
ଭବାନୀ ଶଙ୍କର ମିଶ୍ର/ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି,
ସାଧାରଣତଃ ମୟୂରଭଞ୍ଜ ଓ ପଡୋଶୀ ଜିଲ୍ଲା ସହ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟ ଏକାଧାରରେ ପ୍ରକୃତିପ୍ରେମୀ, ପାରମ୍ପରିକ ତଥା ସଂସ୍କୃତି ପ୍ରେମୀ ଏବଂ ଶାନ୍ତଶୀଳ ସ୍ୱଭାବର । ମକର, ଟୁସୁ ମେଳା, କାଳୀପୂଜା ବାନ୍ଦଣା ପରବ ବା ଗୋ ପୂଜାକୁ ଛାଡି କରମ ପୂଜା ବା ପର୍ବ ହେଉଛି କୁଡୁମୀଙ୍କ ପାଳିତ ବିଶେଷ ପର୍ବ । ସମୟ ପାଖେଇଲେ ଗାଁ ଗହଳିରୁ ଶୁଭୁଥିବା ମାଦଳ ବାଜା ଏସବୁ ପର୍ବର ପୂର୍ବ ସୂଚନା ଆଣିଦିଏ । ପୂଜା ପୂର୍ବରୁ ମାଦଳ ବାଜାକୁ ପରଖିବା ଅର୍ଥ ଆଗକୁ କୁଡୁମୀ ପର୍ବ । ତେବେ ଆଲୋଚିତ ଏହି ବିଶେଷ ‘କରମ ପୂଜା’ ଭାଦ୍ରବ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ଦିନ ପାଳନ ହୋଇଥାଏ । ପ୍ରାଚୀନ କାଳରୁ ନିଷ୍ଠା, ଆନନ୍ଦଉଲ୍ଲାସର ସହ ଏହି ପୂଜାରେ ପ୍ରକୃତିରାଣୀଙ୍କୁ ସମ୍ମାନ ଜଣାଇବା ଛଡା ଫସଲ ଏବଂ ପରିବାରର ଶୁଭମନାସୀ ଥାଆନ୍ତି କୁଡୁମୀମାନେ । ଏଭଳି ବିଶେଷ ପର୍ବ ପାଇଁ କରମପୂଜା ଦିନକୁ ଓଡ଼ିଶାରେ ସରକାରୀ ଛୁଟି ପାଇଁ ଉକ୍ତ ସମ୍ପ୍ରଦାୟ ବିଭିନ୍ନ ସମୟରେ ଦାବି ଉଠାଇଛନ୍ତି, କାରଣ ପଡୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟରେ ସରକାର ଏହିଦିନକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରିଥାନ୍ତି । ଚଳିତବର୍ଷ ଇଂରାଜୀ ୨୨ତାରିଖ, ମଙ୍ଗଳବାର ବଡ ଏକାଦଶୀ ଦିନ ଏହି ବିଶେଷ କରମ ପୂଜାକୁ ପ୍ରଥା ଓ ପରମ୍ପରା ଅନୁଯାୟୀ ପାଳନ କରିବେ ଏହି କୁଡୁମୀ ସମ୍ପ୍ରଦାୟ । କ୍ରମାନ୍ଵୟରେ ଅନେକ ସ୍ଥାନରେ ୧୮ ତାରିଖ-ବାଲି ଉଠାଣ, ୨୧ ତାରିଖ-ଜାଗରଣ, ୨୨ ତାରିଖ-କରମ ପୂଜା ଓ ବାସୀ ୨୩ ତାରିଖରେ ସମୂହ ପ୍ରସାଦ ସେବନ ଭଳି ଆୟୋଜନର ସୂଚନା ରହିଛି । ଏହି ପୂଜା ପଛରେ ଅନେକ କିମ୍ବଦନ୍ତୀ ଜଡିତ ଥିବା ନେଇ ବିଭିନ୍ନ ମତ ରହିଛି । ଲୋକକଥା ଅନୁଯାୟୀ ପ୍ରାୟତଃ ଭାଗ୍ୟ ନିର୍ଦ୍ଧାରଣ ବିଶ୍ୱାସରେ, ସନ୍ତାନ ପ୍ରାପ୍ତି, ଭଲ ଫସଲ ଅମଳ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାନସିକ ପୂର୍ବକ ଏହି ପୂଜା ପାଳିତ ହେଉଥିବା ଛଡା ଏହାକୁ କୃଷି ଭିତ୍ତିକ ପର୍ବ ବୋଲି ମଧ୍ୟ ବହୁମତ ରହିଛି ।
ଲୋକକଥା ଅନୁଯାୟୀ ତତ୍କାଳୀନ ରାଜା ଭଞ୍ଜ ବା ଅନେକଙ୍କ ମତରେ ରାଜା ଉତ୍ଥାନପାଦ ସନ୍ତାନହୀନ ଥିଲେ । ବିଶେଷ ସୂଚନା ଓ ଅନୁଧ୍ୟାନ କ୍ରମେ ରାଜା ଜାଣିଲେ ଯେ ସ୍ଵର୍ଗରେ ଇନ୍ଦ୍ରଦେଵ କରମପୂଜା କରୁଛନ୍ତି ଏବଂ ସେ ବାବଦକୁ ସମସ୍ତ ତଥ୍ୟ ସଂଗ୍ରହ କରି ନିଷ୍ପତ୍ତି ନେଇ ରାଜା ମଧ୍ୟ ବିଧିମତେ କରମପୂଜା କଲେ । ଉକ୍ତ ପୂଜା ପରେ ରାଜା ବାପା ହେବାର ଶୁଭଖବର ରାଜ୍ୟରେ ପ୍ରଚାର ହୋଇଗଲା । ପର୍ଯ୍ୟାୟକ୍ରମେ ରାଜାଙ୍କର ଦୁଇଟି ପୁତ୍ର ଜନ୍ମଲାଭ କଲେ । ରାଜା ଧରମୁ ଓ କରମୁ ନାମରେ ଦୁଇଜଣଙ୍କ ପରିଚୟ ରଖିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ କରମ ପୂଜା କରିଚାଲିଲେ । ରାଜାଙ୍କର ମୃତ୍ୟୁ ପରେ ଦୁଇଭାଇ ଧରମୁ ଓ କରମୁ ଅଲଗା ହୋଇ ରାଜ୍ୟକୁ ଦୁଇଭାଗ କରି ପରସ୍ପର ମଧ୍ୟରେ ବାଣ୍ଟି ନେଲେ ତଥା ନିଜ ରାଜ୍ୟରେ ନିଜେ ଶାସନ କରିବାକୁ ଲାଗିଲେ । କରମୁ ନିଷ୍ଠାର ସହ ବିଧି ଅନୁଯାୟୀ ପୂଜା କରୁଥିଲା ବେଳେ କରମୁ ପୂଜାରେ ବ୍ୟତିକ୍ରମ କରୁଥିଲା । ଏଣୁ ଧରମୁ ଦୁଃଖକଷ୍ଟର ସମ୍ମୁଖୀନ ହେଲା ବେଳକୁ କରମୁର ଉନ୍ନତି ହୋଇଚାଲିଲା । ତେବେ ଧରମୁ ବିଦେଶ ବୁଲି ବାଣିଜ୍ୟ କରୁଥିବା ବେଳେ କରମୁ ଚାଷ କରୁଥାଏ । ଭଲ ଫସଲ ଅମଳ ପାଇଁ କରମୁକୁ ସ୍ୱପ୍ନାଦେଶ ହୋଇଥିଲା । ଏହାକୁ ପାଳନକରି କରମୁ ଜଙ୍ଗଲରୁ ଡାଳ ସଂଗ୍ରହ କରି ପୂଜା ପ୍ରସ୍ତୁତି କଲା ଓ ନିଜ ରାଜ୍ୟ ଲୋକଙ୍କୁ ପୂଜାକୁ ନିମନ୍ତ୍ରଣ କଲା । ପୁଣି ଅନ୍ୟମତରେ ବାଣିଜ୍ୟରୁ ଫେରି କରମୁର ଏଭଳି ପୂଜା ଦେଖି ଧରମୁ ରାଗିଯାଇ କରମଡାଳକୁ ଓପାଡି ଫିଙ୍ଗି ଦେଇଥିଲା । ଏହାପରଠୁ ଧରମୁର ଅବନତି ଆରମ୍ଭ ହୋଇ ଅଘଟଣମାନ ଘଟିଲା ବୋଲି ଭିନ୍ନ ମତ ରହିଛି । କ୍ରମଶଃ କରମୁର ପୂଜା ବିଧି ଯଥାପୂର୍ବ ଚାଲୁରହିଲା ଏବଂ ଏକ ନିର୍ଦ୍ଦିଷ୍ଟ ଜାତି ଗଛକୁ କରମଗଛ ନାମିତ କରାଗଲା । ଏହି ଗଛପ୍ରତି ସମସ୍ତଙ୍କର ବିଶେଷ ଧ୍ୟାନ ରହିଲା ଏବଂ ଏହାର ଡାଳକୁ ଉକ୍ତ ପୂଜାରେ ବ୍ୟବହାର କରାଗଲା । କେତେକ ଏହି ପୂଜାକୁ ବନଦୂର୍ଗାଙ୍କ ପୂଜା ବୋଲି ମଧ୍ୟ କହିଥାନ୍ତି ।

ଏହି ପୂଜା ଅବସରରେ ୭୫ ବର୍ଷୀୟ ହୀରାଲାଲ ମହାନ୍ତ ବସୁମାତା ବା ପୃଥିବୀ ସୃଷ୍ଟି କାହାଣୀ ଶୁଣାଇଥାନ୍ତି ବୋଲି ମତ ଦେଇଛନ୍ତି । ତାଙ୍କ ମତରେ ପୂର୍ବମତାନୁଯାୟୀ ପ୍ରଥମେ ପୃଥିବୀ ଜଳମୟ ଥିଲା, ସ୍ଥଳଭାଗ ଜମାରୁ ନଥିଲା । ଜଳ ମଧ୍ୟରେ କେବଳ ପଦ୍ମଫୁଲ ଫୁଟୁଥିଲା । ଭଗବାନଙ୍କ ବାହାନ ଗରୁଡ଼ପକ୍ଷୀ ସେହି ପଦ୍ମଫୁଲ ଉପରେ ଦୁବଘାସ ସାହାଯ୍ୟରେ ବସା ତିଆରି କରିଥିଲା । କ୍ରମେ ଭଗବାନ ସୃଷ୍ଟି ଗଢିବା ଚିନ୍ତାରେ ନିଜ ଅଙ୍ଗ ମଳିରୁ ଜିଆ ସୃଷ୍ଟି କଲେ । ଜିଆକୁ ଜଳରାଶି ମଧ୍ୟରେ ଛାଡି ତାକୁ ଜଳର ସର୍ବନିମ୍ନ ସ୍ତରକୁ ଯାଇ ମାଟିଖାଇ ଆସି ପଦ୍ମପତ୍ର ଉପରେ ମଳତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଲେ । ଗରୁଡ଼ପକ୍ଷୀ ବାନ୍ଧିଥିବା ବସାରେ ସେହି ମାଟି ସଂଗ୍ରହକରି ବିଭିନ୍ନ ସ୍ଥାନରେ ସେଇ ମାଟିକୁ ଭିଣି ଦେବାକୁ ଗରୁଡପକ୍ଷୀକୁ ଆଦେଶ ଦେଲେ । ସେହି ଚିନ୍ତାଧାରାରେ ଭଗବାନ ସ୍ଥଳଭାଗ ସୃଷ୍ଟି କଲେ ବୋଲି ହୀରାଲାଲ ମତ ଦେଇଛନ୍ତି । ପୁଣି ଭବିଷ୍ୟତ ଚିନ୍ତାରେ ଭଗବାନ ତାଙ୍କ ଡାହାଣ ଜଂଘ ମଳିରୁ ପୁରୁଷ ଓ ବାମ ଜଂଘ ମଳିରୁ ନାରୀ ସୃଷ୍ଟି କଲେ । ପୁଣି ବଂଶ ବିସ୍ତାର ଚିନ୍ତାରେ ଉଭୟଙ୍କୁ ବାଖର ନିଶା ବଳରେ ପରସ୍ପର ପ୍ରତି ଆକର୍ଷିତ କରାଇ ପ୍ରେମ ସମ୍ପର୍କ ନିବିଡ଼ତା ବଢ଼ାଇ ସେମାନଙ୍କ ନିକଟରୁ ସନ୍ତାନ ଜନ୍ମ କରାଇଥିଲେ ବୋଲି ପୂର୍ବକାହାଣୀ ରହିଛି ବୋଲି ହୀରାଲାଲ ଆମ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଛନ୍ତି । ତାଙ୍କ ମତରେ ଏହା ବସୁମାତାଙ୍କ ସୃଷ୍ଟିର ମୂଳ କାହାଣୀ ।
ପରମ୍ପରା ଅନୁସାରେ ଚଳିତ ଇଂରାଜୀ ୨୨ ସେପ୍ଟେମ୍ବର ଭାଦ୍ରବମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଥିବାରୁ ଏକାଦଶୀର ଦିନକ ବା ୩ଦିନ ପୂର୍ବରୁ ବିଧି ମୁତାବକ ତିନି ବା ପାଞ୍ଚ ଜଣ କୁଡୁମୀ କୁଆଁରୀ କନ୍ୟା ଓ ନବ ବିବାହିତ ସ୍ତ୍ରୀ ଗ୍ରାମ ନିକଟସ୍ଥ ଜଳାଶୟରୁ ବାଲି ସଂଗ୍ରହ କରିଥାନ୍ତି । ସେହି ବାଲିକୁ କେବଳ ଜହ୍ନିଫୁଲରେ ସୁସଜ୍ଜିତ ଯାବା ଡଲାରେ ରଖି ମାଦଳ ବଜାଇ, ପାରମ୍ପରିକ ଗୀତ ଗାଇ ଓ ଡଲାକୁ ମୁଣ୍ଡରେ ମୁଣ୍ଡାଇ ପୂଜାସ୍ଥଳକୁ ଆଣି ଥାନ୍ତି । ସେହି ବାଲିରେ ଧାନ, ମକା, ମୁଗ, ବିରି, ଖସା, କୋଳଥ ଓ ସୋରିଷ ଭଳି ୭ପ୍ରକାର ଶସ୍ୟ ମଞ୍ଜି ପକାଯାଇଥାଏ । ମେଥିପାଣି ସିଞ୍ଚନ ପୂର୍ବକ ସେହି ଶସ୍ଯରୁ ଗଜା ବାହାରିଥାଏ । ଏକାଦଶୀ ପୂର୍ବଦିନ ବା ସେଇଦିନ ଗାଁ ଲୋକ ଜଙ୍ଗଲକୁ ଯାଇ ନିର୍ଦ୍ଦିଷ୍ଟ ବା ପୂର୍ବଚିହ୍ନଟ କରମଗଛର ଡାଳକୁ ପୂଜା କରି ସେଥିରେ ସୂତା ଗୁଡ଼ାଇ ମାନସିକ କରିଥାନ୍ତି । ଏକାଦଶୀ ପୂର୍ବଦିନ ବା ସେଇଦିନ ସନ୍ଧ୍ୟା ପୂର୍ବରୁ ଦେହୁରୀ (ପୂଜକ) ସହ ଜଙ୍ଗଲରୁ ସେହି ଚିହ୍ନିତଡାଳ କାଟି ଓ ଡାଳକୁ ମୁଣ୍ଡରେ ମୁଣ୍ଡାଇ ପାରମ୍ପରିକ କରମଗୀତ ସହ ମାଦଳ ତାଳେତାଳେ ଆଣି ଡାଳକୁ ପୂଜାସ୍ଥଳରେ ସ୍ଥାପନ କରିଥାନ୍ତି । ଏହି ଡାଳକୁ ଝିଅବୋହୁ ଓ ପୁରୁଷମାନେ ପୂଜା କରିବା ସହ ମାଦଳବାଜା ସହ କରମଗୀତ ଗାଇ ଡାଳ ଚାରିପଟେ ପୂଜା ନିକଟରେ ନାଚିଥାନ୍ତି । ସେଇ ରାତି ମହାନ୍ତ ବା ଗ୍ରାମର ନିର୍ଦ୍ଦିଷ୍ଟ ବୟସ୍କ ବ୍ୟକ୍ତି ନୂତନବସ୍ତ୍ର ପରିଧାନ ପୂର୍ବକ ଉପସ୍ଥିତ କରମପୂଜା ଭକ୍ତଙ୍କୁ ପୌରାଣିକ ଗଳ୍ପମାନ କହିଥାନ୍ତି । ପରଦିନ ପୂଜା ପାଇଥିବା କରମଡାଳ ଓ ବାଲିକୁ ପାଣିରେ ବିସର୍ଜନ କରି ଗ୍ରାମବାସୀ ସମୂହ ଏବଂ ବନ୍ଧୁବାନ୍ଧବ ମିଳିତ ଏକାଠି ବସି ସାରୁ ପତ୍ରରେ ପାର୍ଣ୍ଣା (ଭୋଗ) ସେବନ କରିବା ବିଧି ରହିଆସିଛି ବୋଲି ସନ୍ତୋଷ ମହାନ୍ତ, ଡମ୍ବରୁଧର ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି । ତେବେ ବିସର୍ଜନ ସମୟରେ ଅଧୁଆ ମୁହଁରେ ଶସ୍ୟକ୍ଷେତକୁ ରୋଗ ଓ ପୋକ ଦାଉରୁ ରକ୍ଷା ପାଇଁ ଇନ୍ଦଡାଳ ପୋତିବା ମଧ୍ୟ ଏକ ବିଧି ରହିଥାଏ ବୋଲି ଅନେକ ମତ ଦେଇଥାନ୍ତି । ଏହି କରମପୂଜାର ପ୍ରଭାବ ଓ ନିଶ୍ଚିତ ମାନସିକ ପୂରଣ ହେବା ବିଶ୍ୱାସରେ ଏବେ ଅନେକ ସାଧାରଣ ଓ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ଏହି ପୂଜା ପାଳନ କରୁଥିବା ପରିଲକ୍ଷିତ ହେଉଛି ।



Total Users : 6979