ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୧୫/୦୮/୨୦୨୬: କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ପ୍ରାତଃକାଳୀନ ରାମଧୁନ୍, ପ୍ରଭାତଫେରି ଏବଂ ସହରର ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ଷ୍ଟାଡିୟମ୍ରେ ଆୟୋଜିତ ମୁଖ୍ୟ ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସେ ସମ୍ମିଳିତ ପ୍ୟାରେଡ୍ ପରିଦର୍ଶନ କରି ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ।
ନିଜ ବକ୍ତବ୍ୟରେ ଶ୍ରୀ ସିଂ ଦେଓ ଦେଶର ସ୍ୱାଧୀନତା ପାଇଁ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କୁ ସ୍ମରଣ କରିଥିଲେ। ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସହ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାର ସର୍ବାଙ୍ଗୀଣ ବିକାଶରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।
କଳାହାଣ୍ଡିର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ସ୍ମରଣ କରି ସେ ବୀର ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ବଳିଦାନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଳାହାଣ୍ଡିର କଳା, ସଂସ୍କୃତି ଓ ପରମ୍ପରା ମହାନ ବୋଲି ଉଲ୍ଲେଖ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଓ ଜଳସେଚନ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ସମ୍ମିଳିତ ପ୍ୟାରେଡ୍ରେ ପୋଲିସ ବାହିନୀ, ହୋମଗାର୍ଡ, ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ମୋଟ ୪୫ଟି ଦଳ ଅଂଶଗ୍ରହଣ କରି ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। ବିଜେତା ଦଳଗୁଡ଼ିକୁ ଶିଲ୍ଡ ଓ ଟ୍ରଫି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିନେଶ କୁମାର କହଁର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ, ସାମ୍ବାଦିକ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ।
ପ୍ୟାରେଡ୍ ପରେ ମୁଖ୍ୟ ଅତିଥି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନଠାରେ ଅଣଗେଜେଟେଡ୍ କର୍ମଚାରୀ ସଂଘ ଓ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର କମିଟି ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ। ପରେ ସେ ଜିଲ୍ଲା କାରାଗାର ଓ ବାଳସୁଧାର ଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ମଧ୍ୟାହ୍ନରେ ସ୍ଥାନୀୟ ସର୍କିଟ୍ ହାଉସ୍ରେ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀ ତଥା ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ସିଂ ଦେଓ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ।
ସନ୍ଧ୍ୟାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ସହ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀକାନ୍ତ ଦଳେଇଙ୍କ ସମେତ ବହୁ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନରୁ ୨୫ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମଟି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।
ସ୍ୱାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସଫଳତାର ସହ ଆୟୋଜନ କରିବାରେ ବିଭିନ୍ନ ବିଭାଗ, ଅଧିକାରୀ, କର୍ମଚାରୀ, ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ରହିଥିଲା।
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: କଳାହାଣ୍ଡିରେ ଧୁମଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ


Total Users : 3576