ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
କେନ୍ଦୁଝର ୦୮/୦୯: କେନ୍ଦୁଝର ଗ୍ରାମାଞ୍ଚଳର ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନର ଶୈଳୀ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି। କେବଳ ଘୋଷାପାଠ ନୁହେଁ, ବ୍ୟାବହାରିକ ଜ୍ଞାନ ସହ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଏହି ସ୍କୁଲଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଜିଲ୍ଲାରେ ‘ଷ୍ଟାର୍ସ’ ପ୍ରକଳ୍ପର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଏହି ସକାରାତ୍ମକ ପରିବର୍ତ୍ତନ ସମ୍ଭବ ହୋଇପାରିଛି।

ଘୋଷାପାଠ ଓ ପରୀକ୍ଷା କେନ୍ଦ୍ରିକ ସଂକୁଚିତ ଶିକ୍ଷା ପଦ୍ଧତିକୁ ଏଡ଼ାଇ ପିଲାଙ୍କ ମୌଳିକ ସୃଜନଶୀଳତା ଓ ବ୍ୟାବହାରିକ ଜ୍ଞାନର ବିକାଶ ପାଇଁ ଏହି ଯୋଜନା ଅଧୀନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ପିଲାମାନେ ବିଷୟବସ୍ତୁକୁ ମନେ ନରଖି ତାହାର ବ୍ୟାବହାରିକ ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଶେଷ ତାଲିମ ପ୍ରଦାନ କରାଯାଉଛି, ଯାହା ଦ୍ୱାରା ଶ୍ରେଣୀଗୃହ ପାଠପଢ଼ା ଆହୁରି ଜୀବନ୍ତ ହୋଇପାରିଛି। ପ୍ରାଥମିକ ସ୍ତରରୁ ଭାଷା ଓ ଗଣିତ ଶିକ୍ଷା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିୟମିତ ଆକାଡେମିକ୍ ମନିଟରିଂ ମାଧ୍ୟମରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କ ଶିକ୍ଷଣ ସ୍ତରରେ ସୁଧାର ଅଣାଯାଉଛି।ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ବିଶେଷ କରି ଜନଜାତି ଓ ଅବହେଳିତ ବର୍ଗର ହଜାର ହଜାର କୋମଳମତି ଶିଶୁ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇପାରୁଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମାଞ୍ଚଳ ଶିକ୍ଷାର ସମସ୍ୟାକୁ ନିକଟରୁ ଅନୁଭବ କରିଥିବାରୁ ଜିଲ୍ଲାର ପ୍ରତ୍ୟେକ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରମୁଖ ଦିଗଗୁଡ଼ିକୁ ପ୍ରାଥମିକତା ଦେଇଛନ୍ତି: ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଜନଜାତି ପିଲା ଯେପରି ସହରାଞ୍ଚଳ ଭଳି ଗୁଣାତ୍ମକ ଶିକ୍ଷା ପାଇପାରିବେ, ସେଥିପାଇଁ ନିର୍ଦ୍ଦେଶ ରହିଛି।’ଷ୍ଟାର୍ସ’ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ପିଲାଙ୍କୁ ବୈଜ୍ଞାନିକ ମନୋଭାବ ଓ କମ୍ପ୍ୟୁଟର ଶିକ୍ଷା ସହ ଯୋଡ଼ାଯାଉଛି। ସ୍କୁଲଗୁଡ଼ିକରେ ପାଠାଗାର, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଖେଳପଡ଼ିଆ ଭଳି ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରାଯାଉଛି।
କେବଳ ନମ୍ବର ରଖିବା ଅପେକ୍ଷା ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ଜୀବନ ଗଠନର ଶିକ୍ଷା ଭରିବା ଉପରେ ଗୁରୁତ୍ୱ ଦିଆଯାଉଛି।ଆଜି କେନ୍ଦୁଝରର ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ନୂଆ ଉତ୍ସାହ ଓ ପିଲାଙ୍କ ଆଖିରେ ଭବିଷ୍ୟତର ଆଶା ସ୍ପଷ୍ଟ ବାରିହୋଇପଡ଼ୁଛି। ସ୍ୱତନ୍ତ୍ର ଶିକ୍ଷାର ସଫଳ ରୂପାୟନ ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ବିଶେଷ ତାଲିମ ମଧ୍ୟ ପ୍ରଦାନ କରାଯାଉଛି। ‘ଷ୍ଟାର୍ସ’ ପ୍ରକଳ୍ପ ଓ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଆଗାମୀ ଦିନରେ କେନ୍ଦୁଝରକୁ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।



Total Users : 6769