ତି, ଭକ୍ତର ମନସ୍କାମନା ପୂରଣ କରିଥାନ୍ତି । ଉତ୍ତର ଓଡିଶା ପ୍ରସିଦ୍ଧ ତଥା ବଡ଼ସାହି ବ୍ଲକ ଅଧୀନରେ ରହିଥିବା କଉଡ଼ିଖଣି ଶାଳଜଙ୍ଗଲ ମଧ୍ୟରେ ଅବସ୍ଥିତ ମା’ ହିଙ୍ଗୁଳାପୀଠରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟତଃ ଓଡିଶା ତଥା ପଡୋଶୀ ରାଜ୍ୟରେ ମା’ହିଙ୍ଗୁଳାପୀଠର ଖ୍ୟାତି ବହୁଳ ଆଲୋଚିତ । ମାଆ ଅଗ୍ନିତତ୍ତ୍ୱର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରସିଦ୍ଧ । ପ୍ରତିଦିନ ତ୍ରିକାଳ ସେବା ପୂଜା ହେଉଥିଲେ ହେଁ ମଙ୍ଗଳବାର ଓ ଶନିବାର ମାଆଙ୍କ ପୀଠକୁ ଭକ୍ତଙ୍କ ଆଗମନ ବହୁଳ ହୋଇଥାଏ । ଭକ୍ତଙ୍କ ମାନସିକ ପୂରଣ ହେଉଥିବାରୁ ତଥା ନିଜ ଭକ୍ତଙ୍କୁ ନିରାଶ କରୁନଥିବାରୁ ମାଆ ପ୍ରତ୍ୟକ୍ଷ ଠାକୁରାଣୀ ତଥା ଅଗ୍ନିଦେବୀ ଭାବେ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଛନ୍ତି । ତେବେ ମାଘପୂର୍ଣିମାରେ ବର୍ଷରେ ଥରେ ମାତ୍ର ମାଆଙ୍କ ବାର୍ଷିକ ପୂଜା ବା ଅଗ୍ନ୍ୟୁତ୍ସବ ଯଜ୍ଞ ପାଇଁ ଉକ୍ତଦିନ ପୀଠରେ ଓଡିଶା ତଥା ପଡୋଶୀ ରାଜ୍ୟର ଲକ୍ଷଲକ୍ଷ ଭକ୍ତ ସମାଗମ ହୋଇଥାଏ । ପୂର୍ଣ୍ଣିମା ପରବର୍ତ୍ତୀ ପ୍ରଥମ ମଙ୍ଗଳବାର ବା ଶନିବାର ଦିନ ବଡ଼ପୂଜା ହୁଏ ତଥା ଏହି ଯଜ୍ଞର ପୂର୍ଣ୍ଣାହୂତି ଦିଆଯାଏ । ସେଦିନ ହେଉଥିବା ପୂଜାରେ ବ୍ୟବହୃତ ପ୍ରସାଦକୁ କୌଣସି ଭକ୍ତ ସେବନ ନକରି ନିର୍ଦ୍ଧିଷ୍ଟ କୁଣ୍ଡରେ ସମର୍ପଣ କରିଥାନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ନିର୍ଦ୍ଦିଷ୍ଟ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଏ ।ଉଲ୍ଲେଖ କରାଯାଇପାରେ କି ମାଆଙ୍କ ପୀଠ ପରିସରରେ ନବନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି ମାଆଙ୍କ ଭକ୍ତ ଶ୍ରୀରାମଚନ୍ଦ୍ର ଦରବାର, ମାଆଙ୍କ ଭୈରବ ଭୀମେଶ୍ବର ମହାଦେବ ତଥା ଚତୁର୍ଦ୍ଧାମୂର୍ତ୍ତି ପ୍ରଭୁ ଜଗନ୍ନାଥ । ଏହା ଏକ ଆଧ୍ୟାତ୍ମିକ ସମନ୍ୱୟ ପରିବେଶ । ତ୍ୟାଗ ଓ ଶକ୍ତିର ପ୍ରତୀକ ଶିବ ହେଉଛନ୍ତି ସଂହାର ଓ ପୁନର୍ଜନ୍ମର ଦେବତା । ସେହିଭଳି ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ତାଙ୍କ ପୂଜା ମାଧ୍ୟମରେ ଜୀବନରେ ସତ୍ୟ, ନ୍ୟାୟ ଓ ନୀତି ପାଳନ କରିବାକୁ ଶିକ୍ଷା ମିଳେ । ପୁଣି ଏକତା ଓ ଭକ୍ତିର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତ ଜାତି, ଧର୍ମ ଓ ବର୍ଗକୁ ଏକତ୍ରିତ କରିଥାନ୍ତି । ଏହାର ମୂଳ ରହସ୍ୟ ହେଉଛି ସମସ୍ତେ ଏକ ଓ ଭକ୍ତି ହିଁ ସର୍ବଶ୍ରେଷ୍ଠ । ଏଣୁ ସୃଷ୍ଟିର ଏଭଳି ସମନ୍ୱୟ ଆମକୁ ଶକ୍ତି, ଧର୍ମ ଓ ଭକ୍ତି ଏ ତିନିଟି ଶିକ୍ଷା ଦିଏ ଓ ସଠିକ ମାର୍ଗ ଦେଖାଏ । ଏଣୁ ଅନ୍ୟଭାବେ କଉଡିଖଣି ମା’ହିଙ୍ଗୁଳାଙ୍କ ପୀଠର ବିଶେଷତ୍ୱ ଏହିଭଳି, ଯାହା ଫଳରେ ଭକ୍ତଙ୍କ ସମାବେଶ ପ୍ରତ୍ୟହ ଲାଗିରହେ । ଶାଳଜଙ୍ଗଲ ଘେର ପରିବେଶ ଭକ୍ତଙ୍କୁ ଅଧିକ ଆକୃଷ୍ଟ କରିବା ସହ ମନକୁ ଶାନ୍ତି ପ୍ରଦାନ, ଏକାନ୍ତ ଭାବ ଓ ଶୀତଳତା ପ୍ରଦାନ କରେ ।ବିଶ୍ବପ୍ରସିଦ୍ଧ ପୁରୀ ଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ ଦିନ ପରେ ଅର୍ଥାତ ୧୭ଜୁଲାଇ, ଶୁକ୍ରବାର ମାଆଙ୍କ ପୀଠରେ ରହିଥିବା ଏହି ଜଗନ୍ନାଥଙ୍କ ରଥଯାତ୍ରା ପ୍ରଥମଥର ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏହି ପ୍ରଥମ ରଥଯାତ୍ରା ପାଇଁ ହିଙ୍ଗୁଳା ମନ୍ଦିର ସେବା ସଂସ୍ଥା ଓ ପରିଚାଳନା ସଦସ୍ୟ ମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ନୂତନ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ହେଁ ପାରିପାର୍ଶ୍ବିକ ସାଜସଜ୍ଜା ପାଇଁ ଆୟୋଜନ ଚାଲୁ ରହିଛି । ୧୭ ତାରିଖ ବିଭିନ୍ନ ନୀତି ଓ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଜଗନ୍ନାଥ ରଥାରୂଢ ହୋଇ ଅପରାହ୍ନ ୪ଟା ବେଳକୁ ନିକଟସ୍ଥ ଚାନ୍ଦଡିହା ଯିବେ । ସେଠାରେ ନବନିର୍ମିତ ମାଆ ବାସନ୍ତୀ ମନ୍ଦିର ହେଉଛି ଗୁଣ୍ଡିଚା ମନ୍ଦିର ବା ମାଉସୀ ଘର । ବାହୁଡା ପର୍ଯ୍ୟନ୍ତ ପ୍ରତିଦିନ ଏଥିପାଇଁ ପ୍ରବଚନ, ପାଲା, ଭଜନ ଭଳି କାର୍ଯ୍ୟକ୍ରମର ଆୟୋଜନ ରହିଛି । ଭିଡକୁ ପରିଲକ୍ଷିତ କରି ତଥା ଅନ୍ୟାନ୍ୟ ପାରିପାର୍ଶ୍ବିକ ପରିସ୍ଥିତି ପାଇଁ ପ୍ରଶାସନ ସହାୟତା ରହିଛି । ସେହିଭଳି ବ୍ଲକ ଅଧିନସ୍ଥ ବଡ଼ସାହି, ପ୍ରତାପପୁର, ମାଣତ୍ରୀ ତଥା ଅଞ୍ଚଳର ଅନ୍ୟ କେତେକ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ ହୋଇଥାଏ ।

Leave a Reply

Your email address will not be published. Required fields are marked *